31.9 C
Bhubaneswar
Wednesday, June 10, 2026
Homeଓଡିଶାଶଙ୍ଖ ଭବନରେ ବିଜେଡିର ବ୍ୟାପକ ସାଙ୍ଗଠନିକ ସମୀକ୍ଷା ବୈଠକ

ଶଙ୍ଖ ଭବନରେ ବିଜେଡିର ବ୍ୟାପକ ସାଙ୍ଗଠନିକ ସମୀକ୍ଷା ବୈଠକ

ତୃଣମୂଳ ସ୍ତରରେ ଜନସମ୍ପର୍କକୁ ସୁଦୃଢ଼ କରିବା ଓ ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦେବାକୁ ନବୀନ ପଟ୍ଟନାୟକଙ୍କ ଆହ୍ୱାନ
ଭୋଟର ତାଲିକା ସଂଶୋଧନ ଓ ଗଣତାନ୍ତ୍ରିକ ଅଂଶଗ୍ରହଣ ଉପରେ ବିଜେଡିର ଗୁରୁତ୍ୱାରୋପ
କୃଷକ କଲ୍ୟାଣ, ମିଶନ ଶକ୍ତି ଓ ନିଯୁକ୍ତି ସମସ୍ୟା ଉପରେ ଆଲୋକପାତ
ଶାସନ, ଆଇନଶୃଙ୍ଖଳା ଓ ଜନକଲ୍ୟାଣ ସମ୍ପର୍କିତ ପ୍ରସଙ୍ଗ ଉଠାଇଲେ ନେତୃବୃନ୍ଦ

ଭୁବନେଶ୍ୱର:  ବିଜୁ ଜନତା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସମୀକ୍ଷା ବୈଠକ ଆଜି ଶଙ୍ଖ ଭବନରେ ବିଜେଡି ସଭାପତି ଓ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାୟ ୯୦ ଜଣ ନେତା ଏହି ବୈଠକରେ ଯୋଗଦେଇଥିଲେ । ବୈଠକକୁ ବିଜେଡି ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ । ଦଳର ସାଙ୍ଗଠନିକ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ଭବିଷ୍ୟତର ଜନସମ୍ପର୍କ ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଲକ୍ଷ୍ୟରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୭୦ରୁ ଅଧିକ ନିର୍ବାଚନମଣ୍ଡଳୀ ସ୍ତରୀୟ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ବିଜେଡିର ୨୪ ବର୍ଷର ଶାସନ କାଳରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ଓ ଗୌରବମୟ ପରିଚୟ ସୃଷ୍ଟି କରିଥିଲା । ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ଜଳସେଚନ, ଭିତ୍ତିଭୂମି ବିକାଶ ଓ କୃଷକ, ମହିଳା ଏବଂ ଗରିବଙ୍କ କଲ୍ୟାଣ ପାଇଁ ଅନେକ ପ୍ରଶଂସନୀୟ କାର୍ଯ୍ୟକ୍ରମ ସରକାର କାର୍ଯ୍ୟକାରୀ କରିଥିଲା ।ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନ ଆଗକୁ ଆସୁଛି । ତେଣୁ ଦଳୀୟ ନେତା ଓ କର୍ମୀମାନଙ୍କୁ ସେ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ସେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଜନସମ୍ପର୍କକୁ ଅଧିକ ଗୁରୁତ୍ୱ ଦେବାକୁ ମଧ୍ୟ କହିଥିଲେ ।

ରାଜ୍ୟରେ ଚାଲିଥିବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ (ଏସ୍ଆଇଆର) ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ରାଜ୍ୟରେ ସମାନ ପ୍ରକ୍ରିୟା ସମୟରେ ଘଟିଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ଦଳକୁ ସଜାଗ ଓ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ । କୌଣସି ଟାଇପିଂ କିମ୍ୱା ପ୍ରକ୍ରିୟାଗତ ତ୍ରୁଟି ଯୋଗୁଁ ଯେପରି ଜଣେ ବି ଯୋଗ୍ୟ ଭୋଟରଙ୍କ ନାମ ବାଦ ନ ପଡ଼େ, ତାହା ସୁନିଶ୍ଚିତ କରିବାକୁ ସେ ନେତାମାନଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସରକାରଙ୍କ ବିଫଳତା ବିରୋଧରେ, ବିଶେଷ କରି ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେପିର କଥିତ ପ୍ରତାରଣାମୂଳକ ଆଚରଣ ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ପରିଚାଳିତ “ନାରୀ ଅଧିକାର ଅଭିଯାନ”ର ବ୍ୟାପକ ସଫଳତା ଜନମତରେ ପରିବର୍ତ୍ତନର ସୂଚନା ଦେଉଛି । ସେ ଏହି ଅଭିଯାନର ସଫଳତା ପାଇଁ ଦଳୀୟ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ପ୍ରବଳ ଖରା ସତ୍ତ୍ୱେ ବହୁ ସଂଖ୍ୟାରେ ବାହାରି ଅଂଶଗ୍ରହଣ କରିଥିବା ମାଆ ଓ ମହିଳାମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅଭିଯାନ ରାଜ୍ୟର ସମସ୍ତ ୧୨୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସଫଳତାର ସହ ସମ୍ପନ୍ନ ହୋଇଛି ।

ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକକୁ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ । ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ନେତାମାନେ ବିଭିନ୍ନ ପ୍ରସଙ୍ଗ ଓ ଚ୍ୟାଲେଞ୍ଜ ଉପରେ ନିଜର ମତାମତ ରଖିଥିଲେ । ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମ, ପୂର୍ବତନ ବିଜେଡି ସରକାରଙ୍କ ସଫଳତା ଓ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ (ଏସ୍ଆଇଆର) ସମ୍ପର୍କରେ ଉପସ୍ଥାପନା ମଧ୍ୟ କରାଯାଇଥିଲା । ବୈଠକ ପରେ ଗଣମାଧ୍ୟମକୁ ସମ୍ୱୋଧିତ କରି ବିଜେଡି ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଦଳର ପ୍ରମୁଖ ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା । ବ୍ଲକ ଓ ସହରାଞ୍ଚଳ, ପଞ୍ଚାୟତ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା, ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବା ଏବଂ ସମଗ୍ର ଓଡ଼ିଶାରେ ସାଙ୍ଗଠନିକ କାର୍ଯ୍ୟକ୍ଷମତାକୁ ଆହୁରି ବୃଦ୍ଧି କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିବା ସେ ସୂଚନା ଦେଇଥିଲେ । ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀର ନେତାମାନଙ୍କୁ ସିଧାସଳଖ ଭାବେ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ନିଜର ମତାମତ ଓ ମତାମର୍ଶ ଉପସ୍ଥାପନ କରିବାର ସୁଯୋଗ ଦିଆଯାଇଥିଲା । ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ନେତାଙ୍କ ସହ ଆଲୋଚନା କରି ସାଙ୍ଗଠନିକ ସୁଦୃଢ଼ୀକରଣ ଓ ଜନସମସ୍ୟା ସମ୍ପର୍କରେ ସେମାନଙ୍କର ପରାମର୍ଶ ଓ ପର୍ଯ୍ୟବେକ୍ଷଣକୁ ଗୁରୁତ୍ୱର ସହ ଶୁଣିଥିଲେ ।

ଶ୍ରୀ ମିଶ୍ରଙ୍କ ଆହୁରି ମଧ୍ୟ କହିଥିଲେ, ଅନେକ ନେତା ଜନସାଧାରଣ ସମ୍ମୁଖୀନ ହୋଇଥିବା ବହୁ ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ । ସେଥିରେ କ୍ଷୁଦ୍ର ଖଣିଜ ସମ୍ପଦର କଥିତ ବ୍ୟାପକ ଲୁଟ ଓ ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତିର ଅବନତି, ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, କୃଷକମାନଙ୍କ ସମସ୍ୟା, ଯୁବକମାନଙ୍କ ବେକାରୀ ଏବଂ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତାରେ ଥିବା ତ୍ରୁଟି ଆଦି ଅନ୍ତର୍ଭୁକ୍ତ ଥିଲା । ପ୍ରାୟ ଦୁଇ ବର୍ଷ ଶାସନରେ ରହିବା ପରେ ମଧ୍ୟ ବର୍ତ୍ତମାନର ସରକାର ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ମିଳିଥିବା ମତାମତରୁ ସରକାରଙ୍କ କାର୍ଯ୍ୟପ୍ରଣାଳୀ ପ୍ରତି ଜନସାଧାରଣଙ୍କ ବଢ଼ୁଥିବା ଅସନ୍ତୋଷ ପ୍ରତିଫଳିତ ହେଉଛି ।

ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ଜନହିତ ଦୃଷ୍ଟିରୁ ତୁରନ୍ତ ଧ୍ୟାନ ଓ ନିରନ୍ତର ହସ୍ତକ୍ଷେପ ଆବଶ୍ୟକ ଥିବା ଛଅଟି ପ୍ରମୁଖ ପ୍ରସଙ୍ଗକୁ ବୈଠକରେ ଚିହ୍ନଟ କରାଯାଇଥିଲା । ଏହି ପ୍ରସଙ୍ଗଗୁଡ଼ିକ ହେଲା କୃଷକ କଲ୍ୟାଣ, ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ, ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ, ଦୁର୍ବଳ ବର୍ଗଙ୍କ ପାଇଁ ସାମାଜିକ ସୁରକ୍ଷା, ଜନସେବାର ପ୍ରଭାବଶାଳୀ ପ୍ରଦାନ ଏବଂ ଓଡ଼ିଶାର ବିକାଶମୂଳକ ସ୍ୱାର୍ଥର ସୁରକ୍ଷା । ରାଜ୍ୟର କୃଷକମାନଙ୍କ ସ୍ଥିତି ନେଇ ଗଭୀର ଚିନ୍ତା ପ୍ରକାଶ କରି ବୈଠକରେ କୁହାଯାଇଥିଲା ଯେ ବହୁ ସଂଖ୍ୟକ ଚାଷୀ ଏବେ ମଧ୍ୟ ଅନିଶ୍ଚିତତା ଓ ଆର୍ଥିକ ସଙ୍କଟ ମଧ୍ୟରେ ରହିଛନ୍ତି । ନେତାମାନେ କହିଥିଲେ ଯେ ବାରମ୍ୱାର ଆଶ୍ୱାସନ ସତ୍ତ୍ୱେ ଅନେକ କୃଷକ ଅବହେଳିତ ମନେ କରୁଛନ୍ତି ଏବଂ କୃଷି ସହାୟତା, ଧାନ କ୍ରୟ, ଜଳସେଚନ ଓ ଜୀବିକା ସୁରକ୍ଷା ସମ୍ପର୍କିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦଳ ବିଧାନସଭା ଭିତରେ ଓ ବାହାରେ କୃଷକଙ୍କ ସମସ୍ୟା ଉଠାଇବା ଜାରି ରଖିବାକୁ ସଂକଳ୍ପ ନେଇଥିଲା ।

ଏହି ଅବସରରେ ବିଜେଡି ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ଗତ ଦୁଇ ବର୍ଷ ଧରି ସାଧାରଣ ଲୋକମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ସମ୍ପର୍କରେ ନିର୍ବାଚନମଣ୍ଡଳୀର ନେତାମାନେ ଦଳୀୟ ନେତୃତ୍ୱକୁ ଅବଗତ କରାଇଥିଲେ । ଜୀବିକା, ଦରଦାମ ବୃଦ୍ଧି, ବେକାରୀ, ଜନସେବା ଏବଂ ଶାସନ ସମ୍ପର୍କିତ ପ୍ରସଙ୍ଗ ବିଭିନ୍ନ ଅଞ୍ଚଳର ନେତାମାନଙ୍କ ଦ୍ୱାରା ବାରମ୍ୱାର ଉଠାଯାଇଥିଲା । ବୈଠକରେ ମିଳିଥିବା ମତାମତ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ଓ ସମସ୍ୟାକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରୁଛି ଏବଂ ବିଜୁ ଜନତା ଦଳକୁ ବିଧାନସଭା ଭିତରେ ଓ ବାହାରେ ଲୋକଙ୍କ ପ୍ରସଙ୍ଗ ଉଠାଇବା ଜାରି ରଖିବାର ଆବଶ୍ୟକତାକୁ ଆହୁରି ସୁଦୃଢ଼ କରୁଛି । ନେତୃବୃନ୍ଦ ପୁନର୍ବାର ଦୋହରାଇଥିଲେ ଯେ ବିଜେଡି ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ଏବଂ ଲୋକଙ୍କ ସମସ୍ୟାର ପ୍ରଭାବଶାଳୀ ପ୍ରତିନିଧିତ୍ୱ ପାଇଁ ଏକ ଶକ୍ତିଶାଳୀ ଓ ଦାୟିତ୍ୱବାନ ବିରୋଧୀ ଦଳ ଭାବେ କାର୍ଯ୍ୟ କରିବା ଜାରି ରଖିବ । ଏହି ପ୍ରେସ୍ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking