28.1 C
Bhubaneswar
Saturday, October 19, 2024
Homeଓଡିଶାବିଏସ୍‌କେୱାଇ ଠକେଇ ଘଟଣା; ସିଲ୍ ହେଲା ଜେ.ଏମ୍ କେୟାର ନର୍ସିଂହୋମ୍‌

ବିଏସ୍‌କେୱାଇ ଠକେଇ ଘଟଣା; ସିଲ୍ ହେଲା ଜେ.ଏମ୍ କେୟାର ନର୍ସିଂହୋମ୍‌

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କାର୍ଡ ଜାଲିଆତି କରି ସରକାରୀ ଟଙ୍କା ହଡପ କରୁଥିବା ଅଭିଯୋଗରେ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଜେ.ଏମ୍ କେୟାର ନର୍ସିଂହୋମ୍‌କୁ ଆଜି ସିଲ୍ କରିଦିଆଯାଇଛି । ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଟିମ୍ ନର୍ସିଂହୋମକୁ ସିଲ୍ କରିଛି ।

ଏଥି ସହିତ ଆସନ୍ତା ୩ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଦାଖଲ କରିବାକୁ ନର୍ସିଂହୋମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନର୍ସିଂହୋମ୍ ମାଲିକଙ୍କୁ ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ ଜଣେ ରୋଗୀକୁ ଏକ ସଙ୍ଗେ ୨ଟି ନର୍ସିଂହୋମ୍‌ରେ ଆଡ୍‌ମିସନ କରାଇ କିପରି ନର୍ସିଂହୋମ ମାଲିକ ସରାକରୀ ଅର୍ଥ ହଡପ କରି ମାଲାମାଲ ହେଉଛନ୍ତି ସେହି ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା ।

ମଧୁପାଟଣା ପୁଲିସ ଏଭଳି ଅଭିଯୋଗରେ ଜଗତପୁର ଥାନା ଅନ୍ତର୍ଗତ ପାଗାସ୍ଥିତ ଶୋଭା ନର୍ସିଂହୋମ୍‌ର ମାଲିକ ଅଶୋକ କୁମାର ପତି(୫୫) ଓ ମ୍ୟାନେଜର ଶାନ୍ତନୁ କୁମାର ପତି(୩୯)କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିଲା । ସୂଚନାଯୋଗ୍ୟ ମଧୁପାଟଣାଥାନା ଅନ୍ତର୍ଗତ ଜେ.ଏମ୍ କେୟାର ନର୍ସିଂହୋମରେ ଭର୍ତ୍ତି ହୋଇଥିବା ଭୁବନେଶ୍ୱରର ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଏହାପରେ ବିଏସ୍‌କେୱାଇରେ ଚାଲିଥିବା ଘୋଟାଲା ପଦାକୁ ଆସିଥିଲା । ସମ୍ପୃକ୍ତ ମହିଳା ଗୋଟିଏ ନର୍ସିଂହୋମରେ ଚିକିତ୍ସିତ ହୋଇଥିବା ବେଳେ ଅନ୍ୟ ଏକ ନର୍ସିଂହୋମ ନାଁରେ ଟଙ୍କା ଉଠା ଯାଇଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା । ଗତ ମାର୍ଚ୍ଚ ୭ ତାରିଖରେ ଭୁବନେଶ୍ୱରର ବଡଗଡ ଅଞ୍ଚଳର ପ୍ରସନ୍ନ କୁମାର ପାତ୍ର ପତ୍ନୀ କୁନି ପାତ୍ରଙ୍କୁ କିଡ୍‌ନୀ ଷ୍ଟୋନ୍ ଅପରେସନ ନିମନ୍ତେ ଡାକ୍ତର ଚିନ୍ମୟ ସାହୁଙ୍କ ପରାମର୍ଶ ମୁତାବକ ଜେ ଏମ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ ।

ଏସ୍‌ସିବିର ଆସିଷ୍ଟାଣ୍ଟ ଡାକ୍ତର ଅମୀୟ କୁମାର ପାଲ ଏହି ଅପରେସନ କରିଥିଲେ । ତେବେ ଅପରେସନର ୪ ଦିନ ପରେ କୁନି ହସ୍ପିଟାଲରୁ ଡିସଚାର୍ଜ ହେବାର କିଛି ଦିନ ପରେ ତାଙ୍କ ମୃତ୍ୟୁ ଘଟିଥିଲା । ଚିକିତ୍ସା ଅବହେଳା ତଥା ଭୁଲ ଅପରେଶନ ଯୋଗୁଁ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ ପ୍ରସନ୍ନ ।

ମଧୁପାଟଣା ପୁଲିସ ଏ ଘଟଣାର ତଦନ୍ତ କରି ବିଏସକେୱାଇ ଘୋଟଲା ବାବଦରେ ଜାଣିବାକୁ ପାଇଥିଲା । ତଦନ୍ତ ରିପୋର୍ଟ ଅନୁଯାୟୀ, କୁନିଙ୍କ ସମସ୍ତ ଅପରେସନ ଓ ଚିକିତ୍ସା ଜେ ଏମ ନିର୍ସଂହୋମ୍‌ରେ ହୋଇଥିଲା । ମାତ୍ର ବିଜୁ ସ୍ୱାସ୍ଥ୍ୟ କାର୍ଡରେ ତାଙ୍କ ଚିକିତ୍ସା ପାଗାସ୍ଥିତ ଶୋଭା ନର୍ସିଂ ହୋମରେ ହୋଇଥିବା ଦର୍ଶାଯାଇଥିଲା । ଏଭଳି ଜାଲିଆତି କରି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ଠକେଇ ହୋଇଥିଲା ବୋଲି ପୁଲିସ ତଦନ୍ତକରି ଜାଣି ପାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking