ବାଲେଶ୍ୱର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ଛକ ନିକଟରେ ଆଜି ସକାଳେ ଟ୍ରକ ବାଇକ ଧକ୍କାରେ ବାଇକ ଚାଳକ ଜଣଙ୍କର ବାଲେଶ୍ୱର ମୁଖ୍ୟ ଚିକିତ୍ସାଲୟରେ ମୃତ୍ୟୁ ହୋଇଯାଇଛି । ସୋର ପୌରପାଳିକା ଅନ୍ତର୍ଗତ କମାଣପୁର ଗ୍ରାମର ସନାତନ ମଲିକ(୫୨) ବାଲେଶ୍ୱର ସୋମନାଥପୁରରେ ଥିବା ଭାରତ ପେଟ୍ରୋଲିଅମ କର୍ପୋରେସନରେ କାର୍ଯ୍ୟରତ ଥିବା ବେଳେ ଆଜି ସକାଳେ ସେ ବାଇକ ଯୋଗେ ସୋମନାଥପୁର ଯାଉଥିଲେ । ଏହି ସମୟରେ ଦହିସଡା ଛକ ନିକଟ ଡାଇଭରସନରେ ବିପରୀତ ଦିଗରୁ ଆସୁଥିବା ଏପି ୩୯ ଏକ୍ସ ୧୧୧୮ ନମ୍ବର ବିଶିଷ୍ଟ ଆନ୍ଧ୍ରା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ସନାତନ ଗୁରୁତର ଆହତ ହୋଇଥିଲେ । କଟକରୁ ରୋଗୀ ଛାଡି ସେହି ରାସ୍ତାରେ ଫେରୁଥିବା ରେମୁଣା ୧୦୮ ଆମ୍ବୁଲାନ୍ସ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ପରିବାର ଲୋକେ ତାଙ୍କୁ ଏକ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନାତନଙ୍କର ମୃତ୍ୟୁ ହୋଇଯାଇଛି । ଖବର ପାଇ ବାଲେଶ୍ୱର ଟାଉନ ଥାନା ପୁଲିସ ମେଡ଼ିକାଲରେ ପହଂଚି ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ପରିବାର ଲୋକେ ଶବକୁ ସଂସ୍କାର କରିବା ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନେଇଯାଇଥିଲା । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଏବଂ ଟ୍ରକକୁ ଜବତ କରି ଥାନାକୁ ଆଣି ଘଟଣାର ତଦନ୍ତ ଆରମ୍ଭ କରିଛି ।