27.1 C
Bhubaneswar
Friday, November 22, 2024
Homeଓଡିଶାଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ : ଡ.ଲେଖାଶ୍ରୀ

ଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ : ଡ.ଲେଖାଶ୍ରୀ

  • ରୋଜଗାର ପାଇଁ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି”
  •  ବିଜେଡି ସରକାରର ୨୩ ବର୍ଷର ଅପାରଗତା ହେଉଛି “ଦାଦନ ସମସ୍ୟା“
  • ଯିଏ ଶାସନରେ ଅଛନ୍ତି, ସେ ଦେଢ ମିଟର ଚାଲିପାରୁନାହାନ୍ତି ଅଥଚ ଦାଦନକୁ ଦେଢ ଶହ କିଲୋମିଟର ଚାଲିବାକୁ କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଓ ଲଜ୍ଜାଜନକ
  • ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆଦୈା ଚିନ୍ତିତ ନୁହନ୍ତି
  • ଅସଲ ମୁଖା ଖୋଲିଯିବା ଭୟରେ ରାଜ୍ୟ ସରକାର ଜାଣିଶୁଣି ଦାଦନମାନଙ୍କ ପଞ୍ଜିକରଣ କରୁନାହାନ୍ତି
  • ଦାଦନ ଦଲାଲ୍ଙ୍କ ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ରହିଛି
  • ଶାସକ ବିଜେଡିର ବହୁ ନେତାମାନେ ଦଲାଲ୍ଙ୍କୁ ସୁରକ୍ଷା ଯୋଗାଇ ଦେଉଥିବାରୁ ଦାଦନ ଶ୍ରମିକ ଓ ତାଙ୍କ ପରିବାର ଆଜି ଦୁର୍ଦ୍ଦିନରେ ବାସ କରୁଛନ୍ତି
  • କେଉଁ ରାଜ୍ୟରେ କେତେ ଓଡିଆ ଦାଦନ ଖଟୁଛନ୍ତି, ତାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର : ଖଣିଜ ଓ ପ୍ରାକୃତିକ ସଂପଦ ଭରପୁର ରାଜ୍ୟ ଓଡିଶା । ଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ ! ଓଡିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ଜାପାନ ଯାଇ ସୋସିଆଲ ମିଡିଆରେ ‘ରିଲ୍’ ବନାଉଛନ୍ତି। ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଥିବା ସତ୍ୱେ ଓଡିଶାର ଲୋକଙ୍କୁ କାମ ଦେଉନଥିବାରୁ ସେମାନେ ବାହାର ରାଜ୍ୟକୁ “ରୋଜଗାର ପାଇଁ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି” । ଏଦୃଶ୍ୟ ଶାସକ ବିଜେଡିର ମୁଖିଆଙ୍କୁ ଦେଖାଯାଉନାହିଁ କି ? ବିଜେଡି ସରକାରର ୨୩ ବର୍ଷର ଅପାରଗତା ହେଉଛି “ଦାଦନ ସମସ୍ୟା“ । ଏହା ହେଉଛି ବିଜେଡି ସରକାରରେ ‘ଆମ ଗଣତନ୍ତ୍ରର’ ବ୍ୟବସ୍ଥା ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶକୁ ଦାଦନ ପାଇଁ ଯାଇଥିବା ଓଡିଆ ଲୋକ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ବୋହି ନିଜ ଗାଁ ଆଣିବାର ହୃଦୟ ବିଦାରକ ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା । ସେହିପରି ବାଙ୍ଗାଲୋରରୁ ୩ ଜଣ ଦାଦନ ପ୍ରାୟ ୧୫୦୦ କିଲୋମିଟର ଚାଲି ଚାଲି ନିଜ ଗାଁ ଓଡିଶାକୁ ଫେରିଲେ । ଏହି ଖବର ଦେଶ ତଥା ବିଦେଶରେ ପ୍ରଚାର ହେବା ପରେ ଦାଦନଙ୍କ ଘରକୁ ଯାଇ ଟଙ୍କା ଦେଇ ଘଟଣାକୁ ଚାପିଦେବାର ପ୍ରଲୋଭନ ଦିଆ୍ାଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଯିଏ ଶାସନରେ ଅଛନ୍ତି, ସେ ଦେଢ ମିଟର ଚାଲିପାରୁନାହାନ୍ତି ଅଥଚ ଦାଦନକୁ ଦେଢ ଶହ କିଲୋମିଟର ଚାଲିବାକୁ କହୁଛନ୍ତି । ଏହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଓ ଲଜ୍ଜାଜନକ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ଶ୍ରମମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଏହି ସଂଖ୍ୟା ୫ଲକ୍ଷରୁ ଉଦ୍ଧ୍ୱର୍ ହେବ । ମୁଖ୍ୟମନ୍ତ୍ରୀ ୨୩ବର୍ଷ ଶାସନରେ ରହି ବି ନିଜ ଅଂଚଳରେ ଶିଳ୍ପାଚଂଳ କିମ୍ବା ରୋଜଗାର ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ୫ଲକ୍ଷରୁ ଅଧିକ ଲୋକ ଦାଦନ ଖଟୁଛନ୍ତି । ୭୦ ରୁ ୭୫ ପ୍ରତିଶତ ଲୋକ ସୁରତର ସୂତାକଳରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ୩ ମାସରେ ୬ ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ପାତ୍ରପୁର, ଛତ୍ରପୁର ଓ ଜଗନ୍ନାଥପ୍ରସାଦ ବ୍ଲକର ୪ଜଣ ଦାଦନ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ଭେଣ୍ଡିଆ ପୁଅକୁ ହରାଇ ପରିବାର ବିଚଳିତ ହେଉଥିଲେ ବି ରାଜ୍ୟ ସରକାର ନିରବ ରହୁଛନ୍ତି ଯାହା ସମାଜ ପାଇଁ ଶୁଭଙ୍କର ନୁହଁ ।

ବାରମ୍ବାର ଦାବୀ ସତ୍ୱେ କରୋନା ମାହାମାରୀ ସମୟରେ ରାଜ୍ୟକୁ ଫେରିଥିବା ଦାଦନଙ୍କ ପଞ୍ଜୀକରଣ କରାଗଲାନାହିଁ । ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆଦୈା ଚିନ୍ତିତ ନୁହନ୍ତି । ଅସଲ ମୁଖା ଖୋଲିଯିବା ଭୟରେ ରାଜ୍ୟ ସରକାର ଜାଣିଶୁଣି ଦାଦନମାନଙ୍କ ପଞ୍ଜିକରଣ କରୁନାହାନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତାମୁଳକ । ଦାଦନ ପ୍ରବଣ ଜିଲ୍ଲା ଓ ଅଂଚଳରେ ସଚେତନତା ସୃଷ୍ଟି ପାଇଁ ବଜେଟରେ ମଧ୍ୟ ବ୍ୟବସ୍ଥା ରହିଛି । ଏଥି ପାଇଁ ସ୍ୱତନ୍ତ୍ର ବାବେ ଶ୍ରମ ବିଭାଗ ମଧ୍ୟ ରହିଛି । ଦାଦନ ଦଲାଲ୍ଙ୍କ ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଥିବା କାରଣରୁ ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉନାହିଁ । ଶାସକ ବିଜେଡିର ବହୁ ନେତାମାନେ ଦଲାଲ୍ଙ୍କୁ ସୁରକ୍ଷା ଯୋଗାଇ ଦେଉଥିବାରୁ ଦାଦନ ଶ୍ରମିକ ଓ ତାଙ୍କ ପରିବାର ଆଜି ଦୁର୍ଦ୍ଦିନରେ ବାସ କରୁଛନ୍ତି । ଅନ୍ୟ ପଟେ ଶାସକ ବିଜେଡିର ବିଧାୟକ ଓ ନେତାମାନେ ରାଜ୍ୟରେ ଦାଦନ ସମସ୍ୟା ନଥିବାର ବାହାସ୍ପୋଟ ମାରୁଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ଓଡ଼ିଶାରେ ମାତ୍ରାଧିକ ବେକାରୀ ରହିଛନ୍ତି କିନ୍ତୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେଉନାହାନ୍ତି ଫଳରେ ଓଡ଼ିଶାର ଯୁବକ ଯୁବତୀ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ।

ରାଜ୍ୟରେ ୮୯୮୭୧୭ ପିଲା ଚାକିରୀ ପାଇଁ ନାମ ପଞ୍ଜୀକରଣ କରିଥିବାର ଗତ ବିଧାନସଭା ଅଧିବେସନରେ ରାଜ୍ୟ ସରକାର ଉତର ରଖିଛନ୍ତି । ଓଡ଼ିଶାରେ ୧,୯୬,୦୦୦ସ୍ନାତକ, ୧୫,୩୩୫ ସ୍ନାତକୋତର ଡିଗ୍ରୀ, ୭୨,୫୧୬ଜଣ ତାଲିମପ୍ରାପ୍ତ, ୩୨,୬୨୮ଡିପ୍ଲୋମା, ୩୨,୨୧୩ଜଣ ଆଇଟିଆଇରେ ଉତୀର୍ଣ୍ଣ ହୋଇ ଚାକିରୀ ଖୋଜୁଛନ୍ତି । ୧୬,୭୦୦ଜଣ ଦଶମ ପାସ୍ ନକରିଥିବା ୧,୭୨,୫୩୪ ପାସ୍ କରିଛନ୍ତି । ବେକାର ଯୁବପିଢ଼ିଙ୍କ ମଧ୍ୟରେ ୩,୧୩,୦୫୧ ଇଂଟରମେଡିଏଟ ଏବଂ ଅନ୍ୟ ୪୭,୭୪୦ଜଣ ବିଭିନ୍ନ ଯୋଗ୍ୟତା ହାସଲ କରିଛନ୍ତି । ୧୨,୫୩୨ ଇଞ୍ଜିନିୟରିଂ ଗ୍ରାଜୁଏଟ ଏବଂ ୪,୧୪୭ପୋଷ୍ଟ ଗ୍ରାଜୁଏଟ୍ ଇଞ୍ଜିନିୟରିଂ ପାସ୍ କରିଛନ୍ତି । ୮୦୧ମେଡିକାଲ ଗ୍ରାଜୁଏଟ୍ ଏବଂ ୨୯ପୋଷ୍ଟ ଗ୍ରାଜୁଏଟ୍ ନିଯୁକ୍ତି ଅପେକ୍ଷାରେ ଅଛନ୍ତି । କେଉଁ ରାଜ୍ୟରେ କେତେ ଓଡିଆ ଦାଦନ ଖଟୁଛନ୍ତି, ତାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ ରାଜ୍ୟ ସରକାର ବୋଲି ଡ.ଲେଖାଶ୍ରି ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking