ନୂଆଦିଲ୍ଲୀ: ୨.୫ ମିଲିଅନ୍ ବର୍ଷ ପୁରୁଣା ଏକ କୃଷ୍ଣକାୟ ମୁଗୁନି ପଥରରେ ନିର୍ମିତ ୫ବର୍ଷୀୟ ବାଳକ ସୁଲଭ ରାମଲାଲାଙ୍କ ପ୍ରତିମାକୁ ରାମମନ୍ଦିରର ଗର୍ଭଗୃହରେ ସ୍ଥାପନା କରାଯାଇସାରିଛି । ତେବେ ରାମଲାଲାଙ୍କ ଆଉ ଏକ ସ୍ୱରୂପକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଗର୍ଭଗୃହ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତି ମଧ୍ୟରୁ ଯେଉଁ ୩ଟି ପ୍ରତିମୂର୍ତ୍ତିକୁ ଚୟନ କରାଯାଇଥିଲା ସେଥିମଧ୍ୟରୁ ଏହି ପ୍ରତିମୂର୍ତ୍ତିଟି ଅନ୍ୟତମ ଥିଲା ।
ତେବେ ଶେଷ ଚୟନ ବେଳକୁ ଏହି ପ୍ରତିମୂର୍ତ୍ତିକୁ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାନଯାଇ ମନ୍ଦିରର ଅନ୍ୟ ପ୍ରାନ୍ତରେ ସ୍ଥାପନ କରାଯିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରକାଶ, ରାଜସ୍ଥାନର ମୂର୍ତ୍ତିକାର ସତ୍ୟନାରାୟଣ ପାଣ୍ଡେ ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରିଥିଲେ । ସମ୍ପୂର୍ଣ୍ଣ ଶୁଭ୍ର ମାର୍ବଲ ପଥର ଖଣ୍ଡରେ ଏହି ମୂର୍ତ୍ତିଟି ନିର୍ମିତ ହୋଇଛି । ସମ୍ପ୍ରତି ଏହି ମୂର୍ତ୍ତି ମନ୍ଦିର ଟ୍ରଷ୍ଟ ନିକଟରେ ରହିଛି । ଏହି ପ୍ରତିମୂର୍ତ୍ତିରେ ମଧ୍ୟ ରାମଲାଲାଙ୍କ ହାତରେ ସୁନାର ନିର୍ମିତ ଧନୁ ଏବଂ ତୀର ଶୋଭା ପାଉଛି । ଆଗାମୀ ଦିନରେ ମନ୍ଦିରର ଅନ୍ୟ ପ୍ରାନ୍ତରେ ରାମଲାଲାଙ୍କ ଏହି ପ୍ରତିମୂର୍ତ୍ତି ଶୋଭାବର୍ଦ୍ଧନ କରିବ ।