ଗଞ୍ଜାମ : ଖଲ୍ଲିକୋଟରେ ସରୁନି ଦାଦନ ମୃତ୍ୟୁର ଦୁଃଖ । ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ମିଳିଛି । ଓମାନର ଏକ କମ୍ପାନୀ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତ କମଳାପଦର ଗ୍ରାମର ପ୍ରଦୀପ ପ୍ରଧାନ । ସୂଚନା ଅନୁଯାୟୀ, ସେ ଓମାନର ଡଲ୍ଫିନ ଟ୍ରେଡିଙ୍ଗ୍ ଏଣ୍ଡ ଇନ୍ଭେଷ୍ଟମେଣ୍ଟ ଏଲଏଲସି କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଗତ ୧୪ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ସ୍ଥାନୀୟ ରାୟଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଗ୍ରାମକୁ ଶବ ଫେରାଇ ଆଣିବାକୁ ଓମାନର ଓଡ଼ିଆ ସମାଜ ପ୍ରତିଷ୍ଠାତା ଡକ୍ଟର ଅରୁଣ ପ୍ରହରାଜଙ୍କୁ ମୃତଙ୍କ ଭାଇ ହର୍ଷ ପ୍ରଧାନ ଯୋଗାଯୋଗ କରିଥିଲେ ।
ବର୍ତ୍ତମାନ ଓମାନରୁ ଶବ ଗାଁକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଚାଲିଛି । ପ୍ରଦୀପଙ୍କ ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ଗୋଟିଏ ଛୋଟ ଝିଅ ଥିବା ବେଳେ ପତ୍ନୀ କନକ କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇଯାଉଛନ୍ତି । ସୂଚନାଥାଉକି ଖଲ୍ଲିକୋଟ ତୋଟାଗାଁର ସୀମାଞ୍ଚଳ ରାଉତ ବାହାରିନରେ ମୃତ୍ୟୁବରଣ କରିଥିବା ବେଳେ ବାହାରିନରେ ଆଉ ଜଣେ ଶ୍ରମିକ କାନ୍ଦିଗାଁରେ ଆତ୍ମହତ୍ୟା କରିଥିଲେ । ଗତ ବର୍ଷକ ମଧ୍ୟରେ ବିଦେଶରେ ଏହିପରି ବହୁ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ କେତେକ ଶ୍ରମିକ କାର୍ଯ୍ୟ କରୁଥିବା କମ୍ପାନୀରେ ବନ୍ଧା ପଡ଼ି ମାଲିକଙ୍କ ନିର୍ଯାତନାର ଶିକାର ହେଉଥିବା ଖବର ଲୋକଲୋଚନକୁ ଆସିଛି । ଉଭୟ ଶବକୁ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ ପ୍ରହରାଜଙ୍କ ଉଦ୍ୟମ କ୍ରମେ ଗ୍ରାମକୁ ଫେରାଇ ଅଣାଯାଇଥିଲା ।