ଦିସପୁର: ୧୪ ବର୍ଷରୁ କମ୍ ଝିଅଙ୍କୁ ବିବାହ କରୁଥିବା ପୁରୁଷମାନଙ୍କ ବିରୋଧରେ ପକ୍ସୋ ଆକ୍ଟ ଅଧିନରେ ରୁଜୁ ହେବ ମାମଲା । ଏନେଇ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁ ବ୍ୟକ୍ତି ୧୪ ବର୍ଷରୁ କମ୍ ନାବାଳିକାକୁ ବିବାହ କରିବେ ସେ ପକ୍ସୋ ଆଇନ ଆଧାରରେ ଶିଶୁ ଯୌନ ଶୋଷଣ ଅଭିଯୋଗରେ ଦଣ୍ଡିତ ହେବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଖୁବ୍ଶୀଘ୍ର ସାରା ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ ଏକ ବଡ଼ ଧରଣର କଟକଣା ଆରମ୍ଭ ହେବ । ଏହି ମାମଲାଗୁଡ଼ିକର ତଦନ୍ତ ପାଇଁ ଆମେ ଏକ ବାଲ୍ୟ ବିବାହ ନିଷେଧ ଅଧିକାରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଆସାମରେ ଏକ ଲକ୍ଷ ବାଲ୍ୟ ବିବାହ ମାମଲା ରହିଛି । ରାଜ୍ୟରେ ଦଶଟି ଜିଲ୍ଲାରେ ବାଲ୍ୟ ବିବାହ ମାମଲା ଅଧିକ ।
ଏ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମା କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ୧୪ ବର୍ଷର କମ୍ ଝିଅଙ୍କୁ ବିବାହ କରୁଛନ୍ତି ସେମାନଙ୍କୁ ପୋକ୍ସୋ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ବିବାହ ପାଇଁ ଆଇନଗତ ବୟସ ମହିଳାମାନଙ୍କ ପାଇଁ ୧୮ ବର୍ଷ ଏବଂ ପୁରୁଷମାନଙ୍କ ପାଇଁ ୨୧ ବର୍ଷ । ଏହି ବୟସରୁ କମ୍ ବୟସରେ ବିବାହ ଅର୍ଥାତ ବାଲ୍ୟ ବିବାହ ଏକ ଅପରାଧ ବୋଲି ବିବେଚନା କରାଯାଏ । ତେଣୁ ୧୪ରୁ ୧୮ ବର୍ଷ ବୟସର ବାଳିକାମାନଙ୍କୁ ବିବାହ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ବାଲ୍ୟ ବିବାହ ଆଇନ, ୨୦୦୬ ଅନୁଯାୟୀ ବିଚାର କରାଯିବ ଏବଂ ଏହି ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯଉଁମାନେ ବାଲ୍ୟ ବିବାହକୁ ସମର୍ଥନ କରୁଛନ୍ତି, ସମେନାଙ୍କ ବିରୁଦ୍ଧପରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।