ଗୁଣପୁର : କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ଭାଷାଜନିତ ବିବାଦ ଉପୁଜାଇ ରାୟଗଡ଼ା ଜିଲ୍ଲା ମରମା ପଞ୍ଚାୟତସ୍ଥିତ ଇରିଡି ଘାଟିଠାରେ ନିଜ ଆଧିପତ୍ୟ ବିସ୍ତାର କରିଥିବା ଆନ୍ଧ୍ର ସରକାରଙ୍କ ଚାଲବାଜିକୁ ଭଣ୍ଡ କରିଛନ୍ତି ଗୁଣପୁର ଉପଜିଲ୍ଲାପାଳ ଜେ. ସୋନାଲ । ପ୍ରଶାସନ ଓ ବନ ବିଭାଗ କର୍ମଚାରୀମାନଙ୍କ ଆଖିରେ ଧୂଳିମାରି ଇରିଡି ଘାଟିରେ ଏକ କି.ମି ରୁ ଅଧିକ ରାସ୍ତା ନିର୍ମାଣ କରିଚାଲିଛନ୍ତି ଆନ୍ଧ୍ର ସରକାର । ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ସ୍ଥାନୀୟ ଉପଜିଲ୍ଲାପାଳ ଜେ.ସୋନାଲଙ୍କ ପାଦ ପଡ଼ିଛି ଉକ୍ତ ଘଟଣାସ୍ଥଳରେ ।
ଓଡ଼ିଶାର ବିଭିନ୍ନ ସୀମା ସଂଶ୍ଲିଷ୍ଟ ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ଆନ୍ଧ୍ର ସରକାରଙ୍କ ଆଧିପତ୍ୟତା ପଦାରେ ପଡ଼ିଆସୁଥିବାବେଳେ ସ୍ଥାନୀୟ ଉପଜିଲ୍ଲାପାଳ ବିଭିନ୍ନ ସୀମା ଅଞ୍ଚଳ ଗସ୍ତ କରିଛନ୍ତି । ସେହି ସମୟରେ ଦୃଷ୍ଟିକୁ ଆସିଥିଲା ଓଡ଼ିଶାର ସୀମାନ୍ତ ଅଞ୍ଚଳ ଇରିଡି ଘାଟି । ସୀମା ଅନୁସନ୍ଧାନ ପରେ ଆନ୍ଧ୍ରପ୍ରଦେଶ ଚତୁରତା ବଳରେ ଓଡ଼ିଶା ସୀମା ଅକ୍ତିଆର କରିଥିବା ନେଇ ଜଣାପଡିଥିଲା । ସୂଚନାଯୋଗ୍ୟ, ଇରିଡି ଘାଟି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତର ଅଂଶବିଶେଷ । ଏଠାରେ ଆନ୍ଧ୍ରର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ଯୋଜନା କରାଯାଇଛି । ଉକ୍ତ ରାସ୍ତାର ଅଧିକାଂଶ କାର୍ଯ୍ୟ ସରିଥିବାବେଳେ ପିଚୁ ଢାଳିବା କାର୍ଯ୍ୟ ବାକି ରହିଥିଲା । ସ୍ୱଳ୍ପ ସମୟ ମଧ୍ୟରେ ଯାତାୟାତ ସୁବିଧାର ଲକ୍ଷ୍ୟ ନେଇ ଆଣ୍ଟିଝୋଲା, ଗୁଜୁବାଇ ଦେଇ ମୁନମଖଳା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ଠିକ୍ ସମୟରେ ଗୁଣପୁର ଉପଜିଲ୍ଲାପାଳ ସୂଚନା ପାଇ ସେହି ଅଞ୍ଚଳର ପରିସ୍ଥିତି ଅନୁଧ୍ୟାନ କରି ସୀମାନ୍ତ ଅଞ୍ଚଳରେ ସୀମା ଫଳକ ଲଗାଇବା ପାଇଁ ବ୍ଲକ ଏବଂ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବିଡ଼ମ୍ବନାର ବିଷୟ, ଏତେ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟରତ କ୍ଷେତ୍ର ଅଧିକାରୀ ଯଥା ରାଜସ୍ୱ, ପଞ୍ଚାୟତ ଏବଂ ଜଙ୍ଗଲ ବିଭାଗ କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ଉଠିଛି ନାନା ପ୍ରଶ୍ନବାଚୀ । ଉପଜିଲ୍ଲାପାଳଙ୍କ ଗସ୍ତ ପରେ ସେହି ଅଞ୍ଚଳରେ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ସୀମା ସ୍ଥାନରେ ମରମା ପଞ୍ଚାୟତ ପକ୍ଷରୁ ଫଳକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏ ନେଇ ଗୁଣପୁର ଉପଜିଲ୍ଲାପାଳ ଜେ.ସୋନାଲଙ୍କ ସହ ଯୋଗାଯୋଗ କରିବାରୁ ପ୍ରଶାସନର ଦୋଷତ୍ରୁଟି ଏବଂ ଅବହେଳା ହୋଇଥିବା ସ୍ୱୀକାର ସହ ଏ ନେଇ ରାୟଗଡ଼ା ଜିଲ୍ଲାପାଳଙ୍କୁ ଫଟୋ ସହ ସମସ୍ତ ତଥ୍ୟ ପ୍ରେରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି ।