*“ଫିର୍ ଏକବାର ମୋଦି ସରକାର, ଓଡିଶାରେ ବିଜେପି ସରକାର”
: ମନମୋହନ ସାମଲ*
ବିକାଶ ସହ ରାଷ୍ଟ୍ରୀୟତା, ଭାରତୀୟତା ଏବଂ ଦେଶଭକ୍ତିକୁ ଆଧାର କରି ଆସନ୍ତା ସାଧାରଣ ନିର୍ବାଚନ ଲଢିବ ବିଜେପି
୨୪ବର୍ଷରେ ବିଜେଡି ସରକାର ଯାହା କରିନି ୫ବର୍ଷରେ ବିଜେପି ତାହା କରି ଦେଖାଇବ
ବିଜେପି ଶାସନକୁ ଆସିଲେ ଚିଟ୍ଫଣ୍ଡରେ ରାଜ୍ୟର ଅଗଣିତ ଜନତା ହରାଇଥିବା ଟଙ୍କା ଫେରସ୍ତ ପାଇବେ
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପାଇଁ ରାଷ୍ଟ୍ରନୀତି ହେଉଛି ରାଜନୀତିଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ
ମୋଦିଜୀ ଓଡ଼ିଶାକୁ ଦେଇଥିବା ୧୮ଲକ୍ଷ ୮୩ହଜାର କୋଟି ଟଙ୍କାର ହିସାବ ଏଯାଏଁ ରାଜ୍ୟ ସରକାର ଦେଇପାରୁନାହାନ୍ତି, ଯାହା ରାଜ୍ୟ ସରକାରଙ୍କ ଭ୍ରଷ୍ଟ ଶାସନକୁ ପ୍ରମାଣିତ କରିଛି
ରାଷ୍ଟ୍ରୀୟ ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ବିସ୍ତାରକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ଯୋଗ ଦେଇଥିଲେ
ଭୁବନେଶ୍ୱର/ ନୂଆଦିଲ୍ଲୀ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତୃତୀୟଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ । ଲୋକସଭା ନିର୍ବାଚନରେ ୪ଶହରୁ ଊର୍ଦ୍ଧ୍ୱ ଆସନ ଜିତି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ । ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଦଳର କାର୍ଯ୍ୟକର୍ତାଙ୍କୁ ଅଶେଷ ଶକ୍ତି ପ୍ରଦାନ କରିଛି । ଦଳକୁ ଜିତାଇ ମୋଦିଜୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ ଆସନରେ ଅଳଙ୍କୃତ କରିବାକୁ ଅଧିବେଶନରେ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେଇଛନ୍ତି ଏବଂ ତାକୁ ତୃଣମୂଳ ଓ ବୁଥ୍ସ୍ତର ପର୍ଯ୍ୟନ୍ତ ନେବେ ବୋଲି ନିଷ୍ପତି ନେଇଛନ୍ତି । ଓଡିଶାରେ ମଧ୍ୟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ବିଜେପି ସରକାର ଗଢ଼ିବ । ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଓଡ଼ିଶାର ରାଜନୈତିକ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ସମ୍ପୂର୍ଣ୍ଣ ରଣନୀତି ନେଇ ଆଲୋଚନା ହୋଇଛି । ନବୀନ ବାବୁଙ୍କ ଭ୍ରଷ୍ଟାଚାର ଶାସନକୁ ଆସନ୍ତା ନିର୍ବାଚନରେ ସମୁଳେ ଧ୍ୱଂସ କରି “ଡବଲ ଇଞ୍ଜିନ ସରକାର” ଗଠନ କରିବେ ଓଡ଼ିଶାବାସୀ । ରାଜ୍ୟରେ ୨୪ବର୍ଷରେ ନବୀନ ଯାହା କରିନାହାନ୍ତି ଶାସନକୁ ଆସିଲେ ୫ବର୍ଷରେ ବିଜେପି ତାହା କରିଦେଖାଇବ ବୋଲି ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଅଧିବେଶନର ଉଦ୍ଯାପନ ପରେ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
ଦୁଇ ଦିନିଆ ଅଧିବେଶନରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାଦିଜୀ ୨୦୪୭ ମସିହା ସୁଦ୍ଧା ପୂରା ଭାରତ ବର୍ଷକୁ ସମ୍ପୂର୍ଣ୍ଣ ବିକଶିତ କରିବେ ବୋଲି ଯେଉଁ ବିଶ୍ୱାସ ଦେଇଛନ୍ତି ତାହାକୁ ଦଳର ସମସ୍ତ କାର୍ଯ୍ୟକର୍ତା ନିଷ୍ଠାର ସହିତ ଆଗକୁ ନେବେ । ଓଡ଼ିଶାକୁ ପ୍ରତିକ୍ଷେତ୍ରରେ ବିକଶିତ କରିବାକୁ ବିଜେପି ସଂକଳ୍ପବଦ୍ଧ । ୧୦ବର୍ଷ ହେଲା ମୋଦିଜୀଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଦେଶରେ ଦାରିଦ୍ର୍ୟହାର ବହୁ ପରିମାଣରେ କମିଛି ଏବଂ ୨୫କୋଟି ଗରିବ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ଭାରତବର୍ଷ ଅର୍ଥନୈତିକ ଶକ୍ତିରେ ବିଶ୍ୱରେ ପଂଚମ ସ୍ଥାନକୁ ଉନ୍ନିତ ହୋଇପାରିଛି । ଯାହା ସାରା ବିଶ୍ୱରେ ଏକ ଚର୍ଚ୍ଚିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପାଇଁ ରାଷ୍ଟ୍ରନୀତି ହେଉଛି ରାଜନୀତିଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ । ସବୁରି କ୍ଷେତ୍ରରେ ଦେଶକୁ ଚରମ ଶିଖରରେ ପହଂଚାଇବା ପାଇଁ ମୋଦିଜୀ ନିଷ୍ଠାର ସହ ପ୍ରୟାସରତ ଅଛନ୍ତି । ତାଙ୍କ ଏହି ଅଭିପ୍ସାକୁ ଦଳର ପ୍ରତିଟି ନେତା ଏବଂ କାର୍ଯ୍ୟକର୍ତା ନିଶ୍ଚିତ ପୂରଣ କରି ଦେଖାଇବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏଥର ବିଜେପି ବିକାଶ ସହ ରାଷ୍ଟ୍ରୀୟତା, ଭାରତୀୟତା ଏବଂ ଦେଶଭକ୍ତିକୁ ଆଧାର କରି ଆସନ୍ତା ସାଧାରଣ ନିର୍ବାଚନ ଲଢିବ । ଯେଉଁ ବିରୋଧୀ ବା ବିପକ୍ଷ ଦେଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ବା ବିଦେଶୀ ନିର୍ଦ୍ଦେଶନାମାରେ ଚାଲିଛନ୍ତି ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ । ଏଥର ନିର୍ବାଚନରେ ଦଳର ସ୍ଳୋଗାନ “ଫିର୍ ଏକବାର ମୋଦି ସରକାର, ଓଡିଶାରେ ବିଜେପି ସରକାର” ରହିବ । ଓଡ଼ିଶାରେ ବିଜେପି ବହୁମତରେ ସରକାର ଗଠନ କରୁ ବୋଲି ରାଜ୍ୟର ସାଧାରଣ ଜନତା ଚାହୁଛନ୍ତି । ତେଣୁ ଗଣତନ୍ତ୍ରରେ ଲୋକେ ଯାହା ଚାହୁଁଛନ୍ତି ତାକୁ ଆମ ଦଳ ସମ୍ମାନ ଦେବ । ଭ୍ରଷ୍ଟ ତଥା ଦୁର୍ନୀତିପୂର୍ଣ୍ଣ ଶାସନ ସମାପ୍ତ ହେଉ ବୋଲି ସମସ୍ତେ ଚାହାନ୍ତି । ମୋଦିଜୀ ଓଡ଼ିଶାକୁ ଦେଇଥିବା ୧୮ଲକ୍ଷ ୮୩ହଜାର କୋଟି ଟଙ୍କାର ହିସାବ ଏଯାଏଁ ରାଜ୍ୟ ସରକାର ଦେଇପାରୁନାହାନ୍ତି । ଯାହା ରାଜ୍ୟ ସରକାରଙ୍କ ଭ୍ରଷ୍ଟ ଶାସନକୁ ପ୍ରମାଣିତ କରିଛି । ଏହି ଟଙ୍କା ଯଦି ଖର୍ଚ୍ଚ ହୋଇଥାନ୍ତା ତାହାଲେ ଓଡ଼ିଶାର ଚିତ୍ର ଆଜି ବଦଳି ଯାଇଥାନ୍ତା । ତେଣୁ ଏପରି ନିକମା ସରକାରକୁ ହଟାଇ ମୋଦିଙ୍କ ଅର୍ଥକୁ ଲୋକଙ୍କ ପାଖରେ ପହଂଚାଇବା ହେବ ବିଜେପିର ପ୍ରାଥମିକତା । ବିଜେପି ସରକାରକୁ ଆସିଲେ ରାଜ୍ୟର ଅଗଣିତ ଗରିବ ଜନତା ଯେଉଁ ୪୦ଲକ୍ଷ ଟଙ୍କା ଚିଟ୍ଫଣ୍ଡରେ ହରାଇଥିଲେ ତାହାକୁ ଦଳ ଫେରସ୍ତ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ରାଷ୍ଟ୍ରୀୟ ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ବିସ୍ତାରକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ଯୋଗ ଦେଇଥିଲେ ।