ଖୋର୍ଦ୍ଧା : ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଜ୍ୱାଇଁର କଟୁରୀ ଚୋଟରେ ସ୍ତ୍ରୀ ଓ ଶ୍ୱଶୁର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଛତାବର ପଞ୍ଚାୟତ ଅରିଶଲ ଗ୍ରାମର କବିରାଜ ନାୟକ ଓ ତାଙ୍କ ଝିଅ । ଏନେଇ କବିରାଜ ଇମ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଅରିଶଲରେ ଘରଜ୍ୱାଇଁ ଭାବେ ରହୁଥିବା ଭଦ୍ରକ ଜିଲ୍ଲା ପଦ୍ମପୁରର ଗଙ୍ଗା ତରେଇ (୨୭) । ଇମ୍ଫୋଭ୍ୟାଲି ଥାନା ପୁଲିସ ଗଙ୍ଗାକୁ ଗିରଫ କରି ଅଦାଲତ ଚାଲଣ କରିଛି ।
ମିଳିଥିବା ସୂଚନା ଅନୁସାରେ ଗଙ୍ଗା ଅରିଶଲ ଗ୍ରାମର କବିରାଜ ନାୟକଙ୍କ ଝିଅକୁ ବିବାହ କରି ଘରଜ୍ୱାଇଁ ଭାବେ ରହିଛି ।ଗତ ୭ ତାରିଖ ମଧ୍ୟାହ୍ନରେ ଘରେ ସମସ୍ତେ ଥିବା ସମୟରେ ଗଙ୍ଗାର ଅନ୍ୟ ଏକ ମହିଳା ସହ ଅବୈଧ ସମ୍ପର୍କ ଥିବା କଥା ତାର ସ୍ତ୍ରୀ କହିଥିଲା । ଏହି କଥାକୁ ନେଇ ଗଙ୍ଗା ଓ ତାର ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ଗଙ୍ଗାର ଏପରି ପ୍ରକୃତିକୁ ତାର ଶ୍ୱଶୁର ଓ ଘରର ସମସ୍ତ ସଦସ୍ୟ ବିରୋଧ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଗଙ୍ଗା ଏକ କଟୁରୀ ଧରି ଶ୍ୱଶୁର ଓ ସ୍ତ୍ରୀକୁ ହାଣି ପକାଇ ଥିଲା । ଫଳରେ ଶ୍ୱଶୁର କବିରାଜ ଓ ତାଙ୍କ ଝିଅ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଇମ୍ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇବା ସହ ଅଭିଯୁକ୍ତ ଘରଜ୍ୱାଇଁକୁ ଗିରଫ କରି ଅଦାଲତ ଚାଲଣ କରିଛି ।