ମୋହନା : ଗଜପତି ଜିଲ୍ଲା ମୋହନା ଥାନା ସାନଖଣି ଗ୍ରାମର ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ମୋହନା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହାର ପ୍ରତିବାଦରେ ବଡଖଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ସାନଖଣି ଗ୍ରାମର ଗୋପିନାଥ ମଳିକଙ୍କ ନାବାଳିକା ଝିଅ ଶୌଚ ହେବା ପାଇଁ କହି ଘରୁ କେଉଁ ଆଡେ ଚାଲିଯାଇଥିଲେ । ପରିବାରବର୍ଗ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ନମିଳିବାରୁ ମୋହନା ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଏକ ମାମଲା ରୁଜୁ କରିଥିଲା । ସାନଖଣି ଗ୍ରାମର ଦୀପକ କୁମାର ନାୟକ, ତାଙ୍କ ପିତା ରାଜୀବ ନାୟକ, ମାଆ ତେଜୁ କୁମାରୀ ନାୟକ, ମଝିଆ ଭାଇ ଲାଲୁ ନାୟକ ତାଙ୍କ ନିଜ ଅଟୋରିକ୍ସା (ଓଡି୦୭ଏଚ୍ ୦୨୨୬)ରେ ନେଇ ନାବାଳିକାକୁ ନେଇ ତାଙ୍କର ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିବା ଗୋପିନାଥ ମଲିକ ଜାଣିବାକୁ ପାଇଥିଲେ ।
ଦୁଇଦିନ ପରେ ସେମାନେ ସମସ୍ତେ ନିଜ ଘରକୁ ଫେରି ଆସିଥିଲେ ମଧ୍ୟ ଦୀପକ ଫେରିନଥିଲା । ତେଣୁ ତାଙ୍କ ନାବାଳିକାକୁ ଦୀପକ ହିଁ ନେଇଯାଇଥିବା ସନ୍ଦେହ କରି ଜୁନ୍ ୨୩ତାରିଖରେ ଗୋପିନାଥ ପୁଣି ମୋହନା ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରଠାରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ସାନଖଣି ଶିଶୁ ସୁରକ୍ଷା ସମିତିର ସଭାପତି ସହଦେବ ମଳିକଙ୍କ ନେତୃତ୍ୱରେ ଆଜି ବଡଖଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗ୍ରାମ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ, ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି । ତେଣୁ ଆବଶ୍ୟକ ପଡିଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତ।