ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍କା ଲାଗିଛି। ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ଏଥିସହ ଅଦାଲତ ଏହି ମାମଲାରେ ଆମ୍ ଆଦ୍ମୀ ପାର୍ଟିର ପୂର୍ବତନ ଯୋଗାଯୋଗ ନିର୍ଦେଶକ ବିଜୟ ନାୟର, ହାଇଦରାବାଦର ବ୍ୟବସାୟୀ ଅଭିଷେକ ବୋଇନପଲ୍ଲୀ, ବିନୟ ବାବୁ(ମଦ କମ୍ପାନୀ ଏମ/ଏସ ପେରନୋଡ଼୍ ରିକାର୍ଡ଼ର ମ୍ୟାନେଜର)ଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି। ଜାମିନ ନାମଞ୍ଜୁର ହେବାର ରାଉସ୍ ଆଭେନ୍ୟୁ କୋର୍ଟଙ୍କ ନିଷ୍ପତ୍ତିକୁ ମନୀଷଙ୍କ ସମେତ ସମସ୍ତ ଅଭିଯୁକ୍ତ ଚ୍ୟାଲେଞ୍ଜ କରିଥିଲେ।
ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ମନୀଷ ସିସୋଦିଆଙ୍କୁ ଫେବୃୟାରୀ ୨୬ ତାରିଖରେ ଦୀର୍ଘ ସମୟ ପଚରାଉଚରା କରିବା ପରେ ଗିରଫ କରିଥିଲା। ମନୀଷ ଏବେ ତିହାର ଜେଲ୍ରେ ଅଛନ୍ତି। ଅପରପକ୍ଷେ, ଏହି ମାମଲାରେ ଇଡି ଅର୍ଥ ହେରଫେରର ଯାଞ୍ଚ କରୁଛି।