26.1 C
Bhubaneswar
Tuesday, September 17, 2024
Homeଓଡିଶା୨୦୨୩ ପାଇଁ ପଦ୍ମ ପୁରସ୍କାର ଘୋଷଣା; ୬ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ, ଓଡ଼ିଶାରୁ...

୨୦୨୩ ପାଇଁ ପଦ୍ମ ପୁରସ୍କାର ଘୋଷଣା; ୬ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ, ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତବର୍ଷ ପାଇଁ ପଦ୍ମ ପୁରସ୍କାର ତାଲିକା ଘୋଷଣା କରାଯାଇଛି । ମୋଟ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ଭାରତ ରତ୍ନ’ ପାଇଁ କେହି ଯୋଗ୍ୟ ବିବେଚିତ ହୋଇନାହାନ୍ତି । ତେବେ ୬ ଜଣଙ୍କୁ ପଦ୍ମବିଭୂଷଣ ଏବଂ ୯ ଜଣଙ୍କୁ ପଦ୍ମଭୂଷଣ ତାଲିକାଭୁକ୍ତ କରାଯାଇଥିବାବେଳେ ଅବଶିଷ୍ଟ ୯୧ ଜଣ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି । ପଦ୍ମବିଭୂଷଣ ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗୁଜରାଟର ବାଳକୃଷ୍ଣ ଦୋଷି (ବିଶିଷ୍ଟ ସ୍ଥପତି-ମରଣୋତ୍ତର), ମହାରାଷ୍ଟ୍ରର ଜାକିର ହୁସେନ (କଳା), କର୍ଣ୍ଣାଟକର ଏସ.ଏମ୍‌.କ୍ରିଷ୍ଣା (ରାଜନୀତି), ପଶ୍ଚିମବଙ୍ଗର ଦିଲୀପ ମହାଲାନାବିସ୍ (ଭେଷଜ ବିଜ୍ଞାନ), ଆମେରିକାର ଶ୍ରୀନିବାସ ବର୍ଦ୍ଧନ (ବିଜ୍ଞାନ ଓ ଇଞ୍ଜିନିୟରିଂ) ଏବଂ ଉତ୍ତର ପ୍ରଦେଶର ମୁଲାୟମ ସିଂହ ଯାଦବ (ରାଜନୀତି-ମରଣୋତ୍ତର) ସାମିଲ ଅଛନ୍ତି ।

ପଦ୍ମଭୂଷଣ ପାଇଥିବା ବ୍ୟକ୍ତିମାନେ ହେଲେ କର୍ଣ୍ଣାଟକର ଏଲ.ଭାଇରାପ୍ପା (ସାହିତ୍ୟ ଓ ଶିକ୍ଷା), ମହାରାଷ୍ଟ୍ରର କୁମାର ମଙ୍ଗଳମ ବିର୍ଲା (ଶିଳ୍ପଦ୍ୟୋଗ), ମହାରାଷ୍ଟ୍ରର ଦୀପକ ଧର୍ (ବିଜ୍ଞାନ ଓ ଇଞ୍ଜିନିୟରିଂ), ତାମିଲନାଡୁର ସୁଶ୍ରୀ ବାଣୀ ଜୟରାମ (କଳା-ଗାୟିକା), ତେଲେଙ୍ଗାନାର ସ୍ୱାମୀ ଚିନ୍ନା ଜିୟାର (ଆଧ୍ୟାତ୍ମିକତା), ମହାରାଷ୍ଟ୍ରର ସୁଶ୍ରୀ ସୁମନ କଲ୍ୟାଣପୁର (କଳା-ଗାୟିକା), ଦିଲ୍ଲୀର କପିଲ କପୁର (ସାହିତ୍ୟ ଓ ଶିକ୍ଷା), କର୍ଣ୍ଣାଟକର ସୁଶ୍ରୀ ସୁଧା ମୂର୍ତ୍ତି (ସମାଜ ସେବା) ଓ ତେଲେଙ୍ଗାନାର କମଳେଶ ପଟେଲ (ଆଧ୍ୟାତ୍ମିକତା) । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରାକେଶ ରାଧେଶ୍ୟାମ ଝୁନ୍‌ଝୁନ୍‌ୱାଲା (ଶିଳ୍ପଦ୍ୟୋଗୀ-ମରଣୋତ୍ତର), ଡଃ ନଳିନୀ ପାର୍ଥସାରଥି (ଭେଷଜ ବିଜ୍ଞାନ), ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ (କଳା) ଅନ୍ୟତମ ।

ପଦ୍ମଶ୍ରୀ ବିଜେତାଙ୍କ ମଧ୍ୟରେ ୪ ଜଣଙ୍କୁ ମରଣୋତ୍ତରଭାବେ ଏହା ପ୍ରଦାନ କରାଯାଇଛି । ପଦ୍ମ ପୁରସ୍କାର ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା ସାମିଲ ଥିବାବେଳେ ୨ ଜଣ ବିଦେଶୀ ନାଗରିକ ରହିଛନ୍ତି । ଆସନ୍ତା ମାର୍ଚ୍ଚ/ଏପ୍ରିଲରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମାନଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତିବର୍ଷ ସମାଜସେବା, ରାଜନୀତି, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଶିଳ୍ପଦ୍ୟୋଗ, ଭେଷଜ ବିଜ୍ଞାନ, ସାହିତ୍ୟ ଓ ଶିକ୍ଷା, କ୍ରୀଡା ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତିନିଟି କ୍ୟାଟେଗୋରୀ ଯଥା ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking