ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୩୮ ଜଣଙ୍କୁ ମେଘାଭି ୱେଲନେସ୍ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି । ସେମାନଙ୍କ ଭିତରେ ୩୦ ଜଣ ଛାତ୍ରୀ ଓ ୮ ଜଣ ଛାତ୍ର ଅଛନ୍ତି । ଏହି ସଫଳତା ପାଇଁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏବେ କ୍ୟାମ୍ପସ ସିଲେକ୍ସନ କାର୍ଯ୍ୟକ୍ରମ ଚାଲିଛି । ଏହିକ୍ରମରେ ଭାରତର ପ୍ରମୁଖ ସ୍ପା’ ସେବା ପ୍ରଦାନକାରୀ ସଂସ୍ଥା ‘ମେଘାଭି’ରେ ୩୮ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି । ସେଥିମଧ୍ୟରେ ‘ବ୍ୟୁଟି ୱେଲନେସ୍ ଆଣ୍ଡ୍ ସ୍ପା’ ବିଷୟରୁ ୧୮ ଜଣ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନ’ରୁ ୨୦ ଜଣ ଅଛନ୍ତି । ‘ବ୍ୟୁଟି ଆଣ୍ଡ ୱେଲନେସ୍’ କ୍ଷେତ୍ରରେ ଅତ୍ୟାଧୁନିକ ସ୍ପା’ ସେବା ପ୍ରଦାନକାରୀ ସଂସ୍ଥା ଭାବେ ସାରା ଦେଶରେ ‘ମେଘାଭି’ର ସ୍ୱତନ୍ତ୍ର ପରିଚୟ ରହିଛି । ଭାରତର ପ୍ରମୁଖ ୧୫ଟି ସହରରେ ଏହି ସଂସ୍ଥାର ୫୦ରୁ ଅଧିକ ଆଉଟଲେଟ୍ ରହିଛି ।
ତା’ଛଡ଼ା ଏହି ସଂସ୍ଥା ଭାରତର ବିଭିନ୍ନ ସ୍ଥାନରେ ଥିବା ପ୍ରମୁଖ ହୋଟେଲଗୁଡ଼ିକୁ ସ୍ପା’ ସେବା ଯୋଗାଇ ଦେଉଛି । ନିଯୁକ୍ତି ପାଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ‘ମେଘାଭି’ର ବିଭିନ୍ନ ଆଉଟଲେଟରେ କାମ କରିବା ସହ ଏହି କମ୍ପାନି ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନରେ ଥିବା ପ୍ରମୁଖ ହୋଟେଲ ଚେନ୍ରେ ମଧ୍ୟ କାମ କରିପାରିବେ । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏବେ ବ୍ୟୁଟି, ୱେଲନେସ୍ ଏବଂ ସ୍ପା ଆଦି ସେବା କ୍ଷେତ୍ର ଲାଗି ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି । ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଥିବା ‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନ’ ଭଳି ଅତ୍ୟାଧୁନିକ ବିଷୟରେ ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ତାଲିମ ଦିଆଯାଉଛି । ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ‘ମେଘାଭି’ ବିଶ୍ୱ ଦକ୍ଷତାକେନ୍ଦ୍ରରୁ କ୍ୟାମ୍ପସ ସିଲେକ୍ସନ ଜରିଆରେ ଛାତ୍ରଛାତ୍ରୀଙ୍କୁ ଚୟନ କରି ଭାରତର ବିଭିନ୍ନ ସ୍ଥାନରେ ନିଯୁକ୍ତି ସୁଯୋଗ ଦେବ । ଏଥିପାଇଁ ନିକଟରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ମେଘାଭି ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି ।