ନୂଆଦିଲ୍ଲୀ : ଭାଇରସ୍ର ସବୁଠୁ ଭୟଙ୍କର ରୂପ ଦେଖୁଛି ଚୀନ୍ । କରାଳ ରୂପ ଧରି ଚୀନକୁ ଗ୍ରାସୁଛି ମହାମାରୀ । ବର୍ତ୍ତମାନ ସୁଦ୍ଧା ୯୦ କୋଟି ଲୋକ ସଂକ୍ରମିତ ହୋଇ ସାରିଲେଣି । ଆଗକୁ ସଂକ୍ରମଣର ଭୟଙ୍କର ରୂପ ଦେଖିପାରେ ଚୀନ୍ । ଆସନ୍ତା ୨୩ରେ ଚୀନ ପାଳିବ ନିଜର ନୂଆବର୍ଷ । ଏଥିପାଇଁ ସହର ଲୋକ ଏବେ ଗାଁ ମୁହାଁ । କୋଟି କୋଟି ଲୋକ ଗାଁକୁ ଯାଉଛନ୍ତି । ସେମାନଙ୍କ ସହ ଗାଁକୁ ଯାଉଛି ପ୍ରାଣଘାତୀ ଭାଇରସ । ଗାଁରେ ଭାଇରସ୍ ବିଞ୍ଚି ହେଲେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ । ଉତ୍ସବ ପାଇଁ ସ୍ଥିତି ଆହୁରି ସାଂଘାତିକ ହେବ ଚୀନ୍ରେ କରୋନା ସ୍ଥିତି ।
ଚୀନ୍ରେ ସଂକ୍ରମଣ ଏବେ ପିକ୍ରେ ଥିବା ବେଳେ ଆଉ ୨ ରୁ ୩ ମାସ ପର୍ଯନ୍ତ ରହିବ ବୋଲି ମହାମାରୀ ବିଶେଷଜ୍ଞ ଆକଳନ କରିଛନ୍ତି । ଜାନୁଆରୀ ୧୧ ସୁଦ୍ଧା ୯୦ କୋଟି ସଂକ୍ରମିତ ହୋଇଛନ୍ତି । ଏକଥା ଚୀନର ପେକିଂ ବିଶ୍ୱବିଦ୍ୟାଳୟ କହିଛି । ପେକିଂ ବିଶ୍ୱବିଦ୍ୟାଳୟ ରିପୋର୍ଟ ମୁତାବକ, ଦେଶର ୬୪ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି । ଗାନ୍ସୁ ପ୍ରୋଭିନ୍ସରେ ସର୍ବାଧିକ ୯୧ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି । ୟୁନାନ ପ୍ରୋଭିନ୍ସରେ ୮୪ ପ୍ରତିଶତ ଓ କିଙ୍ଘାଇରେ ୮୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି । ହସ୍ପିଟାଲରେ ଆଉ ଜାଗା ନାହିଁ ।
ସୂଚନା ଅନୁସାରେ, ଜନତାଙ୍କ ବିରୋଧ ପ୍ରଦର୍ଶନ ପରେ ଚୀନରେ ଗତବର୍ଷ ନଭେମ୍ବରରେ କୋଭିଡ୍ ସମ୍ବନ୍ଧିତ ସମସ୍ତ କଟକଣା ହଟାଯାଇଥିଲା ଏବଂ ଗତ ସପ୍ତାହରୁ ସୀମାଗୁଡ଼ିକୁ ମଧ୍ୟ ଖୋଲିଦିଆଯାଇଥିଲା । କଟକଣା କୋହଳ ହେବା ଦ୍ୱାରା ଚୀନରେ ସଂକ୍ରମଣ ଅଧିକ ବ୍ୟାପିଥିଲା ।