ନୂଆଦିଲ୍ଲୀ : ସଂସଦରେ ବ୍ୟାଗ୍ ରାଜନୀତି । ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବ୍ୟାଗ୍ ଦେଇଛନ୍ତି ଯେଉଁଥିରେ ୧୯୮୪ ଲେଖାଯାଇଛି । ଯାହା ୧୯୮୪ରେ ହୋଇଥିବା ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି । ଏବେ କିଛି ଦିନ ଧରି ବ୍ୟାଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ ।କେବେ ଅଦାନୀ ତ କେବେ ବାଂଲାଦେଶ ଲେଖା ଥିବା ବ୍ୟାଗ୍ ଧରି ସଂସଦକୁ ଆସୁଛନ୍ତି ପ୍ରିୟଙ୍କା । ଏହା ଭିତରେ ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ବ୍ୟାଗ ଦେଇଛନ୍ତି । ଯେଉଁଥିରେ ୧୯୮୪ ଲେଖା ଅଛି । ବନ୍ଧୁକ ଚିତ୍ର ମଧ୍ୟ ବ୍ୟାଗରେ ରହିଛି । ଏହା ୧୯୮୪ ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି ।ସେପଟେ ସଂସଦରେ ହଙ୍ଗାମା । ଶେଷ ଦିନରେ ବି ସୁରୁଖୁର ଚାଲିଲାନି ଲୋକସଭା । ହଙ୍ଗାମା ପାଇଁ ଅନିର୍ଦ୍ଧିଷ୍ଟ ସମୟ ପର୍ୟ୍ୟନ୍ତ ସ୍ଥଗିତ ରଖିଲେ ବାଚସ୍ପତି । ଆମ୍ବେଦର ବିବାଦ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲାକୁ ବିରୋଧ କରି ଇଣ୍ଡି ମେଣ୍ଟର ସାଂସଦମାନେ ସଂସଦ ଭବନ ବାହାରେ ପ୍ରତିବାଦ କରିଛନ୍ତି । ବିଜୟ ଚୌକରୁ ସଂସଦ ଭବନ ପର୍ୟ୍ୟନ୍ତ ରାହୁଲଙ୍କ ସମର୍ଥନରେ ପଦଯାତ୍ରା କରିଛନ୍ତି ବିରୋଧୀ ସାଂସଦ । ଏହି ସମୟରେ ରାହୁଲ ଗାନ୍ଧୀ ସାମିଲ ହୋଇ ନାହାଁନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ସାଂସଦ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ସେପଟେ ଏନଡିଏ ସାସଂଦମାନେ ମଧ୍ୟ ରାହୁଲଙ୍କୁ ବିରୋଧ କରି ସଂସଦ ଭବନ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ନିଲମ୍ବିତ କରିବା ପାଇଁ ଦାବି କରିଛନ୍ତି ଶାସକ ଦଳ ସାସଂଦମାନେ ।