କଟକ: ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ୱସ୍ତି । ଆଉ ବଢିବ ନାହିଁ ବିଦ୍ୟୁତ ଦର । ଆଗାମୀ ୩ ବର୍ଷ ଯାଏଁ ବିଦ୍ୟୁତ ଦର ବୃଦ୍ଧି ପାଇବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ବିଦ୍ୟୁତ ଦର ବୃଦ୍ଧି ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି । ବିଦ୍ୟୁତ ଦରବୃଦ୍ଧି ନେଇ ରାଜ୍ୟ ସରକାର କୌଣସି ଯୋଜନା ରଖି ନଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ନୂଆବର୍ଷରୁ ବିଦ୍ୟୁତ ଦର ବଢ଼ିବା ନେଇ ଚର୍ଚ୍ଚା ହେଉଥିଲା । ଏନେଇ ଗଣମାଧ୍ୟମରେ ଜୋରଦାର ଖବର ପ୍ରସାରଣ ହେଉଥିଲା । ଏପରିକି କିଛି ସଙ୍ଗଠନ ମଧ୍ୟ ଏହି ନିଷ୍ପତ୍ତିକୁ ତୀବ୍ର ଭାବରେ ବିରୋଧ କରିଥିଲେ । କିଛିକିଛି ସ୍ଥାନରେ ପ୍ରତିବାଦ ମଧ୍ୟ କରାଯାଇଥିଲା । ଯାହାକୁ ନେଇ ଅନେକ ବିଦ୍ୟୁତ ଉପଭୋକ୍ତା ଚିନ୍ତାରେ ପଡି ଯାଇଥିଲେ ।
କାରଣ ଭାରତର ଅନେକ ରାଜ୍ୟ ତୁଳନାରେ ରାଜ୍ୟରେ ବିଦ୍ୟୁତ ଦର ଅଧିକ ରହିଛି । ସାଧାରଣ ଉପଭୋକ୍ତାଟିଏ ବିନା ବିଦ୍ୟୁତରେ ଚଳିବା କଷ୍ଟକର ହୋଇପଡ଼ିଲାଣି । ସେହିପରି ଚଳିତବର୍ଷ ପ୍ରବଳ ଗରମ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ବିଦ୍ୟୁତ ଦରକୁ ନେଇ ଅନେକ ଉପଭୋକ୍ତା ଚିନ୍ତାରେ ପଡ଼ି ଯାଇଥିଲେ । ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିଛି । ମନ୍ତ୍ରୀଙ୍କ କହିବା ମୁତାବକ ରାଜ୍ୟରେ ୨୫ ବର୍ଷ ପର୍ଯ୍ୟନ୍ତ ଟାଟା ପାୱାର ବିଦ୍ୟୁତ ସେବା ଦେବା ପାଇଁ ଚୁକ୍ତି କରାଯାଇଛି । ସମସ୍ତ ଉପଭୋକ୍ତାଙ୍କୁ ଯେପରି ସମସ୍ତ ସେବା ପ୍ରଦାନ କରାଯିବ ତାହା ସେମାନଙ୍କର ଦାୟିତ୍ୱ । ନିରବିଛିନ୍ନ ବିଦ୍ୟୁତ ସେବା ପାଇଁ ଟାଟା ସମସ୍ତ ପ୍ରକାର କାର୍ଯ୍ୟ କରୁଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।