ମେଲ୍ବର୍ଣ୍ଣ : ଚଳିତ ସିଜନ୍ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍ର ଦ୍ୱିତୀୟ ଦିନରେ ମଙ୍ଗଳବାର ସର୍ବିୟାର ପୂର୍ବତନ ଏକ ନମ୍ବର ପୁରୁଷ ଖେଳାଳି ନୋଭାକ୍ ଜୋକୋଭିଚ୍ ଦମ୍ଦାର ବିଜୟ ସହ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି । ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ଏହି ଚତୁର୍ଥ ସିଡ୍ ଖେଳାଳିଙ୍କ ମୁକାବିଲା ସ୍ପେନ୍ର ରୋବେର୍ଟୋ କାରବାଲେସ୍ ବାଏନାଙ୍କ ସହ ହୋଇଥିବା ବେଳେ ଏଥିରେ ୬-୩,୬-୪,୬-୦ରେ ବିଜୟୀ ହୋଇଛନ୍ତି । ୩୫ ବର୍ଷୀୟ ଜୋକୋଭିଚ୍ଙ୍କୁ ଗତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାଗ ନେବାର ସୁଯୋଗ ମିଳି ନ ଥିଲା । ସେ ଏହି ଟୁର୍ଣ୍ଣାମେଣ୍ଟ୍ରେ ଯୋଗଦେବା ସକାଶେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ ମଧ୍ୟ କୋଭିଡ୍ ଟିକା ନେଇ ନ ଥିବାରୁ ତାଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା । ତେବେ ଏଠାରେ ନିଜର ଦଶମ ଟାଇଟଲ୍ ବିଜୟ ଦିଗରେ ମଙ୍ଗଳବାର ଜୋକୋଭିଚ୍ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି । ଏଠାକାର ରଡ୍ ଲାଭେର୍ ଏରେନାଠାରେ ମ୍ୟାଚ୍ରେ ଭାଗ ନେବା ସକାଶେ ଜୋକୋଭିଚ୍ ପହଞ୍ଚିବା ପରେ ତାଙ୍କୁ ଦର୍ଶକମାନେ ସର୍ବିୟା ପତାକା ଓ ସ୍ଲୋଗାନ୍ ସହ ସ୍ୱାଗତ କରିଥିଲେ । ଦର୍ଶକଙ୍କ ଏପରି ଆଦରରେ ଜୋକୋଭିଚ୍ ବେଶ୍ ଅଭିଭୂତ ହୋଇପଡ଼ିଥିଲେ ଓ ସମସ୍ତ ଦର୍ଶକଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଥିଲେ । ଏଠାରେ ଚାମ୍ପିଅନ୍ ହେଲେ ଜୋକୋଭିଚ୍ ଗତ ବର୍ଷର ଚାମ୍ପିଅନ୍ ସ୍ପେନୀୟ ଖେଳାଳି ରାଫେଲ୍ ନାଡାଲଙ୍କ ସମକକ୍ଷ ହେବେ । ନାଡାଲ୍ ଅଦ୍ୟାବଧି ୨୨ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଥିବା ବେଳେ ଜୋକୋଭିଚ୍ଙ୍କ ଟାଇଟଲ୍ ସଂଖ୍ୟା ୨୧ ରହିଛି । ସେହିପରି ଏଠାରେ ସେ ୧୦ଟି ଟାଇଟଲ୍ ପୂରଣ କରି ସର୍ବାଧିକ ଟାଇଟଲ୍ ହାସଲ କରିଥିବା ଖେଳାଳି ସୂଚୀରେ ତୃତୀୟ ସ୍ଥାନରେ ରହିବା ଲକ୍ଷ୍ୟରେ ଅଛନ୍ତି । ଏବେ ଏହି ସୂଚୀରେ ଏକ ନମ୍ବରରେ ନାଡାଲ୍ (୧୪) ଓ ଦ୍ୱିତୀୟ ସ୍ଥାନରେ ମାର୍ଗାରେଟ୍ କୋର୍ଟ (୧୧) ରହିଛନ୍ତି । ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ ମ୍ୟାଚ୍ରେ ନରୱେର ଦ୍ୱିତୀୟ ସିଡ୍ ଖେଳାଳି କ୍ୟାସ୍ପର୍ ରୁଡ୍ ଚେକ୍ ଗଣରାଜ୍ୟର ଟୋମାସ୍ ମାଚାକ୍ଙ୍କୁ ୬-୩,୭-୬(୮/୬),୬-୭(୫/୭),୬-୩ରେ ପରାସ୍ତ କରିଛନ୍ତି । ଆହୁରି ପଞ୍ଚମ ସିଡ୍ ରୁଷିଆର ଆଣ୍ଡ୍ରେ ରୁବଲେଭ୍ ଅଷ୍ଟ୍ରିଆର ଡୋମିନିକ୍ ଥିମ୍ଙ୍କୁ ୬-୩,୬-୪,୬-୨ରେ ହରାଇ ଦ୍ୱିତୀୟ ରାଉଣ୍ଡ୍କୁ ଉନ୍ନୀତ ହୋଇଛନ୍ତି ।
ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍ ଟୁନିସିଆର ଓନ୍ସ ଜାବିଉର୍ ସ୍ଲୋଭେନିଆର ଟାମାର ଜିଡାନ୍ସେକ୍ଙ୍କୁ ୭-୬(୧୦/୮),୪-୬,୬-୧ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ୍ରେ ପହଞ୍ଚିଛନ୍ତି । ଆହୁରି ଚତୁର୍ଥ ସିଡ୍ ଫ୍ରାନ୍ସର କ୍ୟାରୋଲିନ୍ ଗାର୍ସିଆ କାନାଡାର କାଥେରିନ୍ ସେବୋଭ୍ଙ୍କୁ ୬-୩,୬-୪ରେ ଓ ପଞ୍ଚମ ସିଡ୍ ବେଲାରୁଷ୍ର ଆରିନା ସାବାଲେଙ୍କା ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଟେରେଜା ମାର୍ଟିନ୍କୋଭାଙ୍କୁ ୬-୧,୬-୪ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି ।