ୟୋଚିଓନ୍ : ଏଠାରେ ଚାଲିଥିବା ଏସିଆନ୍ ଅଣ୍ଡର୍-୨୦ ଆଥଲେଟିକ୍ସ ଚାମ୍ପିଅନ୍ଶିପ୍ର ପ୍ରଥମ ଦିନରେ ରବିବାର ଭାରତୀୟ ପ୍ରତିଯୋଗୀମାନେ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଦ୍ୱିତୀୟ ଦିନରେ ଏହି ଧାରାକୁ ଆଗେଇ ନେଇଛନ୍ତି ଯୁବ ଶଟ୍ପୁଟର୍ ସିଦ୍ଧାର୍ଥ ଚୌଧୁରୀ । ଏହି ୧୭ ବର୍ଷୀୟ ଆଥଲେଟ୍ ଜଣକ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ଦଳ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ପୂର୍ବରୁ ୧୯.୧୧ ମିଟର ଦୂରତା ହାସଲ କରିଥିବା ସିଦ୍ଧାର୍ଥ ସୋମବାର ୧୯.୫୨ ମିଟର ଦୂରକୁ ଶଟ୍ପୁଟ୍ ଫିଙ୍ଗିବାରେ ସକ୍ଷମ ହୋଇଥିଲେ । ସିଦ୍ଧାର୍ଥଙ୍କ ବ୍ୟତୀତ ସୋମବାରର ବିଭିନ୍ନ ଇଭେଣ୍ଟ୍ରେ ଭାରତୀୟ ପ୍ରତିଯୋଗୀମାନେ ପ୍ରଭାବିତ କରିଥିଲେ । ସେମାନଙ୍କ ମଧ୍ୟରୁ ଶିବମ୍ ଲୋହାକାରେ ଜାଭେଲିନ୍ ଥ୍ରୋ’ରେ ୭୨.୩୪ ମିଟର ଦୂରତା ସହ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାଛଡ଼ା ଶାରୁକ୍ ଖାନ୍ ପୁରୁଷ ୩୦୦୦ ମିଟର ଷ୍ଟିପଲ୍ଚେଜ୍ରେ ୮ ମିନିଟ୍ ୫୧.୭୪ ସେକେଣ୍ଡ୍ ସମୟ ନେଇ ରୌପ୍ୟ ଜିତିଛନ୍ତି ।
ଆହୁରି ଲଙ୍ଗ୍ ଜମ୍ପ୍ରେ ମହିଳା ପ୍ରତିଯୋଗୀ ସୁସ୍ମିତା ୫.୯୬ ମିଟର ଦୂରକୁ ଡେଇଁ ରୌପ୍ୟ ଜିତିଥିବା ବେଳେ ଭାରତର ୪ ଗୁଣା ୪୦୦ ମିଟର ରିଲେ ଟିମ୍ ୩ ମିନିଟ୍ ୩୦.୧୨ ସେକେଣ୍ଡ୍ ସମୟ ନେଇ ବ୍ରୋଞ୍ଜ୍ ପଦକ ଜିତିଛି । ସେହିପରି ୮୦୦ ମିଟର ଦୌଡ଼ରେ ଶକିଲ୍ଙ୍କୁ ବ୍ରୋଞ୍ଜ୍ ପଦକ ମିଳିଛି, ଯିଏକି ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିବା ସକାଶେ ୧ ମିନିଟ୍ ୪୯.୭୯ ସେକେଣ୍ଡ୍ ସମୟ ନେଇଥିଲେ ।