25.1 C
Bhubaneswar
Thursday, July 4, 2024
Homeଓଡିଶାନିଜ ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ କଂଗ୍ରେସ : ମନମୋହନ ସାମଲ

ନିଜ ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ କଂଗ୍ରେସ : ମନମୋହନ ସାମଲ

 ହିନ୍ଦୁ କେବଳ ଏକ ଧର୍ମ ନୁହେଁ ଏହା ବିଚାରଧାରା ଓ ଜୀବନଧାରା

 କଂଗ୍ରେସ ହାରିବା ପରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଛି
 ଏକଛତ୍ରବାଦୀ, ଲୋକଙ୍କୁ ତୁଚ୍ଛ ମଣୁଥିବା ଓ ପରିବାର ବାଦକୁ ଉତ୍ସାହିତ କରିବା ବନ୍ଦ କରନ୍ତୁ ରାହୁଲ ଗାନ୍ଧୀ
 କ୍ଷମତା ଲୋଭରେ ଅନ୍ଧ ହୋଇ କଂଗ୍ରେସ ବିଗତ ଦିନରେ କ’ଣ କରିଛି ତାହା ଦେଶ ଦେଖିଛି
 କଂଗ୍ରେସ ଦେଶର ଅସ୍ମିତା, ଅଖଣ୍ଡତା, ସଂସ୍କୃତି, ପରମ୍ପରାକୁ ବୁଝିପାରିନାହିଁ
 ରାହୁଲ ଗାନ୍ଧୀ ଭୋଟ ବ୍ୟାଙ୍କ ରାଜନୀତି ଛାଡ଼ନ୍ତୁ
 ଭାରତର ଆତ୍ମାକୁ ବୁଝି ପାରିନାହିଁ କଂଗ୍ରେସ
 ରାହୁଲ ଗାନ୍ଧୀଙ୍କଠାରୁ ସମ୍ମାନ ଓ ଗରିମା ଆଶା ରଖିବା ବୃଥା

ଭୁବନେଶ୍ୱର : ଲୋକସଭାରେ ରାହୁଲ ଗାନ୍ଧୀ ଯେଉଁ ଭଳି ମନ୍ତବ୍ୟ ଦେଇଛନ୍ତି ତାହା ହିନ୍ଦୁମାନଙ୍କ ପ୍ରତି ଘୋର ଅପମାନ । ସେ ହିନ୍ଦୁମାନଙ୍କୁ ହିଂସ୍ର, ମିଥ୍ୟାବାଦୀ ଓ ଆତଙ୍କବାଦୀ କହିବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ଓଡ଼ିଶାରେ ବିଜେପି ନିନ୍ଦା କରୁଛି । ହିନ୍ଦୁମାନଙ୍କ ସ୍ୱାଭିମାନ ଓ ଆତ୍ମସମ୍ମାନକୁ ଯେଉଁମାନେ ଆଘାତ ଦେଇଛନ୍ତି ସେମାନେ କେହି ରହିନାହାନ୍ତି । ଭାରତ ଗଣତନ୍ତ୍ରରେ ସବୁଠୁ ବଡ ପଂଚାୟତ ଲୋକସଭାର ଗରିମାକୁ ନଷ୍ଟ କରିବାର ଅଧିକାର କୌଣସି ବ୍ୟକ୍ତି କିମ୍ବା ଉଚ୍ଚପଦସ୍ଥ ଅଧିକାରୀଙ୍କର ନାହିଁ । ଏକ ଦାୟିତ୍ୱବାନ ରାଜନୈତିକ ଦଳଭାବେ ବିଜେପି ଦେଶବାସୀଙ୍କୁ ଏ ବିଷୟରେ ଅବଗତ କରାଇବା ପାଇଁ ନିଷ୍ପତି ନେଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ହିନ୍ଦୁ ଶବ୍ଦର ସୁପ୍ରିମକୋର୍ଟ ବହୁବାର ସ୍ପଷ୍ଟ ବ୍ୟାଖ୍ୟା କରିଛନ୍ତି । ହିନ୍ଦୁ କେବଳ ଏକ ଧର୍ମ ନୁହେଁ ଏହା ବିଚାରଧାରା ଓ ଜୀବନଧାରା । ଅନ୍ୟ ଦେଶମାନଙ୍କରେ ଭାରତକୁ “ହିନ୍ଦୁସ୍ଥାନ”ର ଆଖ୍ୟା ଦିଆଯାଇଛି । ବିବେକାନନ୍ଦ, ଅରବିନ୍ଦ ଘୋଷ, ନେତାଜୀ ସୁବାଷଚନ୍ଦ୍ର ବୋଷ ବିଜେପିରେ ନ ଥାଇ ମଧ୍ୟ ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଛନ୍ତି । ଯୁଗ ଯୁଗରୁ ଯେଉଁମାନେ ଆମ ପାଇଁ ଲଢ଼ିଛନ୍ତି ସେମାନେ ହିନ୍ଦୁସ୍ଥାନ ପାଇଁ ଲଢ଼ୁଥିଲେ । ହିନ୍ଦୁମାନେ ଯଦି ହିଂସ୍ର ତା’ହାଲେ ରାହୁଲ ଗାନ୍ଧୀ ସେଥିରୁ ଅଲଗା କେମିତି? ସେ ନିଜକୁ କାଶ୍ମିରୀ ବ୍ରାହ୍ମଣ ଓ ଦତାତ୍ରେୟ ଗୋତ୍ର ବୋଲି କହୁଥିଲେ କେମିତି? ହିନ୍ଦୁତ୍ୱ ପାଇଁ ଆଜି ଦେଶରେ ଗଣତାନ୍ତ୍ରିକ, ରାଜନୈତିକ ବ୍ୟବସ୍ଥା ଅଛି । ଅନେକ ଦେଶରେ ଏହି ବ୍ୟବସ୍ଥା ନାହିଁ, ସେଠାରେ ଲୋକଙ୍କୁ କଥା କହିବାର ସୁଯୋଗ ଦିଆଯାଏ ନାହିଁ । ଭାରତରେ ଗଣତାନ୍ତ୍ରିକ ଓ ରାଜନୈତିକ ବ୍ୟବସ୍ଥା ଅଛି ବୋଲି ରାହୁଲ ଗାନ୍ଧୀ ଲୋକସଭାରେ ଏଭଳି ହୀନ ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ତାଙ୍କର ଏଭଳି ମନ୍ତବ୍ୟ ୧୪୦କୋଟି ଜନତାଙ୍କ ହୃଦୟଙ୍କୁ କଠୋର ଆଘାତ ଦେଇଛି ।
କଂଗ୍ରେସ ଭାରତକୁ ୫୬ ବର୍ଷ ଧରି ଶାସନ କରିଛି । ବିରୋଧୀ ଦଳରେ ବସିବାର ଅଭ୍ୟାସ ତାର ନାହିଁ, ଏନେଇ ସେମାନେ ଅଣନିଶ୍ୱାସ ହୋଇଯାଉଛନ୍ତି । କଂଗ୍ରେସ ହାରିବା ପରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଛି । ବିଶେଷ କରି କଂଗ୍ରେସର ନେତା ରାହୁଲ ଗାନ୍ଧୀ କେତେବେଳେ କ’ଣ କହୁଛନ୍ତି ତାହା ବୁଝିପାରୁନାହାନ୍ତି । ଏପରିକି କ’ଣ କହିବାକୁ ହେବ ତାହା ମଧ୍ୟ ତାଙ୍କୁ ଜଣାନାହିଁ । ବିରୋଧୀ ଦଳ ନେତା ହେବା ସତ୍ୱେ ସମ୍ବିଧାନ ଓ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଉନାହାନ୍ତି । ତାଙ୍କ ପାଖରୁ ସମ୍ମାନ ଓ ଗରିମାର ଆଶା ରଖିବା ବୃଥା । କାରଣ ର୍ପୂବରୁ ମଧ୍ୟ ତାଙ୍କ ଦଳ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରକୁ କାଗଜ ଛିଣ୍ଡାଇ ଫୋପାଡିଛନ୍ତି । କ୍ଷମତା ଲୋଭରେ ଏହି ଦଳ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଲକ୍ଷଲକ୍ଷ ଲୋକଙ୍କୁ ଜେଲ୍‌ରେ ଭର୍ତି କରିଥିଲା । ଏହା କଂଗ୍ରେସ ସଂସ୍କୃତି ହୋଇପାରେ । କିନ୍ତୁ ଅନ୍ୟାୟ ଓ ଅତ୍ୟାଚାର କରିବା ଭାରତର ସଂସ୍କୃତି ନୁହେଁ । କଂଗ୍ରେସ ଦଳ କ୍ଷମତା ପାଇଁ ଦେଶକୁ ତୁଚ୍ଛ କରିପାରେ କିନ୍ତୁ ବିଜେପି ପାଇଁ ଦେଶ ଓ ସମାଜ ବଡ଼ ତା’ପରେ ଦଳ । ୧୯୮୪ ମସିହାରେ ନିରୀହ ଶିଖ୍‌ମାନଙ୍କୁ କଂଗ୍ରେସ ଅମାନୁଷିକ ଭାବେ ନରସଂହାର କରିଥିଲା । ଏଭଳି ଅଧିକାର କଂଗ୍ରେସକୁ କିଏ ଦେଇଥିଲା? କଂଗ୍ରେସର ଏଭଳି ହୀନକାମ ପାଇଁ ଏପର୍ଯ୍ୟନ୍ତ ଶିଖ୍‌ମାନଙ୍କ ଆଖିରୁ ଲୁହ ସୁଖୁନାହିଁ । କଂଗ୍ରେସ ଦେଶରେ କିଭଳି ଆତଙ୍କ ଓ ଗୁଣ୍ଡାଗର୍ଦ୍ଦି କରିଛି ତାହା ଦେଶବାସୀ ଦେଖିଛନ୍ତି, କିନ୍ତୁ ସେ ହିନ୍ଦୁଙ୍କୁ କିଭଳି ଦୋଷ ଦେଉଛନ୍ତି? କ୍ଷମତା ଲୋଭରେ ଅନ୍ଧ ହୋଇ କଂଗ୍ରେସ ବିଗତଦିନରେ କ’ଣ କରିଛି ତାହା ସମସ୍ତଙ୍କୁ ଜଣା । ରାହୁଲ ଗାନ୍ଧୀ ଚିନ୍ ଓ ପାକିସ୍ତାନକୁ ପ୍ରଶଂସା କରନ୍ତି । ଏନେଇ ତାଙ୍କୁ ଯେତେ ନିନ୍ଦା କଲେ ବି କମ୍ ହେବ । ଏପର୍ଯ୍ୟନ୍ତ ତାଙ୍କ ଦଳ କଂଗ୍ରେସ ଭାରତର ଜନମାନସକୁ ଜାଣିପାରି ନାହିଁ କି ବୁଝିପାରିନାହିଁ । ଏଥିପାଇଁ ଏହି ଦଳ ଲୋକସଭାରେ ୪୨୫ରୁ ବହୁ ତଳକୁ ଖସିଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏଭଳି ଆତଙ୍କରାଜ ପାଇଁ ଓଡ଼ିଶାରେ କଂଗ୍ରେସ ଲୁପ୍ତ ହୋଇଯାଇଛି । ଏହି ଦଳ ଓଡ଼ିଶାର ଅସ୍ମିତା, ଅଖଣ୍ଡତା, ସଂସ୍କୃତି, ପରମ୍ପରାକୁ ବୁଝିପାରିନାହିଁ । ଏବେ କଂଗ୍ରେସର ଆତ୍ମସମୀକ୍ଷା କରିବାର ବେଳ ଆସିଛି । ଏହି ଦଳ ନିଜର ଆଚରଣ, ଉଚ୍ଚାରଣ ଓ ବ୍ୟବହାର ପରିବର୍ତନ କରିବା ଉଚିତ୍ । ଏକଛତ୍ରବାଦୀ ମନୋଭାବ, ଲୋକଙ୍କୁ ତୁଚ୍ଛ ମନେ କରିବା ଓ ପରିବାର ବାଦକୁ ଉତ୍ସାହିତ କରିବା ଭଳି କାର୍ଯ୍ୟ ଆଉ ଦେଶରେ ଚଳିବ ନାହିଁ । କଂଗ୍ରେସ ନିଜର ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ । ବରିଷ୍ଠ ନେତାମାନେ ରାହୁଲ ଗାନ୍ଧୀଙ୍କୁ ବୁଝାନ୍ତୁ । ଭାରତୀୟ ଜନତା ପାର୍ଟି ଦେଶ ପାଇଁ ଲଢ଼େଇ ଜାରି ରଖିଛି । ବିଜେପି “କସଟି ପଥର”ରେ ନିର୍ମାଣ ହୋଇଛି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ପ୍ରଧାମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଦେଶ ବଡ । ଦେଶ ରହିଲେ ଆମେ ରହିବା । ରାହୁଲ ଗାନ୍ଧୀ ମଧ୍ୟ ଭୋଟ ବ୍ୟାଙ୍କ ରାଜନୀତି ଛାଡନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking