ନୂଆଦିଲ୍ଲୀ : ଭାରତୀୟ ଟିମର ଦ୍ରୁତ ବୋଲର ଜସପ୍ରୀତ ବୁମରା ରାଞ୍ଚି ଟେଷ୍ଟରେ ଖେଳିବେ ନାହିଁ । ରାଜକୋଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଇଣ୍ଡିଆର ବୃହତ ବିଜୟ ପରେ ବୁମରା ବିଶ୍ରାମ ନେବେ । ଟିମ୍ ମ୍ୟାନେଜମେଣ୍ଟ ଆସନ୍ତା ୨୩ ତାରିଖରୁ ହେବାକୁ ଥିବା ଚତୁର୍ଥ ଟେଷ୍ଟରେ ବୁମରାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି । ତାଙ୍କ ସ୍ଥାନରେ ମୁକେଶ କୁମାର କିମ୍ବା ଅକ୍ଷର ପଟେଲଙ୍କୁ ସୁଯୋଗ ଦିଆଯାଇପାରେ । ଯଶପ୍ରୀତ ବୁମରା ଭାରତୀୟ ଦଳରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ଏବଂ ଚାଲିଥିବା ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ୍ ନେଇଛନ୍ତି । ସେ ହାରାହାରି ୧୩.୬୪ ରେ ୧୭ ଟି ୱିକେଟ୍ ନେଇଛନ୍ତି। ତିନୋଟି ମ୍ୟାଚ୍ରେ ୮୦ ରୁ ଅଧିକ ଓଭର ବୋଲିଂ ମଧ୍ୟ କରିଛନ୍ତି। ୪୫ ରନ୍ ପାଇଁ ୬ ଟି ୱିକେଟ୍ ଏହି ସିରିଜରେ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ବିଶାଖାପାଟନମରେ ଦ୍ୱିତୀୟ ଟେଷ୍ଟରୁ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଥିଲା। ସିରାଜଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ଦଳରେ ସ୍ଥାନ ମିଳିଥିଲା । ଯଶପ୍ରୀତ ବୁମରା ଭାରତୀୟ ଫାଷ୍ଟ ବୋଲିଂରେ ସ୍ଥିରତା ପ୍ରଦାନ କରନ୍ତି । କିନ୍ତୁ ୪ଥ ଟେଷ୍ଟରେ ବୁମରାଙ୍କ ଅନୁପସ୍ଥିତି ଭରତୀୟ ଦଳରେ କେତେ ପ୍ରଭାବ ପଡିବ ତାହା ୨୩ ଫେବୃଆରୀରେ ଜଣା ପଡିବ ।