31.1 C
Bhubaneswar
Sunday, May 19, 2024
Homeଓଡିଶାଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ଘଟଣା : ମିଳିଲା ଆଇଏସଆଇ ଏଜେଣ୍ଟ ମାନଙ୍କ ସହ ଚାଟିଙ୍ଗର...

ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ଘଟଣା : ମିଳିଲା ଆଇଏସଆଇ ଏଜେଣ୍ଟ ମାନଙ୍କ ସହ ଚାଟିଙ୍ଗର ତଥ୍ୟ

ଭୁବନେଶ୍ବର :  ଜମ୍ମୁ କାଶ୍ମୀର ପୁଲିସ୍‌ର ମୋଷ୍ଟୱାଣ୍ଟେଡ୍‌ ତାଲିକାରେ ଥିବା ଜଣେ ଆତଙ୍କବାଦୀ ସୟଦ ଈଶାନ ବୁଖାରୀକୁ କ୍ରାଇମ୍‌‌ବ୍ରାଞ୍ଚ୍‌ର ଏସ୍‌‌ଟିଏଫ୍ ଗତକାଲି ଯାଜପୁରରୁ ଗିରଫ କରିଛି। ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ସେ ଦୀର୍ଘ ୫ବର୍ଷ ଧରି ଜିଲ୍ଲାର ନେଉଳପୁରରେ ଛଦ୍ମବେଶରେ ଲୁଚିଥିଲା। କେବଳ ଡାକ୍ତର ନୁହେଁ; କେେତବେଳେ ସେ ନିଜକୁ ପ୍ରଧାନମନ୍ତ୍ରୀ ଅଫିସ୍‌‌ର କର୍ମଚାରୀ ତ ଆଉ କେତେବେଳେ ଅନ୍ୟ କୌଣସି ବଡ଼ ଅଫିସର୍‌ ଥିବା କହି ବହୁରୂପୀ ଏଣ୍ଡୁଅ ଭଳି ସେ ବାରମ୍ବାର ପରିଚୟ ବଦଳାଉଥିବାରୁ, ପୁଲିସ ତା’ର ଅସଲ ରୂପ ଜାଣିପାରୁ ନ ଥିଲା। ଏସ୍‌‌ଟିଏଫ୍ ଆଜି ତାକୁ ଗିରଫ କରିବା ପରେ ତା’ର ଜନ୍ମ କୁଣ୍ଡଳୀ ବାହାର କରିଛି। ତା’ ପାଖରୁ ଜବତ ହୋଇଥିବା ବିଭିନ୍ନ ମେଡିକାଲ ସାର୍ଟି‌ଫିକେଟ୍‌ ସହ ୧୦୦ରୁ ଊର୍ଦ୍ଧ୍ବ ଡକ୍ୟୁମେଣ୍ଟ ଜାଲ୍‌ ବୋଲି କ୍ରାଇମବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ‘ଆଇଏସ୍‌‌ଆଇ’ ସହ ମଧ୍ୟ ତା’ର ଲିଙ୍କ୍‌ ଥିବା ନେଇ ସୂଚନା ମିଳିଛି। ତେଣୁ ଏନ୍‌‌ଆଇଏ, ଜାମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ୟୁପି ପୁଲିସ ଏ ବାବଦରେ ତାକୁ ଅଧିକ ଜେରା କରିବାକୁ ଓଡ଼ିଶା ଆସିବେ ବୋଲି ଜଣାଯାଇଛି। ସୟଦ ଈଶାନ ବୁଖାରୀ ହ୍ବାଟ୍ସଆପ୍‌ରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ‘ଆଇଏସ୍‌‌ଆଇ’ ସହ ସମ୍ପର୍କ ବିଷୟରେ ଜଣାପଡିଛି। ହ୍ବାଟ୍ସଆପ୍‌ରେ ସେ ‘ଆଇଏସ୍‌‌ଆଇ’ ଏଜେଣ୍ଟ ମାନଙ୍କ ସହ କଥା ହୋଇଥିବା ଜାଣିପାରିଛି କ୍ରାଇମ୍‌‌ବ୍ରାଞ୍ଚ୍‌ର ଏସ୍‌‌ଟିଏଫ୍। ଏନେଇ କ୍ରାଇମ୍‌‌ବ୍ରାଞ୍ଚ୍‌ର ଏସ୍‌‌ଟିଏଫ୍ ଏସ୍‌ପି କିଶୋର ପାଣିଗ୍ରାହୀ କହିଛନ୍ତି ଗିରଫ ହୋଇଥିବା ବୁଖାରି ଜୁଡିସିଆଲ କଷ୍ଟଡିରେ ଅଛି। ତାକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ଏସ୍‌‌ଟିଏଫ୍ । ବୁଖାରୀ ମୋବାଇଲରୁ ପାକିସ୍ତାନ ନମ୍ବର ମିଳିଛି। ବୁଖାରୀର ସିଡିଆର୍‌ ଆନାଲିସିସ୍ ପାଇଁ ଲେଖିଛୁ। ବୁଖାରୀର ଆତଙ୍କୀ ଲିଙ୍କ୍ ନେଇ ସନ୍ଦେହ ହେବାରୁ NIA ସହ ଯୋଗାଯୋଗରେ ଅଛୁ।  ସୟଦ ଈଶାନ ବୁଖାରୀର ୬ ଟି ବ୍ୟାଙ୍କ ଆକାଉଣ୍ଟ ବର୍ତ୍ତମାନ ସୁଦ୍ଧା ମିଳିଛି। ଖୁବଶୀଘ୍ର ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ଫ୍ରିଜ କରାଯିବ। ତାର ଅନୟୁଜୁଆଲ ଅର୍ଥନୈତିକ କାରବାର ସମ୍ବନ୍ଧରେ ଏସ୍‌‌ଟିଏଫ୍ ତଦନ୍ତ କରୁଛି । ତା ର ସ୍ତ୍ରୀ ମାନଙ୍କୁ ଖୁବ ଶୀଘ୍ର ଯୋଗାଯୋଗ କରାଯିବ ବୋଲି ଏସ୍‌‌ଟିଏଫ୍ ଏସ୍‌ପି କିଶୋର ପାଣିଗ୍ରାହୀ କହିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଆତଙ୍କୀ ବୁଖାରୀର ଘର କାଶ୍ମୀର କୁପୱାଡ଼ାରେ। ତା’ ନାଁରେ ସେଠାକାର ବିଭିନ୍ନ ଥାନାରେ ଆପରାଧିକ ମାମଲା ରହିଛି। ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ତା’ର ସମ୍ପର୍କ ରହିଛି। ଏଥିସହ ବିଭିନ୍ନ ଜାଲିଆତି କାର୍ଯ୍ୟରେ ମଧ୍ୟ ସେ ସମ୍ପୃକ୍ତ। କାଶ୍ମୀର ପୁଲିସ୍‌ ତାକୁ ଖୋଜୁଥିବା ବେଳେ ସେ କାଶ୍ମୀର ଛାଡ଼ି କେରଳ ପଳାଇ ଯାଇଥିଲା। ସେହିଠାରୁ ସେ ନିଜର ଚିତ୍ରଚରିତ୍ର ବଦଳାଇ ଦେଇଥିଲା। କେତେବେଳେ ସେ ନିଜକୁ ସ୍ନାୟୁ ବିଶେଷଜ୍ଞ ଡାକ୍ତରର ପରିଚୟ ଦେଉଥିଲା ତ ଆଉ କେତେବେଳେ ପିଏମ୍‌‌ଓ ଅଫିସ୍‌ର କର୍ମଚାରୀ ବୋଲି କହୁଥିଲା। ସେହିପରି କେତେବେଳେ ନିଜକୁ ସେନା ଡାକ୍ତର ବୋଲି ମଧ୍ୟ ପରିଚୟ ଦେଇ ଏକାଧିକ ଯୁବତୀଙ୍କୁ ବି ନିଜ ପ୍ରେମ ଜାଲରେ ଫସାଉଥିଲା। ସୁନ୍ଦରସୁନ୍ଦର ଝିଅଙ୍କ ପ୍ରୋଫାଇଲ୍‌ ଦେଖି ସୋଶିଆଲ ମିଡ଼ିଆରେ ସେମାନଙ୍କୁ ପ୍ରେମ ନିବେଦନ କରୁଥିଲା। ଏମିତି ମିଥ୍ୟା ପ୍ରେମ ଜାଲରେ ଫସାଇ ସେ ଦେଶର ବିଭିନ୍ନ ରାଜ୍ୟରେ ୬ରୁ ୭ଜଣଙ୍କୁ ବିବାହ କରିଛି। କାଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କେରଳ, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ବିବାହ କରିଛି। ତା’ ନାମରେ ୟୁପିରେ ଲଭ୍‌‌ ଜିହାଦ ମାମଲା ମଧ୍ୟ ରହିଛି। ସମାନ ଉପାୟ‌ରେ ସେ ଯାଜପୁର ଜିଲ୍ଲାର ଜଣେ ଯୁବତୀଙ୍କୁ ଫେସ୍‌‌ବୁକ୍‌‌ ମାଧ୍ୟମରେ ପ୍ରେମ ନିବେଦନ କରି ସଫଳ ହେବା ପରେ ତାଙ୍କୁ ବିବାହ କରିଥିଲା। ପରେ ସେ ଯାଜପୁର ନେଉଳପୁର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲା। ସେ ୧୫ଦିନ ଘରେ ରହୁଥିବା ବେଳେ ବାକି ଦିନ ବାହାରକୁ ପଳାଉଥିଲା। ପୁଣି ୨ରୁ ୩ମାସ ପରେ ଆସୁଥିଲା। ତା’ର ଏକ ଛୋଟ ଝିଅ ମଧ୍ୟ ରହିଛି। ୨୦୧୮ ମସିହାରୁ ବୁଖାରୀ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ରହୁଥିଲା। କ୍ରାଇମବ୍ରାଞ୍ଚ ଆଇଜି ଶ୍ରୀ ପଙ୍କଜଙ୍କ କହିବା ଅନୁସାରେ, ବୁଖାରୀର କାର୍ଯ୍ୟକଳାପ ଉପରେ ସନ୍ଦେହ ହେବାରୁ ଏସ୍‌‌ଟିଏଫ୍‌ ତା’ ଉପରେ ତୀକ୍ଷ୍ମ ନଜର ରଖିଥିଲା। ଯାଞ୍ଚ ପରେ ସେ ଜଣେ ଡାକ୍ତର ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ଏହା ପରେ ଏସ୍‌‌ଟିଏଫ ତା’ ଘରେ ଚଢ଼ଉ କରି ବହୁ ନକଲି ଡାକ୍ତର ସାର୍ଟିଫିକେଟ୍‌, ଆଇ କାର୍ଡ, ଏଟିଏମ୍‌‌ କାର୍ଡ, ସିମ୍‌‌କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲା। ୭ ଜଣଙ୍କୁ ବିବାହ କରିଥିବା ସତ୍ତ୍ବେ ସେ ଅନେକ ଯୁବତୀଙ୍କ ସହିତ ବିଭିନ୍ନ ଆପ୍‌‌ରେ ଚାଟ୍‌ କରି ପ୍ରେମ ନିବେଦନ କରୁଥିଲା। ଯାହାର ପ୍ରମାଣ ମୋବାଇଲ୍‌‌ ଓ ଆପ୍‌‌ରୁ ମିଳିଛି। ବର୍ତ୍ତମାନ ସୁଦ୍ଧା ସେ ୬ରୁ ୭ ଜଣଙ୍କୁ ବିବାହ କରିଥିବାର ପ୍ରମାଣ ମିଳିଛି। ସେ ଆହୁରି ଅନେକ ମହିଳାଙ୍କୁ ବିବାହ କରିଥିବା ସନ୍ଦେହ କରାଯାଉଛି। ତା’ ଉପରେ ତଦନ୍ତ ଚାଲିଛି। ଏହାସହ ପଞ୍ଜାବ ଓ କଶ୍ମୀର ପୁଲିସ୍‌‌ ସହିତ ଯୋଗାଯୋଗ କରାଯାଉଛି। ପ୍ରମାଣ ମିଳିଲେ, ସବୁ ସ୍ପଷ୍ଟ ହେବ ବୋଲି ଶ୍ରୀ ପଙ୍କଜ କହିଛନ୍ତି। ବୁଖାରୀର ବାପା ମଧ୍ୟ ଜଣେ ଅପରାଧୀ। ସେ ପଞ୍ଜାବରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ। ଏବେ ଜାମିନ୍‌‌ରେ ଅଛନ୍ତି। ବୁଖାରୀ ବିଭିନ୍ନ ବେଆଇନ କାମ ପାଇଁ ପାକିସ୍ତାନରୁ ଯୁବକ ଯୋଗାଡ଼ କରୁଥିବା ତଦନ୍ତରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking