19.1 C
Bhubaneswar
Monday, December 23, 2024
Homeରାଜନୀତିପୁଣି ବିଜେଡି-ବିଜେପି ଟ୍ୱିଟ୍ ୱାର୍‌

ପୁଣି ବିଜେଡି-ବିଜେପି ଟ୍ୱିଟ୍ ୱାର୍‌

ଭୁବନେଶ୍ୱର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବାଣପୁର କାଣ୍ଡପରେ ତାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ତେବେ ଭିନ୍ନ ଏକ ଗାଡ଼ି ନମ୍ବରକୁ ଏଫ୍‌ଆଇଆରରେ ଦର୍ଶାଇ ପୁଲିସ ବିଧାୟକଙ୍କୁ ଖସାଇବାକୁ ଚେଷ୍ଟା କରୁଛି ବୋଲି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଥିଲେ । ଯାହାର ଜବାବ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଟ୍ୱିଟ୍‌ରେ କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିଲେ । ଏହି ଘଟଣା ପରେ ଦୁଇ ଦଳ ବିଜେଡି ଏବଂ ବିଜେପିର ନେତା ପୁଣିଥରେ ଟ୍ୱିଟର ୱାର୍‌ରେ ମାତିଛନ୍ତି ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପ୍ରଣବଙ୍କ ଟ୍ୱିଟ୍‌ର ଜବାବ ଦେଇ ଲେଖିଛନ୍ତି, ଆମ ନେତା ଧର୍ମେନ୍ଦ୍ର ଭାଇ ଦିଲ୍ଲୀରେ ଥାଇ ଓଡ଼ିଶା ବାବଦରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ଏବଂ ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣି ମତ ରଖିଥାନ୍ତି । ହେଲେ ତୁମର ନେତା ନବୀନ ବାବୁ ଭୁବନେଶ୍ୱରରେ ରହି ସବୁ ଜାଣି ବି ମୁହଁ ନ ଖୋଲି ଦଳୀୟ ଲୋକଙ୍କୁ ସୁହାଇଲା ଭଳି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ଚାରି ଜଣଙ୍କ ହତ୍ୟା ହେଲା । ଏପର୍ଯ୍ୟନ୍ତ ପୋଲିସର ତଦନ୍ତ କେଉଁଠି ଅଛି, କେଉଁ ଅବସ୍ଥାରେ ଅଛି, କେବେ ତଦନ୍ତ ଶେଷ ହେବ, ତାହା ପ୍ରଶ୍ନବାଚୀ । ଏଥିରୁ ସାରା ଓଡ଼ିଶାର ଆଇଶୃଙ୍ଖଳା କ’ଣ ହେବ, ଏଥିରୁ ଅନୁମେୟ । ଓଡ଼ିଶାର ଲୋକ ହିଂସାକୁ ପ୍ରଶୟ ଦିଅନ୍ତି ନାହିଁ । ହେଲେ ତୁମ ଦଳର ନେତା ଓ ବିଧାୟକମାନଙ୍କ ଦ୍ୱାରା ପ୍ରାୟୋଜିତ ହିଂସାର ପରିଣାମ ଓଡ଼ିଶା ଆଜି ଭୋଗୁଛି, ଯାହା ତୁମେ ଭଲ ଭାବରେ ଜାଣିଛ । ପଶ୍ଚିମବଙ୍ଗରେ ସରକାର ହିଂସାକୁ ଯେଉଁଭଳି ଭାବରେ ପ୍ରଶୟ ଦେଉଛି, ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ଦେଖାଯାଉଛି । ତୁମେ ତୁମର ମୁଖିଆଙ୍କୁ ଭଲରେ ବୁଝାଇ ଓଡ଼ିଶାର ଜନସାଧାରଣ ଶାନ୍ତିରେ କେମିତି ରହିପାରିବେ ଓ ନ୍ୟାୟ ପାଇବେ, ତା’ ପାଇଁ ଚେଷ୍ଟା କଲେ ଭଲ ହୁଅନ୍ତା ବୋଲି ପୃଥ୍ୱୀରାଜ ପ୍ରଣବଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ।

ଅନ୍ୟଏକ ଟ୍ୱିଟ୍‌ରେ ବିଜେପି ନେତାଙ୍କୁ ଜବାବ ଦେଇ ବିଜେଡି ନେତ୍ରୀ ସୁଲତା ଦେଓ ଲେଖିଛନ୍ତି, ପୃଥ୍ୱୀରାଜ ଭାଇ, ଆପଣ ଲୋକଙ୍କ ପ୍ରସଙ୍ଗ କେବେ ଉଠାନ୍ତି ନାହିଁ କି ଲୋକଙ୍କ ସହିତ ମଧ୍ୟ ନାହାନ୍ତି । ଅପରାଧକୁ ନେଇ ଏଭଳି ରାଜନୀତିକରଣ ଓ ମିଥ୍ୟା ଅଭିଯୋଗ କରିବାରୁ ଆପଣଙ୍କୁ ଓଡ଼ିଶାବାସୀ ଜିଲ୍ଲା ପରିଷଦ ନିର୍ବାଚନରେ ପରାସ୍ତ କଲେ । ଏବେ ପୌର ନିର୍ବାଚନରେ ପରାସ୍ତ କରିବାକୁ ଯାଉଛନ୍ତି । ତଥାପି ଆପଣ ଶିଖୁ ନାହାନ୍ତି । ସେଥିପାଇଁ ଆପଣ ନିଜେ କର୍ପୋରେଟର, ବିଧାୟକ ଓ ସାଂସଦ ଆଦି ଯେକୌଣସି ନିର୍ବାଚନ ଲଢ଼ିଛନ୍ତି, ଆପଣ ପରାସ୍ତ ହୋଇଛନ୍ତି । ଅପରାଧକୁ ନେଇ ଆପଣ ଏମିତି ରାଜନୀତିକରଣ ଓ ମିଥ୍ୟା ଅଭିଯୋଗ କରିଚାଲିଲେ ଓଡ଼ିଶାବାସୀ ମଧ୍ୟ ଏମିତି ଆପଣଙ୍କୁ ପରାସ୍ତ କରୁଥିବେ । ସମୟ ଥାଉ ଥାଉ ଓଡିଶାବାସୀଙ୍କ ମନୋଭାବ ବୁଝନ୍ତୁ, ମିଥ୍ୟା ଓ ଶସ୍ତା ରାଜନୀତି ଛାଡ଼ନ୍ତୁ ବୋଲି ସୁଲତା ଲେଖିଛନ୍ତି ।

ପ୍ରକାଶ ଯେ ଗତକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାରେ ଘଟୁଥିବା ରାଜନୈତିକ ହିଂସା, ମାନସ ସ୍ୱାଇଁ ହତ୍ୟା ଓ ହିଞ୍ଜିଳିରେ ୪ ଜଣଙ୍କୁ ହତ୍ୟା ଘଟଣାର ଉଲ୍ଲେଖ କରି ଓଡ଼ିଶା ପଶ୍ଚିମବଙ୍ଗ ରାସ୍ତାରେ ଗତି କରୁଛି ବୋଲି ଲେଖିଥିଲେ । ଜବାବରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଲେଖିଥିଲେ, ୟୁପି ଓ ବିହାର ଭଳି ରାଜ୍ୟମାନଙ୍କରେ ଯେଉଁଭଳି ଭାବେ ମାତ୍ରାଧିକ ପରିମାଣର ହିଂସା ହେଉଛି, ତାହାକୁ ଓଡ଼ିଶା ଭଳି ଏକ ଶାନ୍ତି ପ୍ରିୟ ରାଜ୍ୟ ସହିତ ତୁଳନା କରିବା ନିନ୍ଦନୀୟ । ସବୁ ଘଟଣାରେ ଓଡ଼ିଶା ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କିନ୍ତୁ ବୋଧେ ଆପଣଙ୍କୁ ଓଡ଼ିଶା ବିଜେପି ନେତାମାନେ ଉଚିତ ଭାବରେ ଅବଗତ କରୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ପ୍ରଣବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking