ଭୁବନେଶ୍ୱର: ଜୁନ୍ ପହିଲାରୁ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ଅଭାବୀ ବର୍ଷା ରେକର୍ଡ ହୋଇଥିଲା । ହେଲେ କେବଳ ସେପ୍ଟେମ୍ବର ମାସରେ ୪ଟି ଲଘୁଚାପ ହୋଇଥିବାବେଳେ ସ୍ଥିତି ସୁଧୁରିଥିବା ନଜରକୁ ଆସିଛି । ସେପ୍ଟେମ୍ବର ଶେଷ ବେଳକୁ ହୋଇଥିବା ୨ଟି ଲଘୁଚାପ ରାଜ୍ୟରେ ଭାରୀ ବର୍ଷା କରାଇଛି । ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାରେ ବର୍ଷା ସ୍ୱାଭାବିକରୁ ଅଧିକ ରେକର୍ଡ ହୋଇଥିବାବେଳେ ୨୧ ଜିଲ୍ଲାରେ ସ୍ୱାଭାବିକ ଓ ବାକି ୭ ଜିଲ୍ଳାରେ ଏବେ ମଧ୍ୟ ଅଭାବୀ ବର୍ଷା ରେକର୍ଡ ହୋଇଛି । ଖାଲି ସେପ୍ଟେମ୍ବରରେ ୨ ଜିଲ୍ଲାରେ ସ୍ୱାଭାବିକ, ୯ ଜିଲ୍ଲାରେ ସ୍ୱାଭାବିକଠୁ ସାମାନ୍ୟ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ୧୮ ଜିଲ୍ଲାରେ ସ୍ୱାଭାବିକଠୁ ଖୁବ୍ ଅଧିକ ବର୍ଷା ରେକର୍ଡ ହୋଇଛି।
ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ସୁଦ୍ଧା ମୋଟ୍ ୩୮୪.୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏହା ସ୍ୱାଭାବିକଠାରୁ ୭୦% ଅଧିକ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି । ସେପ୍ଟେମ୍ବରରେ ରେକର୍ଡ ହୋଇଥିବା ବର୍ଷା ଚତୁର୍ଥ ସର୍ବାଧିକ । ଏହାପୂର୍ବରୁ ୧୯୬୧ ସେପ୍ଟେମ୍ବରରେ ସବୁଠୁ ଅଧିକ ୪୮୩.୨ ମିମି, ୧୯୪୫ରେ ୪୦୫.୯ ମିମି, ୨୦୦୭ରେ ୪୦୧.୭ ମିମି ବର୍ଷା ରେକର୍ଡ ହୋଇଥିଲା । ଚଳିତ ସେପ୍ଟେମ୍ବରରେ ହୋଇଥିବା ବର୍ଦ୍ଧିତ ବର୍ଷା ସକାଶେ ମୌସୁମୀ ବର୍ଷା ସ୍ଥିତି ସୁଧୁରିଛି । ଏବେ କିଛି ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଶୁକ୍ରବାର ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼ ଓ ଅନୁଗୁଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି ।
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକାଶେ ଉତ୍ତର ତଥା ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଜାରି ରହିଛି । ଫଳରେ ପୁଣି ଥରେ ଜଳକା ନଦୀର ଜଳସ୍ତର ଫୁଲିବାର ଲାଗିଛି । ବାଲେଶ୍ୱର ସ୍ଥିତ ମଥାନୀଠାରେ କ୍ରମଶଃ ୧୭ ଦିନ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଥିବାବେଳେ ଗତ ୨୮ ତାରିଖ ଦିନ ଏହା ବିପଦ ସଙ୍କେତ ତଳକୁ ଆସିଥିଲା । ହେଲେ ଲଘୁଚାପ ସକାଶେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ରାଜ୍ୟର ଉତ୍ତର ପଶ୍ଚିମ ସୀମାନ୍ତର କିଛି ଜିଲ୍ଲାରେ ଭାରୀ ବର୍ଷା ହେବା ଫଳରେ ପୁଣି ଜଳକା ଜଳସ୍ତର ବିପଦ ସଙ୍କେତ ଉପରକୁ ଆସିଛି ।
ମଥାନୀରେ ଜଳକା ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ଏହା ଗୁରୁବାର ସକାଳୁ କ୍ରମଶଃ ବୃଦ୍ଧିପାଉଥିବା ନଜରକୁ ଆସିଛି । ସନ୍ଧ୍ୟା ସୁଦ୍ଧା ଏହା ୫.୯ ମିଟରରେ ପହଞ୍ଚିଥିବାବେଳେ ପ୍ରତି ୩ ଘଣ୍ଟାରେ ଏହା ହାରାହାରି ୦.୭ ମିଟର ବଢ଼ୁଥିବା ନଜରକୁ ଆସୁଛି । ଯାହାକି ସାଧାରଣରେ ଚିନ୍ତାର କାରଣ ପାଲଟିଛି । ସୂଚନାଥାଉ କି, ନିକଟରେ ଜଳକାରେ ବନ୍ୟା ଆସି ୪ଟି ଘାଇ ସୃଷ୍ଟି ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ଥିବାବେଳେ ପୁଣି ଜଳସ୍ତର ବିପଦ ସଙ୍କେତ ଉପରକୁ ଯିବା ଚିନ୍ତାର କାରଣ ହୋଇଛି ।