ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ବୀରଭୂମି ହତ୍ୟାକାଣ୍ଡରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରେ ନବବିବାହିତ ଦମ୍ପତି ରହିଛନ୍ତି । ଏହି ନବବିବାହିତ ସ୍ୱାମୀ-ସ୍ତ୍ରୀ ହେଉଛନ୍ତି ଲିଲି ଖାତୁନ ଏବଂ କ୍ୱାଜି ସାଜିଦୁର । ଉଭୟେ ଜାନୁଆରୀ ମାସରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବୀରଭୂମ ଜିଲ୍ଲାର ବାଗଟୁଇ ଗାଁର ଶ୍ୱଶୁର ଘରକୁ ଉଭୟେ ସ୍ୱାମୀ-ସ୍ତ୍ରୀ ଆସିଥିଲେ । କିନ୍ତୁ ସେମାନଙ୍କୁ ଏକ ଘରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ସକାଳୁ ଦମ୍ପତିଙ୍କ ଦଗ୍ଧ ହୋଇଥିବା ମୃତଦେହ ପୋଲିସକୁ ମିଳିଥିଲା । ସେପଟେ ଦଙ୍ଗା ପରିସ୍ଥତି ପରେ ବଗତୁଇ ଗାଁରେ ଭୟର ବାତାବରଣ ଦେଖାଦେଇଛି ।
ଭୟରେ ଗ୍ରାମବାସୀ ଗାଁ ଛାଡ଼ି ଅନ୍ୟତ୍ର ପଳାଉଛନ୍ତି । ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ସୁରକ୍ଷା ବଢାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହିତ ଅପରାଧୀକୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଘଟଣାର ତଦନ୍ତ କରୁଛି । ରାଜ୍ୟ ଫରେନସିକ ଲାବୋରେଟୋରୀର ଏକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି । ଘଟଣାରେ ଏଯାଏଁ ୨୨ ଜଣଙ୍କୁ ପୋଲିସ ଗିରଫ କରାଯାଇଥିବା ବେଳେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି ।