ଭୁବନେଶ୍ୱର: ଓୟୁଏଟିରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ| ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଆଜିଠାରୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । କୁକୁଡ଼ା ମରା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୧୨ଟି ତ୍ବରିତ କାର୍ଯ୍ୟକାରୀ ଦଳ(ରାପିଡ ରେସ୍ପନ୍ସ ଟିମ୍) ଗଠନ କରାଯାଇଛି। ସେଥିମଧ୍ୟରୁ ୭ଟି ଦଳ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବାବେଳେ ଅନ୍ୟ ୫ଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସଂକ୍ରମିତ ସ୍ଥାନର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ରାପିଡ ରେସପନ୍ସ ଟିମ୍ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହ ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମରେ ମହଜୁଦ ଥିବା କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତିଛନ୍ତି । ଏହା ପରେ ଘରକୁ ଘର ବୁଲି ଯେଉଁମାନେ କୁକୁଡ଼ା ରଖିଛନ୍ତି ସେଗୁଡ଼ିକୁ ମାରିବାର ବ୍ୟବସ୍ଥା କରିବେ। ନିରୀକ୍ଷଣ ଅଞ୍ଚଳରେ ନିୟୋଜିତ ଥିବା ତ୍ବରିତ କାର୍ଯ୍ୟକାରୀ ଦଳ ନିୟମିତ ବ୍ୟବଧାନରେ କୁକୁଡ଼ାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାର ବ୍ୟବସ୍ଥା ହୋଇଛି।