ନୂଆଦିଲ୍ଲୀ : ହିଟୱେଭ ଖବର ପଢୁ ପଢୁ ଚେତାଶୂନ୍ୟ ହୋଇପଡ଼ିଛନ୍ତି ଜଣେ ଟିଭି ଆଙ୍କର । ଲାଇଭ ନ୍ୟୁଜ ପଢୁଥିବା ବେଳେ ହଠାତ ତାଙ୍କ ରକ୍ତଚାପ ମାତ୍ରା ହ୍ରାସ ପାଇବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଦୂରଦର୍ଶନର କୋଲକାତା ଶାଖାରେ କାର୍ୟ୍ୟରତ ସାମ୍ବାଦିକାଙ୍କ ସହିତ ଘଟିଛି ଏପରି ଘଟଣା ।ଦୂରଦର୍ଶନ କୋଲକାତା ଶାଖାର ଆଙ୍କର ଭାବେ ଲୋପାମୁଦ୍ରା ସିହ୍ନା କାମ କରନ୍ତି । ପାଣିପାଗ ଖବର ପଢିବା ପୂର୍ବରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏନେଇ ଏକ ଭିଡିଓରେ ଆଙ୍କର ଜଣକ କହିଛନ୍ତି, ” ହଠାତ ଟେଲିପ୍ରମ୍ପଟର ମୋତେ ସ୍ପଷ୍ଟ ଦିଶୁନଥିଲା ଓ ମୁଁ ଚେତାଶୂନ୍ୟ ହୋଇପଡ଼ିଥିଲି । ଅସହ୍ୟ ତାତି ସାଙ୍ଗକୁ ମୋର ରକ୍ତଚାପ ହ୍ରାସ ପାଇବା ପରେ ଚେତାଶୂନ୍ୟ ହୋଇପଡ଼ିଥିଲି । ଶୀତତାପ ନିୟନ୍ତ୍ରଣ ଯନ୍ତ୍ରରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଷ୍ଟୁଡିଓରେ ହଠାତ ଗରମ ବୃଦ୍ଧି ପାଇଥିଲା ।” ସେ ଆହୁରି କହିଛନ୍ତି ଯେ ସକାଳେ ସେ ଅସୁସ୍ଥ ଅନୁଭବ କରୁଥିଲେ । ସକାଳେ ଖବର ପଢିବା ସମୟରେ ତାଙ୍କ ତଣ୍ଟି ଶୁଖିଯାଉଥିଲା ।” ମୋ ପାଖରେ ପାଣି ବୋତଲ ମଧ୍ୟ ନଥିଲା । ଏହି ବୁଲେଟିନଟି ୧୫ରୁ ୩୦ ମିନିଟ ଥିଲା । ମୋ ୨୧ ବର୍ଷ କ୍ୟାରିଅର ମଧ୍ୟରେ ଖବର ପଢିବା ସମୟରେ ମୁଁ ଟୋପାଏ ପାଣି ମଧ୍ୟ ପିଏ ନାହିଁ । କିନ୍ତୁ ଆଜି ୧୫ ମିନିଟ ଖବର ପଢିବା ପରେ ମୋ ତଣ୍ଟି ଶୁଖିଯାଇଥିଲା । ଯେତେବେଳେ ଟିଭିରେ ଅନ୍ୟ କୌଣସି ଖବର ସମ୍ବନ୍ଧୀୟ ଭିଡିଓ ଚାଲୁଥିଲା, ମୋ ଉପରେ କ୍ୟାମେରା ନଥିଲା, ସେତେବେଳେ ଅନ୍ୟ ଜଣେ କର୍ମୀଙ୍କୁ ମୁଁ ପାଣି ମାଗିଥିଲି । ହେଲେ ପାଣି ପିଇବା ପାଇଁ ମୋ ନିକଟରେ ସମୟର ଅଭାବ ରହିଥିଲା । ବୁଲେଟିନ ଶେଷ ହେବା ବେଳେ ଯେତେବେଳେ ଏକ ଭିଡିଓ ଚାଲିଥିଲା, ସେତେବେଳେ ମୁଁ ପାଣି ପିଇବା ପାଇଁ ସୁଯୋଗ ପାଇଥିଲି ।” ପାଣି ପିଇବା ପରେ ସେ ଉକ୍ତ ଖବରଟିକୁ ସମ୍ପୂର୍ଣ୍ଣ ପଢିଥିଲେ । ହେଲେ ଯେତେବେଳେ ଆଉ ୨ଟି ଖବର ପଢିବା ବାକି ଥିଲା, ସେତେବେଳେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ହିଟୱେଭ ଖବର ପଢିବା ବେଳେ ତାଙ୍କୁ ଟେଲିପ୍ରମ୍ପଟର ସ୍ପଷ୍ଟ ଭାବେ ଦେଖା ଯାଇନଥିଲା । ସୌଭାଗ୍ୟବଶତଃ ଦର୍ଶକ ଏହାକୁ ଦେଖିପାରିନାହାନ୍ତି । କାରଣ ଆଙ୍କର ଚେତାଶୂନ୍ୟ ହେବା ବେଳେ ୩୦ରୁ ୪୦ ସେକେଣ୍ଡ ଆନିମେସନ ଭିଡିଓ ଚାଲିଥିଲା । ଏହି ସମୟରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହାପରେ ଉପସ୍ଥିତ ଅନ୍ୟ କର୍ମଚାରୀ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ଉପସ୍ଥାପିକାଙ୍କ ଚେତା ଫେରିଥିଲା ।