ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ଗୁରୁବାର ହୋଇଥିବା ଆତଙ୍କୀ ଆକ୍ରମଣ ମାମଲାରେ ବଡ଼ ଖୁଲାସା ହୋଇଛି । ଗୁଇନ୍ଦା ସୂତ୍ର ଅନୁସାରେ ୫ ଜଣ ଆତଙ୍କୀ ଏହି ଆକ୍ରମଣ ଘଟାଇଥିଲେ । ଏହା ମଧ୍ୟରୁ ୫ ଜଣ ବିଦେଶୀ ଆତଙ୍କୀ ହୋଇଥିବା ବେଳେ ତିନି ଜଣ ସ୍ଥାନୀୟ । ଏହା ସହିତ ଜି-୨୦ ବୈଠକ ପୂର୍ବରୁ ଆତଙ୍କ ସୃଷ୍ଟି କରିବା ଆକ୍ରମଣର ଉଦ୍ଦେଶ୍ୟ ଥିଲା ବୋଲି ଜଣାପଡ଼ିଛି । ଏହି ମାମଲାରେ ବହୁ ଲୋକଙ୍କୁ ଗିରଫ କରାଯାଇ ପଚରା ଉଚରା ଚାଲିଛି ।
ଅନ୍ୟପକ୍ଷରେ ଆତଙ୍କୀ ଖୋଜି ମାରିବା ପାଇଁ ସେନା ପକ୍ଷରୁ ‘ଖୋଜ ଓ ମାର୍’ ମିଶନ୍ ଆରମ୍ଭ ହୋଇଛି । ଏଥିପାଇଁ ହେଲିକପ୍ଟର, ଡ୍ରୋନ୍ ଏବଂ ସ୍ପିପର୍ ଡଗ୍ଙ୍କ ସହାୟତା ନିଆଯାଉଛି । ସେହିପରି ଆତଙ୍କୀ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏନ୍ଆଇଏ ଏବଂ ୮ ଜଣିଆ ଫରେନ୍ସିକ୍ ଟିମ୍ ପୁଞ୍ଚ୍ରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ସକାଳେ ମୋବା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ଓ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଟିମ୍ ପୂରା ଅଞ୍ଚଳକୁ ଯାଞ୍ଚ୍ କରିଥିଲେ । ଗୁରୁବାରର ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ପାଞ୍ଚଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ସହିଦ୍ ଯବାନଙ୍କ ମଧ୍ୟରୁ ୪ ଜଣ ପଞ୍ଜାବର ଏବଂ ଜଣେ ଓଡ଼ିଶାର ଥିଲେ ।
ଉଲ୍ଲେଖଯୋଗ୍ୟ, ସେନା ଟ୍ରକ୍ ଭିମ୍ବର ଗଲି ଓ ପୁଞ୍ଚ ମଧ୍ୟରେ ଥିବା ବେଳେ ଆତଙ୍କୀମାନେ ଆଖିବୁଜା ଫାୟାରିଂ କରିବା ସହିତ ଗ୍ରେନେଡ୍ ମାଡ଼ କରିଥିଲେ । ଭୀଷଣ ବର୍ଷା ଏକ ଲୋ-ଭିଜିବିଲିଟିର ସୁଯୋଗରେ ଆତଙ୍କୀଙ୍କ ଫାୟାରିଂ ଓ ଗ୍ରେନେଡ୍ ମାଡ଼ରେ ସେନା ଟ୍ରକ୍ରେ ନିଆଁ ଲାଗିଯାଇଥିଲା ।
ଅସଲରେ ଚଳିତ ବର୍ଷ ଭାରତ ଜି-୨୦ ସମିଟ୍ର ଅଧ୍ୟକ୍ଷତା କରୁଥିବା ବେଳେ ଶ୍ରୀନଗର ଏବଂ ଲଦାଖରେ ୨୨ରୁ ୨୮ ମଧ୍ୟରେ ଏହାର ବୈଠକ ହେବାର ଅଛି । ଆତଙ୍କୀମାନେ ଏହି ବୈଠକର ଠିକ୍ ପୂର୍ବରୁ ଆକ୍ରମଣ କରି କାଶ୍ମୀରରେ ପରିସ୍ଥିତି ସାମାନ୍ୟ ନଥିବା ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ଏହି ଦୁଇ ବୈଠକୁ ନେଇ ପାକିସ୍ତାନ ପୂର୍ବରୁ ଆପତ୍ତି କରିସାରିଛି । ଅବଶ୍ୟ ଭାରତ ଜମ୍ମୁ-କଶ୍ମୀର ଓ ଲେହ ଭାରତର ଅଭିନ୍ନ ଅଙ୍ଗ କହି ପାକିସ୍ତାନର ଏହି ଆପତ୍ତିକୁ ଖାରଜ କରିଦେଇଛି ।