ଢାକା: ବାଂଲାଦେଶରେ ଘଟିଥିବା ସାଂପ୍ରଦାୟିକ ହିଂସା ଥମିବାର ନାଁ ଧରୁନାହିଁ । ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ହିଂସାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇସାରିଲେଣି । ମୁସଲମାନ ସଂପ୍ରଦାୟ ପକ୍ଷରୁ ରବିବାର ପୁଣି ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରାଯାଇଛି । ଫଳରେ ଏହି ପରିସ୍ଥିତି ବର୍ତ୍ତମାନ ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଜଣାପଡିଛି । ରାଜଧାନୀ ଢାକାଠାରୁ ୧୫୭ କିମି ଦୂର ଫେନି ସହରରେ ଥିବା ଏକ ହିନ୍ଦୁ ମନ୍ଦିରରେ ପୁଣି ଭଙ୍ଗାରୁଜା କରାଯାଇଛି । ଆତତାୟୀମାନେ ଉକ୍ତ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଇଛନ୍ତି । ଏହାକୁ ବିରୋଧ କରିବାରୁ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଆକ୍ରମଣ ଓ ପ୍ରତିଆକ୍ରମଣରେ ପ୍ରାୟ ୪୦ ଜଣ ଆହତ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉତ୍ତେଜନାପ୍ରବଣ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶନିବାର ରାତିରେ ମୁସଲମାନ ସଂପ୍ରଦାୟର ବ୍ୟକ୍ତିମାନେ ଏକାଧିକ ହିନ୍ଦୁ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିବା କୁହାଯାଇଛି । ଆତତାୟୀମାନେ ମୁନ୍ସିଗଞ୍ଜ ଅଞ୍ଚଳରେ ଥିବା କାଳୀ ମନ୍ଦିରରେ ଥିବା ୬ଟି ମୂର୍ତ୍ତି ଭାଙ୍ଗିଦେଇଛନ୍ତି । ଦୁର୍ଗାପୂଜା ସମୟରେ ମୁସଲମାନ ସଂପ୍ରଦାୟ ପକ୍ଷରୁ ବିଭିନ୍ନ ଦୁର୍ଗାମଣ୍ଡପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଏଭଳି ଆକ୍ରମଣ ପ୍ରତିବାଦରେ ଢାକାର ଶାହାବାଗ୍ ଓ ଚିଟ୍ଟାଗଙ୍ଗ୍ ସହରର ଅନ୍ଦରକିଲ୍ଲା ଅଞ୍ଚଳରେ ହିନ୍ଦୁ, ବୌଦ୍ଧ ଓ ଖ୍ରିଷ୍ଟିଆନ ଧର୍ମାବଲମ୍ବୀଙ୍କ ତରଫରୁ ବିକ୍ଷୋଭ ଆୟୋଜିତ ହୋଇଛି । ସୂଚନାଯୋଗ୍ୟ ଗୋଟିଏ ଦୁର୍ଗା ମଣ୍ଡପରେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ନିକଟରେ କୋରାନ ରଖାଯାଇଥିବା ପ୍ରସଙ୍ଗକୁ କେନ୍ଦ୍ରକରି ଗତ ବୁଧବାରଠାରୁ ଏଭଳି ହିଂସାର ସୂତ୍ରପାତ ଘଟିଛି ।