ବେଙ୍ଗାଲୁରୁ : ଶୁକ୍ରବାର ଅପରାହ୍ନ ୧୨.୩୦ ମିନିଟ୍ ସମୟରେ ବେଙ୍ଗାଲୁରୁର କୁଣ୍ଡଲାହାଲି ସ୍ଥିତ ରାମେଶ୍ୱରମ୍ କାଫେ’ ନାମକ କଫି ହାଉସ୍ରେ ଘଟିଥିବା ଭୟାବହ ଆଇଇଡି ବିସ୍ଫୋରଣ ଘଟଣାର ଅଭିଯୁକ୍ତକୁ ସିସିଟିଭି ଫୁଟେଜ୍ ମାଧ୍ୟମରେ ଚିହ୍ନଟ କରାଯାଇଥିବା ବେଙ୍ଗାଲୁରୁ ପୁଲିସ୍ କହିଛି । ପୁଲିସ୍ ରିପୋର୍ଟ ଅନୁସାରେ କାଫେ ମଧ୍ୟକୁ ମୁଣ୍ଡରେ ଟୋପି, ମୁହଁରେ ମାସ୍କ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ପ୍ରଥମେ ଏକ ବ୍ୟାଗ୍ ଧରି ପ୍ରବେଶ କରୁଥିବାର ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି । ପରେ ଏହି ସନ୍ଦିଗ୍ଦଜଣକ କାଫେରେ ଖାଇବା ପାଇଁ ରାୱା ଇଡ୍ଲି ଅର୍ଡର କରିଥିଲା ଏବଂ ଡାଇନିଂ ଟେବୁଲ୍ରେ ଯାଇ ବସିଥିଲା । ତେବେ ୱେଟର ତା’ ପାଇଁ ଅର୍ଡର ମୁତାବକ ଖାଇବା ଆଣିବା ପୂର୍ବରୁ ସେ ସେଠାରୁ ଉଠି ପଳାଇଯାଉଥିବା ଦେଖାଯାଇଛି । ସବୁଠୁ ସନ୍ଦେହଜନକ ବିଷୟ ହେଉଛି, କାଫେ ଭିତରକୁ ପ୍ରବେଶ କରିବା ବେଳେ ତା’ ହାତରେ ଥିବା ବ୍ୟାଗ୍ କାଫେରୁ ବାହାରିବା ସମୟରେ ଆଉ ଦେଖିବାକୁ ମିଳୁନାହିଁ । ଅର୍ଥାତ୍ ସେ ଆଇଇଡି ଭର୍ତ୍ତି ହୋଇଥିବା ଉକ୍ତ ବ୍ୟାଗ୍ଟିକୁ ଉେଦ୍ଦେଶ୍ୟମୂଳକ ଭାବେ କାଫେରେ ହିଁ ଛାଡି ଆସିଛି ବୋଲି ପୁଲିସ୍ ସନ୍ଦେହ କରୁଛି । ସିସିଟିଭିରୁ ଚିହ୍ନଟ ହୋଇଥିବା ଏହି ସନ୍ଦିଗ୍ଧ ଯୁବକର ବୟସ ୨୮ରୁ ୩୦ବର୍ଷ ମଧ୍ୟରେ ବୋଲି ଅନୁମାନ କରାଯାଉଛି । ପ୍ରକାଶ, ଏହି ବିସ୍ଫୋରଣ ଘଟଣାରେ ୯ଜଣ ଗୁରୁତର ହୋଇ ବ୍ରୁକ୍ଫିଲ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ବେଙ୍ଗାଲୁରୁ ପୁଲିସ୍ ସମେତ ଏନ୍ଏସ୍ଜି ଏବଂ ରାଜ୍ୟ ଏଟିଏସ୍ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି ।