ବର୍ତମାନ ସୁଦ୍ଧା ବନ୍ୟା ପ୍ରପୀଡିତଙ୍କ ପାଖରେ ‘ରିଲିଫ୍’ ପହଂଚି ନପାରିବା ରାଜ୍ୟ ସରକାରଙ୍କ ବଡ ବିଫଳତା: ମନମୋହନ ସାମଲ
ତିହିଡି ବ୍ଲକର ବାରସର, ଗୋବିନ୍ଦପୁର ଓ ଘଟପୁର ପଂଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟାସ୍ଥିତି ସଂପର୍କରେ ସମୀକ୍ଷା କଲେ ରାଜ୍ୟ ସଭାପତି
ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଥିବା ସତ୍ୱେ ବନ୍ୟା ପ୍ରପୀଡିତଙ୍କୁ ରିଲିଫ ଯୋଗାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ପ୍ରଶାସନର ବନ୍ୟା ମୁକାବିଲା ନେଇ କୌଣସି ପ୍ରକାରର ପୂର୍ବ ପ୍ରସ୍ତୁତି ନଥିଲା
ଭୁବନେଶ୍ୱର / ଭଦ୍ରକ : ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ବିଶେଷ କରି ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିର ପ୍ରଭାବ ଅଧିକ ରହିଛି । ବର୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ସରକାର ବନ୍ୟା ପ୍ରପିଡୀତଙ୍କ ପାଖରେ ପହଂଚି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବନ୍ୟା ଜଳ ନିଷ୍କାଷନ ପାଇଁ ପ୍ରଶାସନର କୈାଣସି ବ୍ୟବସ୍ଥା ନାହିଁ । ବର୍ତମାନ ଜିଲ୍ଲାର ହଜାର ହଜାର ହେକ୍ଟର ଫସଲ ସଂପୂର୍ଣ୍ଣ ନଷ୍ଟ ହୋଯାଇଛି । ଜଳବନ୍ଦୀରେ ବହୁ ବହୁ ଲୋକ ଫସି ରହିଥିବାବେଳେ ପ୍ରଚୁର ପରିମାଣରେ ଚାଷ ଓ ପଶୁ ସଂପଦ ନଷ୍ଟ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବନ୍ୟାଂଚଳ ବୁଲି ସାରିବା ପରେ କହିଛନ୍ତି ।
ଶ୍ରୀ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ବାରସର ପଂଚାୟତର ବଙ୍ଗାଳୀଦପା, ତାଳଦପା, ନୁଅବନ୍ଧ ଓ ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର, କୁଆଁର ଚତା, ହଂସପାଟ ଗାଁ ଏବଂ ଘଟପୁର ପଂଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟାସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ।
ବନ୍ୟା ଘେରରେ ଥିବା ଜଳବନ୍ଦୀଙ୍କୁ ତୁରନ୍ତ ରିଲିଫ୍ ଯୋଗାଇ ଦିଆଯିବାର ନିୟମ ଥିବା ସତ୍ୱେ ବର୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ସରକାର ବନ୍ୟା ପ୍ରପିଡୀତଙ୍କ ପାଖରେ ରିଲିଫ୍ ପହଁଚାଇନାହାଁନ୍ତି । ସମୁଦ୍ରକୁ ଶଙ୍ଖେ ଭଳି କାଁ ଭାଁ ରିଲିଫ୍ ଲୋକଙ୍କୁ ମିଳିଛି । ଲୋକଙ୍କ ପାଖରେ ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ମହଜୁଦ୍ ନାହିଁ । ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ଏବଂ ଗୃହପାଳିତ ପଶୁମାନଙ୍କ ପାଖରେ ଗୋ-ଖାଦ୍ୟ ପହଂଚି ନାହିଁ । ବନ୍ୟା ପାଣି କାରଣରୁ ବହୁ ଘର ଦ୍ୱାର ଭାଙ୍ଗିଛି । ବନ୍ୟାଜଳ ନିଷ୍କାସନ ତୁରନ୍ତ ନହେଲେ ହଇଜା ବା ଅନ୍ୟାନ୍ୟ ରୋଗରେ ଲୋକେ ପୀଡିତ ହେବେ । ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଥିବା ସତ୍ୱେ ବନ୍ୟା ପ୍ରପୀଡିତଙ୍କୁ ରିଲିଫ ଯୋଗାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।
ବନ୍ୟା କାରଣରୁ ଯେଉଁ ରାସ୍ତାଘାଟ ନଷ୍ଟ ହୋଇଛି ତାକୁ ତୁରନ୍ତ ମରାମତି କରାଯାଉ । ସେହିପରି ବନ୍ୟାଜଳ କାରଣରୁ ନଷ୍ଟ ହୋଇଯାଇଥିବା ଫସଲ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୁରଣ ଦିଆଯିବା ସହିତ ନୂତନ ଫସଲ ପାଇଁ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଇ ଦିଅନ୍ତୁ୍ୁ ରାଜ୍ୟ ସରକାର । ପୂର୍ବରୁ ରାଜ୍ୟସରକାର ବନ୍ୟା ହେବା ନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ । ବନ୍ୟା ପୂର୍ବରୁ ନଦୀ ବନ୍ଧ ସୁରକ୍ଷିତ ଅଛି ବୋଲି ସରକାର ଲୋକଙ୍କୁ ଆଶ୍ୱସ୍ତ କରିଥିଲେ । ରାଜ୍ୟସରକାର କିମ୍ବା ଜିଲ୍ଲାପ୍ରଶାସନ ବନ୍ୟା ମୁକାବିଲା ନେଇ କୌଣସି ପ୍ରକାରର ପ୍ରସ୍ତୁତି ନଥିବାର ଏଥିରୁ ଏହା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।