ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟିକୁ ନେଇ କଂଗ୍ରେସର ହୀନ ଷଡଯନ୍ତ୍ର ପ୍ରତିବାଦରେ
କଂଗ୍ରେସ ଦଳ ଓ କଂଗ୍ରେସ ନେତୃତ୍ୱ ଅକ୍ଷମଣୀୟ ଅପରାଧ କରିଛନ୍ତି
ସମ୍ଭାବ୍ୟ ଅଘଟଣରୁ ବର୍ତି ଯାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି
ରାଜ୍ୟର ବିଭିନ୍ନ ସ୍ଥାନରେ ଗାନ୍ଧୀ ପ୍ରତିମୂର୍ତି ତଳେ ବସି ରହି ନୀରବ ଧାରଣା ଦେଇଛନ୍ତି ବିଜେପି କାର୍ଯ୍ୟକର୍ତା
ଭୂବନେଶ୍ୱର,: ଭାରତୀୟ ସମ୍ବିଧାନ ଅନୁଯାୟୀ ଦେଶ ଶାସନ ବ୍ୟବସ୍ଥାର ପ୍ରମୁଖ ତଥା ପ୍ରଧାନମନ୍ତ୍ରୀ ପଦକୁ କଂଗ୍ରେସ ଦଳ ଏବଂ କଂଗ୍ରେସ ନେତୃତ୍ୱ ଯେଉଁ ଭଳି ଭାବେ ଅପମାନିତ କରି ଅକ୍ଷମଣୀୟ ଅପାରାଧ କରିଛନ୍ତି, ତାହା ଅତ୍ୟନ୍ତ ଲଜ୍ଜାଜନକ । ଅତୀତରେ ତୃଟିପୂର୍ଣ୍ଣ ସୁରକ୍ଷା କାରଣରୁ ଦେଶବାସୀ ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ହରାଇଥିବା କଂଗ୍ରେସ ଦଳ ଓ କଂଗ୍ରେସ ନେତା ଭୁଲିବା କଥା ନୁହେଁ । ଗତ ୫ ତାରିଖ ଦିନ ପଞ୍ଜାବରେ ଶାସକ କଂଗ୍ରେସ ଦଳ ତରଫରୁ ହୀନ ଷଡଯନ୍ତ୍ର ରଚାଯାଇ ଯାତ୍ରା ପଥକୁ ଅବରୋଧ କରି ଦୀର୍ଘ ୨୦ ମିନିଟ କାଳ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରାସ୍ତା ମଝିରେ ଓ ପୋଲ ଉପରେ ରୋକାଯାଇଥିଲା, ନିଶ୍ଚିତ ଭାବେ ଏକ ସମ୍ଭାବ୍ୟ ଅଘଟଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବର୍ତି ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ବିଶ୍ୱବ୍ୟାପୀ ସୁନାମ ଅର୍ଜନ କରିଥିବା ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ହୀନ ଷଡଯନ୍ତ୍ର ରଚି କଂଗ୍ରେସ ଦଳ ଓ କଂଗ୍ରେସ ନେତୃତ୍ୱ ନିଜ ନିଜ ଅସହିଷ୍ଣୁ ମନୋଭାବକୁ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ନେତୃତ୍ୱ ଅସହିଷ୍ଣୁତାର ଚରମ ସୀମା ଉଲ୍ଲଘଂନ କରି ଏକ ନୂତନ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବାରୁ ଗାନ୍ଧିଜୀ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । କଂଗ୍ରେସ ଦଳର ଏଭଳି ହୀନ ମାନସିକତା ଏବଂ ଷଡଯନ୍ତ୍ରକୁ ପ୍ରତିବାଦ କରି ବିଜେପି ତରଫରୁ ଆଜି ଭୂବନେଶ୍ୱରସ୍ଥିତ ଜନତା ମଇଦାନ ଗାନ୍ଧୀ ପାର୍କରେ ଥିବା ଗାନ୍ଧୀ ପ୍ରତିମୂର୍ତି ତଳେ ନୀରବ ଧାରଣା ଦିଅଯାଇଥିଲା ।
ଏହି ନୀରବ ଧାରଣାରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦିକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ବାବୁ ସିଂ, ବିଜେପି ସ୍ୱଚ୍ଛ ଭାରତ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ୍ ଦାସ୍, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ମଣ୍ଡଳ ସଭାପତି ଦାମୋଦର ବେହେରା, ସୁରେନ୍ଦ୍ର ପ୍ରଧାନ, ଅଞ୍ଜନ ନାଥ, ବିଜୟ ରାଉତ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ସୁନୀଲ ପ୍ରଧାନ, ରଶ୍ମିରଞ୍ଜନ କାନୁନଗୋ, ଅଶୋକ ସେଠୀ, ସୁଚରିତା ଜେନାମଣୀ, ଲିପା ଦାସ, ମେନକା ପରିଡା, ଗୀତାଞ୍ଜଳି ନାୟକ, ପ୍ରତୀକ୍ଷା ମହାପାତ୍ର, ପ୍ରଶାନ୍ତ ନାୟକ, ଗୀତାରାଣୀ ବେହେରା, ସିବାସୀଷ ମହାନ୍ତି, ଶୁଭକାନ୍ତ ସାହୁ, ଭୀମସେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟିକୁ ନେଇ କଂଗ୍ରେସର ହୀନ ଷଡଯନ୍ତ୍ର ପ୍ରତିବାଦରେ ଏବଂ କଂଗ୍ରେସକୁ ସଦବୁଦ୍ଧି ପ୍ରଦାନ ପାଇଁ ବିଜେପି କାର୍ଯ୍ୟକର୍ତାମାନେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଗାନ୍ଧୀ ପ୍ରତିମୂର୍ତି ତଳେ ବସି ରହି ନୀରବ ଧାରଣା ଦେଇଛନ୍ତି ।