ନୂଆଦିଲ୍ଲୀ: ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ୍ ୟି ଭାରତ ଗସ୍ତରେ ଆସି ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ୱାଙ୍ଗ୍ ୟି ଆସନ୍ତାକାଲି ବିଦେଶ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ଙ୍କୁ ଭେଟିପାରନ୍ତି । ଏହି ଗସ୍ତକୁ ନେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଶୟ ଲାଗି ରହିଥିଲା ଏବଂ ଦିଲ୍ଲୀରେ ଚୀନ୍ ବିଦେଶ ମନ୍ତ୍ରୀ ପହଞ୍ଚିବା ପର୍ଯ୍ୟନ୍ତ ମଧ୍ୟ ଏ ସମ୍ପର୍କରେ ଆଧିକାରିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା । ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଏହା ଭାରତକୁ ଚୀନ୍ର ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ । ଲଦାଖରେ ଚୀନ୍ର ବାରମ୍ବାର ଅତିକ୍ରମଣ ଏବଂ ଗଲ୍ୱାନ୍ ଘାଟିରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କରେ ବହୁ ଅବନତି ଘଟିଛି ।