ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତ୍ୟେକ ବର୍ଷ ଯେଉଁ ଉପହାର ମିଳିଥାଏ, ସେଗୁଡ଼ିକୁ ପ୍ରତ୍ୟେକ ବର୍ଷ ହିଁ ନିଲାମ କରାଯାଇଥାଏ। ଏଥିରୁ ଅର୍ଜିତ ଅର୍ଥରାଶିକୁ କୌଣସି ବିଶେଷ କାର୍ୟ୍ୟରେ ବିନିଯୋଗ କରାଯାଏ। ଚଳିତ ବର୍ଷ ମୋଦିଙ୍କର ଯେଉଁ ଉପହାରଗୁଡ଼ିକୁ ନିଲାମ କରାଯାଉଛି, ସେଥିରେ ମଧୁବନୀ ପେଣ୍ଟିଙ୍ଗଠୁ ଆରମ୍ଭ କରି ନିକଟରେ ଚେନ୍ନାଇ ଚେସ୍ ଅଲିମ୍ପିୟାଡ୍ ସମୟରେ ପ୍ରସ୍ତୁତ କରାଯାଇଥିବା ଚେସର ସେଟ୍ ମଧ୍ୟ ସାମିଲ ରହିଛି। କହି ରଖୁଛୁ, ପିଏମ୍ ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକର ନିଲାମୀ କାର୍ୟ୍ୟକ୍ରମ ଚତୁର୍ଥ ଥର ପାଇଁ ଆୟୋଜନ କରାଯାଇଛି। ଚଳିତ ବର୍ଷ ମୋଟ ୧,୨୨୨ଟି ଉପହାର ଜିନିଷକୁ ନିଲାମ ପାଇଁ ରଖାଯାଇଛି। ଏ ସବୁର ଏକ ବେସ୍ ପ୍ରାଇଜ୍ ସ୍ଥିର କରାଯାଇଛି ଏବଂ ସେହି ପ୍ରାଇଜ୍ ଉପରେ ଲୋକମାନେ ନିଲାମ ଡାକ କରିବେ। ଏଥିରେ ରାଜ୍ୟଗୋଷ୍ଠୀ, ଅଲିମ୍ପିକ୍ ଖେଳାଳିମାନଙ୍କ ଦ୍ୱାରା ଦିଆଯାଇଥିବା ଉପହାର ତାଲିକାରେ ଅନ୍ତର୍ଭୁକ୍ତ ରହିଛି। ଏତଦ୍ ବ୍ୟତୀତ ଭିନ୍ନ ଭିନ୍ନ କଳାକୃତି, ମୂର୍ତ୍ତି ମଧ୍ୟ ସାମିଲ କରାଯାଇଛି। ଚଳିତ ବର୍ଷ ଯେଉଁ ବି ପଇସା ଆସିବ, ତାହା ନମାମି ଗଙ୍ଗେ ପ୍ରୋଜେକ୍ଟକୁ ଯିବ। ଏହି ଅକ୍ସନ ପ୍ରକ୍ରିୟା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ୟ୍ୟନ୍ତ ଚାଲିବ।ଉପହାର ତାଲିକାରେ ସବୁଠୁ କମ୍ ୧୦୦ ଟଙ୍କାର ଉପହାର ସହିତ ୫ ଲକ୍ଷ ଟଙ୍କାର ଗିଫ୍ଟ ଆଇଟମ୍ ମଧ୍ୟ ସାମିଲ ରହିଛି। ଉପହାରଗୁଡ଼ିକର ମୂଲ୍ୟ ସମେତ ସମସ୍ତ ସୂଚନା ଅଫିସିଆଲ େଓ୍ଵବ୍ସାଇଟ pmmementos.gov.inରେ ଉପଲବ୍ଧ ରହିଛି। ଆପଣ ସେଠାକୁ ଯାଇ ଉପହାର ଦେଖି ଏବଂ କିଣି ପାରିବେ।ସଂସ୍କୃତି ମନ୍ତ୍ରାଳୟ ଗତବର୍ଷ ନିଲାମୀରୁ ପାଖାପାଖି ୧୬ କୋଟି ଟଙ୍କା ଅର୍ଜନ କରିଥିଲା। ଗତବର୍ଷ ୧୩୦୦ରୁ ଅଧିକ ଜିନିଷକୁ ନିଲାମ କରାଯାଇଥିଲା।