ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ବୁଡାଜାହାଜ ବିଧ୍ୱଂସୀ ହେଲିକପ୍ଟର ଏମଏଚ୍-୬୦ ରୋମିଓ ହେଲିକପ୍ଟର ବୁଧବାର ପ୍ରଥମ ଥର ପାଇଁ ବିମାନବାହୀ ଯୁଦ୍ଧଜାହାଜ ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳ ଅବତରଣ କରିଥିବା ଜଣାପଡିଛି । ଏହା ନୌବାହିନୀ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି କୁହାଯାଇଛି । ଆମେରିକାର ଲକ୍ହିଡ୍ ମାର୍ଟିନ କମ୍ପାନୀ ଦ୍ୱାରା ନିର୍ମିତ ରୋମିଓ ହେଲିକପ୍ଟର ଶତ୍ରୁପକ୍ଷର ଯେକୌଣସି ବୁଡାଜାହାଜକୁ ଧ୍ୱଂସ କରିବାର କ୍ଷମତା ରଖୁଛି । ଏହା ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ହେଲିକପ୍ଟରଭାବେ ମାନ୍ୟତାଲାଭ କରିଛି ।
ଭାରତ ସରକାର ୯୦୫ ନିୟୁତ ଡଲାର ବିନିମୟରେ ଏଭଳି ୨୪ଟି ରୋମିଓ ହେଲିକପ୍ଟର କ୍ରୟ କରିବାକୁ ଅର୍ଡର ଦେଇସାରିଛନ୍ତି । ପୂର୍ବରୁ ବିମାନବାହୀ ଜାହାଜରେ ବ୍ୟବହୃତ ହେଉଥିବା ସିକିଙ୍ଗ୍ ହେଲିକପ୍ଟରକୁ ଅପସାରଣ କରାଯାଇ ରୋମିଓ ହେଲିକପ୍ଟରକୁ ନିୟୋଜିତ କରାଯିବ ବୋଲି ଜଣାପଡିଛି । ଚଳିତମାସ ପ୍ରାରମ୍ଭରେ ରୋମିଓ ହେଲିକପ୍ଟର ପ୍ରଥମ ଥର ନୌସେନା ଯୁଦ୍ଧପୋତ (ଡେଷ୍ଟ୍ରୟର) ଆଇଏନ୍ଏସ୍ କୋଲକାତାରେ ସଫଳତାର ସହ ଅବତରଣ କରିଥିଲା । ୨୦ ହଜାର କୋଟି ଟଙ୍କା ବ୍ୟୟରେ ସ୍ୱଦେଶୀ କାରିଗରୀକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତ ଗତବର୍ଷ ସେପ୍ଟେମ୍ବରରେ ନୌସେନାରେ ସାମିଲ କରାଯାଇଛି ।