ହାଇଦ୍ରାବାଦ: ବ୍ଲାକ୍ମେଲ୍ କରି ଲକ୍ଷପତି ହୋଇଥିବା ଏକ ବିଟେକ୍ ଡ୍ରପ୍ଆଉଟ୍ ଯୁବକକୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି । ତେବେ ଯୁବକ ଜଣକ କେବଳ ଯୁବତୀ ଏବଂ ମହିଳା ମାନଙ୍କୁ ଟାର୍ଗେଟ କରୁଥିବା ଜଣାପଡ଼ିଛି । ମହିଳା ବା ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ବ୍ଲାକ୍ମେଲ୍ କରି ଟଙ୍କା ହଡ଼ପ କରୁଥିବା ସେ ସ୍ୱୀକାର କରିଛି । ଏପର୍ଯ୍ୟନ୍ତ ୩୦୦ ଯୁବତୀ ଏବଂ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ପଇସା ହଡ଼ପ କରିଥିବା ସୂଚନାରୁ ଜଣାପଡ଼ିଛି ।
ତେବେ ପୋଲିସର ସୂଚନାରୁ ଅଭିଯୁକ୍ତ ଜଣକ ଆନ୍ଧ୍ରପ୍ରଦେଶର ପ୍ରୋଡୋଟୁର ସହରର ୨୩ ବର୍ଷୀୟ ପ୍ରସନ୍ନ କୁମାର ବୋଲି ଜଣା ପଡ଼ିଛି । ପ୍ରସନ୍ନ ଏକ ବିଟେକ୍ ଡ୍ରପ୍ଆଉଟ୍ ଛାତ୍ର । ୨୦୧୭ରୁ ସେ କଲେଜ ପାଠପଢ଼ା ଛାଡ଼ି ଯୁବତୀ ଏବଂ ମହିଳାମାନଙ୍କୁ ଫସାଇ ସେମାନଙ୍କଠାରୁ ଟଙ୍କା ହଡ଼ପ କରିବା ଧନ୍ଦା ଆରମ୍ଭ କରିଥିଲା । ସେଇ ଟଙ୍କାରେ ସେ ବିଳାଶ ଜୀବନ ବିତାଉଥିଲା । ଏବଂ ତା ବିଳାଶ ଜୀବନ ଶୌଳୀକୁ ଦେଖାଇ ସୋସିଆଲ ମିଡିଆରେ ସେ ମହିଳା ଏବଂ ଯୁବତୀମାନଙ୍କୁ ଆକର୍ଷିତ କରୁଥିଲା । ତେବେ ମହିଳା ଏବଂ ଯୁବତୀମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସମୟରେ ସେ ସେମାନଙ୍କର ଫୋଟ କିମ୍ବା ଭିଡିଓ ବନେଇ ରଖୁଥିଲା ଏବଂ ପରେ ତା ଦ୍ୱାରା ବ୍ଲାକ୍ମେଲ କରି ମହିଳା ଏବଂ ଯୁବତୀମାନଙ୍କଠାରୁ ପଇସା ଅବା ସୁନା ହଡ଼ପ କରୁଥିଲା । ଯେଉଁମାନେ ଏକା ସାଙ୍ଗରେ ଦେଇପାରୁନଥିଲେ ସେମାନଙ୍କଠାରୁ କିସ୍ତି ହିସାବରେ ପଇସା ହଡ଼ପ କରୁଥିଲା । ତେବେ ଗୁପ୍ତ ଫୋଟ କିମ୍ବା ଭିଡିଓ ଥିବାରୁ କୌଣସି ବି ମହିଳା କିମ୍ବା ଯୁବତୀ ପ୍ରସନ୍ନ ନାରେ ଗୋଟିଏ ଭି ଅଭିଯୋଗ କରିନଥିବା ପୋଲିସ କହିଛି ।
ପୂର୍ବରୁ ୨୦୧୭ରେ ସୁନା ଚୋରୀ ପାଇଁ ପୋଲିସ ତାକୁ ଗିରଫ କରିଥିଲା । ହେଲେ କିଛି ଦିନ ଜେଲରେ ରହି ବେଲ୍ରେ ମୁକୁଳିବା ପରେ ସେ ପୁଣି ତାର ପୁରୁଣା ଧନ୍ଦା ଆରମ୍ଭ କରିଦେଇଥିଲା । ତେବେ ଗତ ଜୁଲାଇରେ ପୋଲିସ ତାକୁ ଚାକିରି ଜାଲିଆତି ସମ୍ପର୍କିତ ଏକ ମାମଲାରେ ଗିରଫ କରିଛି । ଉକ୍ତ ଘଟଣାରେ ଜେରା କରାଯିବା ସମୟରେ ସେ ମହିଳା ମାନଙ୍କୁ ଫସାଇ ପଇସା ହଡ଼ପ କରୁଥିବା ପୋଲିସ ଆଗରେ ସ୍ୱୀକାର କରିଛି । ପ୍ରସନ୍ନ ନିକଟରୁ ପୋଲିସ ୩୦ ଗ୍ରାମ ସୁନା ଏବଂ ନଗଦ ୧.୨୬ ଲକ୍ଷ ଟଙ୍କା ଜବତ କରିଛି ।