18.1 C
Bhubaneswar
Saturday, November 23, 2024
Homeଓଡିଶାକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଦ୍ୱାରା ଆୟୋଜିତ ହେବ ଧନୁଯାତ୍ରା : କୃଷ୍ଣ...

କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଦ୍ୱାରା ଆୟୋଜିତ ହେବ ଧନୁଯାତ୍ରା : କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଗୋପପୁର ଗଲେ ଅକ୍ରୁର

ବରଗଡ଼ : ନାରଦଙ୍କ ପରାମର୍ଶ କ୍ରମେ ମହାରାଜା କଂସ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆୟୋଜନ କରିବେ ଛଳନାର ଯାତ୍ରା ଧନୁଯାତ୍ରା । କୃଷ୍ଣବଳରାମ ବେନୀ ଭାଇଙ୍କୁ ଧନୁଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରିବାକୁ ଯିବେ ପୂର୍ବତନ ମନ୍ତ୍ରୀ ଅକ୍ରୁର । ସେଥିପାଇଁ ମହାରାଜା କଂସ ମନ୍ତ୍ରୀ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ କରିଛନ୍ତି । ସେହିପରି ସପ୍ତମ ଦିବସରେ କଂସଙ୍କ ନଗର ଭ୍ରମଣ, ରାଜ ଦରବାରରେ ନ୍ୟାୟ ବିଚାର, ଶଙ୍ଖଚୂଡ଼କୁ ଗୋପପୁର ପ୍ରେରଣ କରିଥିବାର ଦୃଶ୍ୟ ଅଭିନୀତ ହୋଇଥିବା ବେଳେ ଯମୁନା ନଦୀରେ ରାଧାକୃଷ୍ଣଙ୍କ ନାବକେଳୀ ଭକ୍ତ ତଥା ଦର୍ଶକମାନଙ୍କୁ ଦ୍ୱାପର ଯୁଗର ମନେ ପକାଇଦେଇଛି ବରଗଡ଼ ଧନୁଯାତ୍ରାରେ ।
ମଥୁରା ନଗରୀ ମହାରାଜା କଂସଙ୍କ ରାଜତ୍ୱରେ ଥର ହର ହୋଇ ପଡ଼ିଛୁ । ଧନୁଯାତ୍ରାର ସପ୍ତମ ଦିନରେ ମହାରାଜା କଂସ ନଗର ଭ୍ରମଣ, ରାଜ ଦରବାରରେ ନ୍ୟାୟ ବିଚାର ଦୃଶ୍ୟ ଅଭିନୀତ ହୋଇଥିଲା । ମହାରାଜା କଂସ କଳେବଳେ କୌଶଳେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମହାମନ୍ତ୍ରୀ ତଥା ପାରିଷଦ ବର୍ଗଙ୍କ ସହ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ଏମିତି ଏକ ସମୟରେ କଂସଙ୍କ ରାଜଦରବାରେ ଉପସ୍ଥିତ ହୋଇଛନ୍ତି ମହର୍ଷର୍ି ନାରଦ । ନାରଦଙ୍କ ପରାମର୍ଶ କ୍ରମେ କୃଷ୍ଣକୁ ହତ୍ୟା କରିବା ପାଇଁ ମହାରାଜା କଂସ ଆୟୋଜନ କରିବେ ଧନୁଯାତ୍ରା । ତେବେ କଂସଙ୍କ ଦ୍ୱାରା ଆୟୋଜିତ ଏହି ଧନୁଯାତ୍ରା ଛଳନାର ଯାତ୍ରା ହୋଇଥିବାବେଳେ ପୁରାତନ ମନ୍ତ୍ରୀ ଅକ୍ରୁରଙ୍କୁ ପ୍ରେରଣ କରିଛନ୍ତି ଗୋପପୁର । କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ କରିବା ପାଇଁ ନନ୍ଦରାଜା ପାଖକୁ ଅକ୍ରୁର ହସ୍ତରେ ମହାରାଜା କଂସ ଚିଟାଉ ପଠାଇଛନ୍ତି । ଯେବେ କୃଷ୍ଣବଳରାମ ମଥୁରା ନଗରୀ ପହଞ୍ôଚବେ ଧନୁଯାତ୍ରା ଦେଖିବା ପାଇଁ ସେତେବେଳେ ବେନୀଭାଇଙ୍କୁ ମହାରାଜା କଂସ ଛଳନାରେ ହତ୍ୟା କରିବ ।
ସେହିପରି କୃଷ୍ଣକୁ ହତ୍ୟା କରିବା ସହ ନିଜ ପିତାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଶଙ୍ଖଚୂଡ଼ ସର୍ପ ମହାରାଜ କଂସଙ୍କ ସହିତ ସାକ୍ଷାତ କରିଛି । ପରେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଶଙ୍ଖଚୂଡ଼କୁ ମଧ୍ୟ ପ୍ରେରଣ କରିଛନ୍ତି ଗୋପପୁର । ତେବେ ଦିନକୁ ଦିନ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ଅତିଥି ତଥା ଦର୍ଶକ ସାମିଲ ହେଉଛନ୍ତି । ଏପରି ସ୍ଥିତିରେ ଅତିଥିମାନଙ୍କ ମନୋରଞ୍ଜନ ତଥା ନିଜକୁ ଚିନ୍ତାମୁକ୍ତ କରିବା ପାଇଁ ରାଜଦରବାରରେ ମହରାଜା କଂସଙ୍କ ଆଦେଶରେ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଲୋକ ନୃତ୍ୟଗୀତ ପରିବେଷିତ ହୋଇଥିଲା ।
ଅପରପକ୍ଷେ ଯମୁନା ନଦୀରେ ରାଧାକୃଷ୍ଣଙ୍କ ନାବକେଳୀ ଦୃଶ୍ୟ ଦର୍ଶକମାନଙ୍କୁ ଦ୍ୱାପର ଯୁଗର ପ୍ରେମକାହାଣୀ ମନେ ପକାଇ ଦେଇଥିଲା । କୃଷ୍ଣ ପ୍ରେମରେ କୃଷ୍ଣମୟ ହୋଇପଡ଼ିଥିବା ସମୟରେ ରାଧାକୃଷ୍ଣଙ୍କୁ ଘରେ ଘରେ ପାଦ ପ୍ରକ୍ଷାଳନ କରି ପୂଜା କରାଯାଇଥିଲା । ପ୍ରତିଦିନ ଯମୁନା ନଦୀ ପାରି ହୋଇ ମଥୁରା ନଗରୀକୁ ଗୋପାଙ୍ଗନାମାନେ ଦଧି ବିକ୍ରି କରିବାକୁ ଯାଉଛନ୍ତି । ଏ ସମୟରେ ରାଧାଙ୍କ ସମେତ ଗୋପାଙ୍ଗନାମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ନାଉରିଆ ବେଶରେ ଯମୁନା ନଦୀ ପାରି କରାଇଛନ୍ତି ଏବଂ ରାଧାକୃଷ୍ଣଙ୍କୁ ନେଇ ଗୋପପୁର ଅନୁଷ୍ଠିତ ହୋଇଥିଲା ନାବକେଳୀ । ଯାହାକି ଦ୍ୱାପର ଯୁଗର କୃଷ୍ଣଲୀଳାକୁ ମନେ ପକାଇ ଦେଉଥିବାବେଳେ ହୃଦୟକୁ ବେଶ ଛୁଇଁ ପାରିଛି ଆଜିର ରାଧାକୃଷ୍ଣଙ୍କ ଯୁଗଳ ଦର୍ଶନ । ତା’ ସହିତ ଭକ୍ତମାନେ ଦ୍ୱାପର ଯୁଗର କୃଷ୍ଣଲୀଳା ପରି ପ୍ରତ୍ୟେକ୍ଷ ଅନୁଭବ କରିବା ପରି ମନେ ହୋଇଥିଲା ନାବକେଳୀରେ ।
ଧନୁଯାତ୍ରାର ଅଷ୍ଟମ ଦିନ ମଙ୍ଗଳବାର କଂସଙ୍କ ନଗର ଭ୍ରମଣ, ଦିଗବିଜୟରେ ବାହାରି ଇନ୍ଦ୍ର ସହିତ ଯୁଦ୍ଧ ଓ ବନ୍ଦୀ, କଂସଙ୍କ ଚିଟାଉ ନେଇ ଅକ୍ରୁରଙ୍କ ଗୋପପୁର ଗମନ ଓ ଗୋପପୁରରେ ଅକ୍ରୁରଙ୍କ ପ୍ରବେଶ ସହ ଯମୁନା ନଦୀରେ କୃଷ୍ଣ ପାଦ ଦର୍ଶନ, କୃଷ୍ଣବଳରାମ ଗୋପାଳ ବାଳକଙ୍କ ସହ ଗୋଚାରଣ ସହିତ ଶଙ୍ଖଚୂଡ଼କୁ ବଧ କରି ଶଙ୍ଖମଣୀ ଉଦ୍ଧାର , ଗୋପପୁରର ଆମ୍ରବନରେ ଅକ୍ରୁରଙ୍କ କୃଷ୍ଣବଳରାମଙ୍କ ସାକ୍ଷାତ ଏବଂ ଧନୁଯାତ୍ରା ଦେଖିଯିବାପାଇଁ ନନ୍ଦାରାଜାଙ୍କୁ କଂସଙ୍କ ଚିଟାଉ ହସ୍ତାନ୍ତର ଦୃଶ୍ୟ ଅଭିନୀତ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking