26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶ୨୦୨୪ ନିର୍ବାଚନରେ ଏକାକୀ ଲଢ଼ିବ ବିଏସ୍‌ପି; ମିଳିତ ମେଣ୍ଟରେ ସାମିଲହେଲେ ଲାଭ କମ୍‌-କ୍ଷତି ଅଧିକ: ମାୟାବତୀ

୨୦୨୪ ନିର୍ବାଚନରେ ଏକାକୀ ଲଢ଼ିବ ବିଏସ୍‌ପି; ମିଳିତ ମେଣ୍ଟରେ ସାମିଲହେଲେ ଲାଭ କମ୍‌-କ୍ଷତି ଅଧିକ: ମାୟାବତୀ

ନୂଆଦିଲ୍ଲୀ: ‘୨୦୨୪ ସାଧାରଣ ନିର୍ବାଚନରେ ବିଏସ୍‌ପି ସମ୍ପୂର୍ଣ୍ଣ ଏକାକୀ ଲଢ଼ିବ । ଇଣ୍ଡିଆ ମେଣ୍ଟ କିମ୍ବା ଏନ୍‌ଡିଏ ସହ ବିଏସ୍‌ପି ଯୋଗଦେବନାହିଁ । କାରଣ କୌଣସି ମିଳିତ ମେଣ୍ଟରେ ଯୋଗଦେବା ପରେ ବିଏସ୍‌ପିକୁ ଲାଭ କମ୍ ମିଳୁଥିବା ବେଳେ କ୍ଷତି ଅଧିକ ହୋଇଥାଏ ।’ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଜନ୍ମଦିନ (ଜାନୁଆରୀ ୧୫)କୁ ରାଜନୈତିକ କାର୍ଯ୍ୟକ୍ରମ ଭଳି ପାଳନ କରିବା ପରିପ୍ରେକ୍ଷୀରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାବତୀ ଏପରି କିଛି ବଡ଼ ଘୋଷଣା କରିଛନ୍ତି । ଜାନୁଆରୀ ୧୫, ୨୦୨୪ରେ ମାୟାବତୀ ୬୮ ବର୍ଷ ବୟସରେ ଉପନୀତ ହୋଇଛନ୍ତି । ନିଜ ଜନ୍ମଦିନ ଅବସରରେ ସେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି ।

ମାୟାବତୀ ନିଜ ଦଳୀୟ ନେତା ତଥା କର୍ମୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ, ବିଏସ୍‌ପି କେବଳ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉପରେ ଫୋକସ୍ କରିବା ଜରୁରି । ଇଣ୍ଡିଆ ମିଳିତ ମେଣ୍ଟ, ଏନ୍‌ଡିଏ କିମ୍ବା ଅନ୍ୟ କୌଣସି ମେଣ୍ଟରେ ବିଏସ୍‌ପି ଯୋଗଦେବନାହିଁ । ଏହି ଅବସରରେ ସେ ୨୦୦୭ ଭଳି ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ତାଙ୍କ ଦଳ ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ମାୟାବତୀ ଆଶାବ୍ୟକ୍ତ କରିଛନ୍ତି । ବିଏସ୍‌ପି ଦଳିତ, ନିଷ୍ପେସିତ ତଥା ଗରିବ ବର୍ଗର ଲୋକଙ୍କ ନିଜସ୍ୱ ଦଳ ହୋଇଥିବାରୁ ଏହି ବର୍ଗର ଲୋକେ ତାଙ୍କ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି ସେ ନିଶ୍ଚିତ ଥିବା କହିଛନ୍ତି । ଏହି ପରିପ୍ରେକ୍ଷୀରେ ମାୟାବତୀ, ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିବା ଦେଖିବାକୁ ମିଳିଥିଲା ।

ମାୟାବତୀ କହିଥିଲେ ଯେ, ମାଗଣା ଚାଉଳ ବା ରାଶନ ସାମଗ୍ରୀର ଲୋଭ ଦେଖାଇ ବିଜେପି ସରକାର ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଦେଶର କୋଟି କୋଟି ଜନସାଧାରଣଙ୍କୁ ଦାସତ୍ୱ ପ୍ରଥାରେ ବାନ୍ଧି ରଖୁଛି । ସେହିପରି ଧର୍ମ ନାମରେ ବିଜେପି ରାଜନୀତି କରୁଥିବା ମାୟାବତୀ କହିଛନ୍ତି । ମାୟାବତୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସରକାର ସମୟରେ ରାଜ୍ୟବାସୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ଜନହିତକର ଯୋଜନାଗୁଡ଼ିକୁ କେବଳ ନାମ ତଥା ଢ଼ାଞ୍ଚାଗତ ପରିବର୍ତ୍ତନ କରି ଏବେର ବିଜେପି ସରକାର କାର୍ଯ୍ୟକାରୀ କରୁଛି ଏବଂ ସେସବୁକୁ ନିଜର ଦର୍ଶାଇବାକୁ ଚେଷ୍ଟା କରୁଛି ।

ତାଙ୍କ ସରକାର ରାଜ୍ୟରେ ସଂଖ୍ୟାଲଘୁ, ମୁସଲମାନ, ଗରିବ, କୃଷକ ଏବଂ ଶ୍ରମିକ ଆଦି ସବୁବର୍ଗର ଲୋକଙ୍କ ପାଇଁ ଜନକଲ୍ୟାଣ ଯୋଜନା କରିଥିଲେ ବୋଲି ମାୟାବତୀ କହିଛନ୍ତି । ଏହି ଅବସରରେ ମାୟାବତୀ ଇଭିଏମ୍ ତ୍ରୁଟି ସମ୍ପର୍କରେ ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ନେତା ଅଖିଳେଶ ଯାଦବଙ୍କ ସମ୍ପର୍କରେ ମଧ୍ୟ ଟିପ୍ପଣୀ କରିବା ଦେଖିବାକୁ ମିଳିଛି । ତେବେ ନିକଟରେ ପୁତୁରା ଆକାଶ ଆନନ୍ଦଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଥିବାରୁ ସେ କ’ଣ ରାଜନୀତିରୁ ସନ୍ୟାସ ନେଉଛନ୍ତି କି ବୋଲି ପ୍ରଶ୍ନ କରିଥିଲେ କିଛି ଗଣମାଧ୍ୟମ ପ୍ରତିନିଧି । ସେମାନଙ୍କ ପ୍ରଶ୍ନର ଉତ୍ତରରେ ମାୟାବତୀ ଏପ୍ରକାର ପୂର୍ବାନୁମାନକୁ ଖାରଜ କରିବା ସହ ବର୍ତ୍ତମାନ ସେ ଏସମ୍ପର୍କରେ ଚିନ୍ତା କରିନଥିବା ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking