ଇମ୍ଫାଲ: ହିଂସାର ବହ୍ନିରେ ଜଳୁଛି ମଣିପୁର । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଅଶାନ୍ତ ମଣିପୁରରେ ଶାନ୍ତି ଫେରିପାରୁନି । ହିଂସା ଯୋଗୁଁ ଅକାଳରେ ନିରୀହ ଜୀବନ ଚାଲିଯାଉଛି । ପୁଣିଥରେ ମଣିପୁରରେ ହିଂସାକାଣ୍ଡ ପ୍ରକାଶ ପାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଉପଦ୍ରବକାରୀ ଗୋଟିଏ ଚର୍ଚ୍ଚରେ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅତିକମରେ ୧୫ ଜଣ ଆହତ ହୋଇଛନ୍ତି । ପୂର୍ବ ଇମ୍ଫାଲ ଅନ୍ତର୍ଗତ ଖାମେନଲୋକ ଅଞ୍ଚଳର ଏକ ଚର୍ଚ୍ଚରେ ଏହି ବର୍ବରୋଚିତ କାଣ୍ଡ ଘଟିଛି । ଆହତମାନଙ୍କୁ ଇମ୍ଫାଲର ରାଜ ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହା ସୂଚନା ମିଳିଛି, ଗୁଳିକାଣ୍ଡ ସମୟରେ ଚର୍ଚ୍ଚରେ ପ୍ରାୟ ୨୫ ଜଣ ଲୋକ ଥିଲେ । ଏତିକି ବେଳେ ହଠାତ୍ କିଛି ଦୁର୍ବୃତ୍ତ ଚର୍ଚ୍ଚ ଭିତରକୁ ପଶି ଆସି ଅତର୍କିତ ଗୁଳି ବର୍ଷଣ କରିଥିଲେ । ଫଳରେ ୯ ଜଣଙ୍କ ଜୀବନ ଯାଇଛି । ତେବେ ଏହି ଗୁଳିମାଡ ପଛରେ କୁକି ସମ୍ପ୍ରଦାୟର ଉପଦ୍ରବୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।
ଏ ସମ୍ପର୍କରେ ମଣିପୁର ଆଇପିଆରଓ ବାଲକ୍ରିଷ୍ଣା ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଦିନକ ତଳେ ପୂର୍ବ ଇମ୍ଫାଲର ଚୌରାଚନ୍ଦପୁରରେ ଉପଦ୍ରବୀଙ୍କ ଗୁଳିମାଡରେ ଜଣେ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ହୋଇଥିଲା ଓ ୮ ଜଣ ଆହତ ହୋଇଥିଲା । ସଂରକ୍ଷଣକୁ ନେଇ ମଣିପୁରରେ କୁକି ଓ ମୈତେଇ ସମୁଦାୟ ମଧ୍ୟରେ ମାସେରୁ ଅଧିକ ସମୟ ହେଲାଣି ହିଂସା ଲାଗି ରହିଛି । ଦୁଇ ସମୁଦାୟ ମଧ୍ୟରେ ସଂଘର୍ଷରେ ଅଦ୍ୟାବିଧି ୬୦ରୁ ଅଧିକ ଜୀବନ ଯାଇଥିବା ବେଳେ ଶତାଧିକ ଘର ନିଆଁରେ ପୋଡି ପାଉଁଶ ହୋଇଯାଇଛି । ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ସରକାର ଏକ ଶାନ୍ତି କମିଟି ଗଠନ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ, ସାଂସଦ ଓ ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ବ୍ୟତୀତ ପୂର୍ବତନ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ, ସାହିତ୍ୟିକ, କଳାକାର, ସାମାଜିକ କର୍ମୀ ଓ ବିଭିନ୍ନ ଧାର୍ମିକ ସଂଗଠନର ପ୍ରତିନିଧିଙ୍କ ସାମିଲ କରାଯାଇଛି । ସେହିପରି ୧୫ ତାରିଖ ଯାଏଁ ସାରା ରାଜ୍ୟରେ ଇଣ୍ଟରନେଟ ସେବା ବ୍ୟାନ କରାଯାଇଛି । ତଥାପି ମଣିପୁରରେ ହିଂସା ଥମିବାର ନାଁ ନେଉନି ।