ଭୁବନେଶ୍ୱର: ଓଡ଼ିଶାର ଆଉ ୩ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । କଟକ ଲୋକସଭା ଆସନରୁ ଭର୍ତ୍ତୃହରି ମହତାବ ପ୍ରାର୍ଥୀ ହୋଇଥିବାବେଳେ ଯାଜପୁରରୁ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ଏବଂ କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ଓଡ଼ିଶାର ୨୧ ଲୋକସଭା ନିର୍ବାଚନ କ୍ଷେତ୍ର ମଧ୍ୟରୁ ୧୮ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିଲା । ବାକି ଥିଲା ତିନି ଆସନ । ଏସବୁ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଏବେ ରାଜ୍ୟର ସମସ୍ତ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ହେଲେ ମୋଟ୍ ୧୪୭ ବିଧାନସଭା କ୍ଷେତ୍ରରେ କୌଣସି ବି ପ୍ରାର୍ଥୀଙ୍କ ନାଁ ଦଳ ଘୋଷଣା କରିନାହିଁ । ଗତ ୨୮ରେ ନୂଆଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ବିଜେପିରେ ସାମିଲ ପରେ ଶ୍ରୀ ମହତାବ ସେତେବେଳେ ଗଣମାଧ୍ୟମକୁ କହିଥିଲେ, ‘ରାଷ୍ଟ୍ରବାଦ, ଏକାତ୍ମତା ଓ ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ ।
ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ ।’ ଗତ ୨୨ରେ ଭର୍ତ୍ତୃହରି ବିଜେଡିରୁ ଇସ୍ତାଫା ଦେଇଥିଲେ । ଏହାପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ତାହା ଏବେ ସତ ହେଲା । ତେବେ କଟକ ଲୋକସଭା ଆସନରୁ ସେ କ୍ରମାଗତଃ ୬ ଥର ସାଂସଦ ହୋଇ ଜଣେ ସଫଳ ରାଜନୀତିଜ୍ଞ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ୧୯୯୮ରେ ସେ ବିଜେଡି ଟିକେଟରେ ପ୍ରଥମଥର ପାଇଁ କଟକ ଲୋକସଭାରୁ ଜିତିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବହୁ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହି ଅବଧି ଭିତରେ ଶ୍ରୀ ମହତାବ ୨୦୧୭ରେ ଆଉଟ୍ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରୀ ଆୱାର୍ଡ଼ ପାଇଥିଲାବେଳେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସମ୍ମାନଜନକ ‘ସଂସଦ ରତ୍ନ’ ପୁରସ୍କାର ପାଇ ଓଡ଼ିଶାର ଟେକ ରଖିଛନ୍ତି ।
ସେହିପରି କନ୍ଧମାଳରୁ ପ୍ରାର୍ଥୀ ହୋଇଥିବା ସୁକାନ୍ତ କୁମାର ପାଣିଗ୍ରାହୀ ଜଣେ ଉଚ୍ଚ ଶିକ୍ଷିତ ରାଜନେତା । ମାତ୍ର ୮ବର୍ଷ ବୟସରେ ସେ ଆରଏସ୍ଏସ୍ ଯୋଗ ଦେଇଥିଲେ । ସଂଘ ପରିବାରର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲେ । ସେ ଥିଲେ ଜଣେ ମେଧାବୀ ଛାତ୍ର । ୧୯୯୨ରେ ଓୟୁଏଟିରେ ଏମ୍ଏସ୍ସି-ଏଜିରେ ଗୋଲ୍ଡ ମେଡାଲ ପାଇଥିଲେ । ପରେ ସେ ୧୯୯୬ରେ କ୍ୟାପିଟାଲ ଲ’ କଲେଜରୁ ଏଲ୍ଏଲ୍ବି ପାସ୍ କରିଥିଲେ । ପାଠପଢ଼ା ସମୟରେ ସେ ଛାତ୍ରନେତା ଥିଲେ । ୧୯୯୮ରେ ସୁକାନ୍ତ ସକ୍ରିୟ ଭାବେ ରାଜନୀତିକୁ ଆସିଥିଲେ । ସେବେଠାରୁ ନିଃସ୍ୱାର୍ଥପର ଭାବେ ବିଜେପି ପାଇଁ କରି କାମ କରି ଆସୁଛନ୍ତି ।
୧୯୯୯ରୁ ୨୦୦୨ ପର୍ଯ୍ୟନ୍ତ ନାୟାଗଡ଼ ବିଜେପିରେ ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ତା’ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ସେ ଦଶପଲ୍ଲା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ । ପରେ କନ୍ଧମାଳ ଲୋକସଭା ଆସନରୁ ୨୦୧୪ରେ ସେ ବିଜେପି ସାଂସଦ ପ୍ରାର୍ଥୀ ହୋଇ ହାରିଯାଇଥିଲେ । ମାତ୍ର ୨୦୧୯ ନିର୍ବାଚନରେ ସେ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ । ୨୦୨୪ ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ସେ ବହୁତ ଖୁସି ବୋଲି ମତ ପ୍ରକାଶ କରିଛନ୍ତି । ସେହିପରି ଯାଜପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ଜଣେ ଉଚ୍ଚଶିକ୍ଷିତ ରାଜନେତା । ବିଜେପି ତାଙ୍କୁ ପ୍ରାର୍ଥୀ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଦେଇଛନ୍ତି ।