ବେଙ୍ଗାଲୁରୁ: ବେଙ୍ଗାଲୁରୁର କୁଣ୍ଡଲାହାଲି ସ୍ଥିତ ରାମେଶ୍ୱରମ୍ କାଫେ’ ନାମକ ଏକ ଲୋକପ୍ରିୟ କଫି ହାଉସ୍ରେ ଆଜି ଅପରାହ୍ନ ୧୨.୩୦ ମିନିଟ୍ ମୟରେ ଏକ ଭୟାବହ ବୋମା (ଆଇଇଡି) ବିସ୍ଫୋରଣ ଘଟି ୯ଜଣ ଗୁରୁତର ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ଏମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରୁକ୍ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏମାନେ ସମସ୍ତେ ବିପଦମୁକ୍ତ ଅଛନ୍ତି । ଏସମ୍ପର୍କରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, କାଫେ’ର ଭିତର ପାଶ୍ୱର୍ ଏବଂ ବାହାରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଏବେ ଯାଞ୍ଚ କରିବା ପୂର୍ବକ ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏତଦ୍ବ୍ୟତୀତ ବିସ୍ଫୋରଣ ପରେ ପରେ ଏନ୍ଆଇଏ ଟିମ୍, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ଏବଂ ଫରେନସିକ୍ ଲାବୋରେଟୋରୀର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚ ନିଜ ନିଜ ସ୍ତରରେ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ତଦନ୍ତ ଆରମ୍ଭ କରିଥିବା ପୁଲିସ୍ ଟିମ୍ଙ୍କ କହିବାନୁସାରେ କାଫେ’ର କର୍ମଚାରୀମାନେ ଦେଇଥିବା ବୟାନ ଅନୁସାରେ ବିସ୍ଫୋରଣ ହେବାର କିଛି ସମୟ ପୂର୍ବରୁ ସେମାନେ ଏକ ଟେବୁଲ୍ ପାଖରେ ଏକ ବ୍ୟାଗ୍ ରଖାଯାଇଥିବାର ଦେଖିଥିଲେ । ତେବେ ଏହା କୌଣସି ଗ୍ରାହକଙ୍କର ହୋଇଥିବା ଏବଂ ସେ ଆସି ନିଜ ବ୍ୟାଗ୍ ନେବେ ବୋଲି ଭାବି ସେମାନେ ଗୁରୁତ୍ୱ ଦେଇନଥିବା ସମ୍ପର୍କରେ ସ୍ୱୀକାର କରିଛନ୍ତି ବୋଲି ପୁଲିସ୍ କହିଛି ।
ଅନ୍ୟପକ୍ଷେ ଏହି ମାମଲାରେ ବିଜେପିର ଦକ୍ଷିଣ ବେଙ୍ଗାଲୁରୁରୁ ସାଂସଦ ଥିବା ତେଜସ୍ୱୀ ସୂର୍ଯ୍ୟା ନିଜ ଏକ୍ସ’ ହ୍ୟାଣ୍ଡେଲ୍ରେ ଉଲ୍ଲେଖ କରିଛନ୍ତି ଯେ, ସେ ଏହି ଘଟଣା ପରେ ରାମେଶ୍ୱରମ କାଫେ’ର ପ୍ରତିଷ୍ଠାତା ଶ୍ରୀ ନାଗରାଜ୍ଙ୍କ ସହ କଥା ହୋଇଥିବା ବେଳେ ବିସ୍ଫୋରଣର କାରଣ ସମ୍ପର୍କରେ ପଚାରିବୁଝିଥିଲେ । ନାଗରାଜ୍ ମଧ୍ୟ ଏହି ଘଟଣାକୁ ଆଇଇଡି ବିସ୍ଫୋରଣ ସହ ଯୋଡିଛନ୍ତି । କାଫେରେ ସିଲିଣ୍ଡର ବିସ୍ଫୋରଣ ହୋଇନଥିବା ସେ ଦୃଢ଼ତାର ସହ ମନା କରିଛନ୍ତି ବୋଲି ତେଜସ୍ୱୀ ଉଲ୍ଲେଖ କରିଛନ୍ତି ।