14.1 C
Bhubaneswar
Saturday, January 11, 2025
Homeଓଡିଶାବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ବର୍ଷିଆନ ଲେଖିକା ତଥା ପାଟଦେଈ ଓ କସ୍ତୁରୀ ମୃଗର ସ୍ରଷ୍ଟା ବୀଣାପାଣି ମହାନ୍ତିଙ୍କର ଆଜି ୮୫ ବର୍ଷ ବୟସରେ ପରଲୋକ ଘଟିଛି। ୧୯୩୬ ମସିହା ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ବୀଣାପାଣିଙ୍କ ପରିବାର କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଗ୍ରାମର ଅଟନ୍ତି। ତାଙ୍କ ପିତା ଚତୁର୍ଭୁଜ ମହାନ୍ତି ଜଣେ ସରକାରୀ କର୍ମଚାରୀ ଥିଲେ। ମା’ କୁମୁଦିନି ମହାନ୍ତିଙ୍କଠାରୁ ସେ ପ୍ରେରଣା ପାଇଥିଲେ। ସେ ୧୯୫୩ ମସିହାରେ ମାଟ୍ରିକ୍ ସମାପ୍ତ କରିଥିଲେ ଏବଂ ପରେ ଅର୍ଥନୀତି ଅଧ୍ୟୟନ କରିଥିଲେ। ୧୯୫୭ରେ ବୀଣାପାଣି ସ୍ନାତକ ଡିଗ୍ରୀ ହାସଲ ୧୯୫୯ରେ କଟକ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ସେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୨ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଅବସର ନେଇଥିଲେ।

ଲେଖିକା ଭାବରେ ୧୯୬୦ରେ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା। ଗୋଟିଏ ରାତିର କାହାଣୀରୁ ଲେଖକୀୟ ପରିଚିତି ହାସଲ କରିଥିବା ବୀଣାପାଣିଙ୍କ କେତେକ ଜଣାଶୁଣା ସୃଷ୍ଟି ହେଉଛି ପାଟ ଦେଇ, ଖେଳ ଘର, ନଇକୁ ରାସ୍ତା, ବସ୍ତ୍ରହରଣ, କସ୍ତୁରୀ ମୁର୍ଗ ଓ ସବୁଜ ଅରଣ୍ୟ ଏବଂ ମିଛିମିଛିକା। ପାଟ ଦେଇ ଏବଂ ଅନ୍ୟାନ୍ୟ ଗଳ୍ପ ପାଇଁ ବୀଣାପାଣି ପାଇଥିଲେ ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର। ୨୦୨୦ରେ ପଦ୍ମଶ୍ରୀ ପୁରସ୍କାରରେ ବିଣାପାଣିଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅନବଦ୍ୟ ସୃଷ୍ଟି ପାଇଁ ତାଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଓ ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ସେ ମଧ୍ୟ ଓଡିଶା ଲେଖିକା ସଂସଦର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ବୀଣାପାଣିଙ୍କ ଲିଖିତ କ୍ଷୁଦ୍ର ଗଳ୍ପ ପାଟ ଦେଇ ୧୯୮୬ରେ ‘ଫେମିନା’ ପତ୍ରିକାରେ ‘ଲତା’ ଶୀର୍ଷକରେ ପ୍ରକାଶିତ ହୋଇଥିଲା ଓ ୧୯୮୭ରେ ଏହାର ହିନ୍ଦୀ ନାଟ୍ୟ ରୂପାନ୍ତର ‘କଶ୍ମାକଶ’ ନାମକ ଏକ ଧାରାବାହିକ ଭାବରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ତାଙ୍କ ରଚିତ ଅନେକ କ୍ଷୁଦ୍ରଗଳ୍ପ ଇଂରାଜୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ବଙ୍ଗାଳୀ, ଉର୍ଦ୍ଦୁ, ତେଲୁଗୁ ଏବଂ ରୁଷ ଭଳି ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି। ତାଙ୍କ ରଚିତ ‘ଅନ୍ଧକାରର ଛାଇ’ ଉପରେ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ଏବଂ ତାହା ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking