ଭୋପାଳ: ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ନାମ ଗତ କିଛି ଦିନ ହେବ ବେଶ୍ ଚର୍ଚ୍ଚାରେ ରହିଛି । ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ କାହାଣୀକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଗୋଟାଏ ପଟେ ସ୍ୱାମୀ ଆଲୋକ ନିଜ ପତ୍ନୀଙ୍କୁ ପାଠ ପଢ଼ାଇ ଏସ୍ଡିଏମ୍ ଚାକିରି କରାଇବା ପରେ ସେ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଥିବା ବେଳେ ସ୍ୱାମୀଙ୍କ ନାମରେ ପାଲଟା ଅଭିଯୋଗ ଆଣି ଛାଡ଼ପତ୍ର ଆବେଦନ କରିଛନ୍ତି ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟ । ଠିକ୍ ସେହିପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ ସ୍ୱାମୀକୁ ଉଚ୍ଚଶକ୍ଷିତ କରିବା ଲାଗି ସତଚେଷ୍ଟା କରିଥିଲା ସ୍ତ୍ରୀ । ଶେଷରେ ସଫଳତା ପାଇବା ପରେ ନିଜ ସ୍ତ୍ରୀକୁ ଭୁଲି ଅନ୍ୟ ମହିଳା ସହ ପଳାଇଲା ସ୍ୱାମୀ ।
ସ୍ୱାର୍ଥ ପୂରଣ ହେବା ପରେ କିଏ ବା କାହାକୁ ପଚାରେ । କାମ ସରିଲେ ଯେ ଯାହା ବାଟରେ । ଏମିତି କିଛି ଘଟଣା ମଧ୍ୟପ୍ରଦେଶ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ମମତା ଓ କମ୍ରୁ ହଥିଲେ ନାମକ ଜଣେ ଦମ୍ପତି ୨୦୧୫ ରେ ପ୍ରେମ ବିବାହ କରିଥିଲେ । ସେତବେଳେ କମ୍ରୁ ଡିଗ୍ରୀ ହାସଲ କରିସାରିଥିଲେ, କିନ୍ତୁ କୌଣସି ଚାକିରି କରିନଥିଲେ । ମମତା ସବୁବେଳେ ତାଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବା ପାଇଁ ପ୍ରୋତ୍ସାହନ ଦେଉଥିଲେ । ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସ୍ୱାମୀକୁ ସଫଳତାର ଶିଖରରେ ପହଞ୍ଚାଇବା ପାଇଁ ମମତା ପର ଘରେ ପୋଛା ସାଙ୍ଗକୁ ବାସନ ମଧ୍ୟ ମାଜୁଥିଲେ । ଏମିତିକି ସ୍ୱାମୀର ବହିପତ୍ର କିଣିବା ପାଇଁ ସେ ଭିନ୍ନ ଭିନ୍ନ ଦୋକାନରେ କାମ ମଧ୍ୟ କରୁଥିଲେ ।
ସ୍ତ୍ରୀର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ କମ୍ରୁ ବାଣିଜ୍ୟକର ଭବନରେ ଟ୍ୟାକ୍ସ ଅଫିସର ଭାବେ ଚାକିରି ପାଇଲେ । ତାଙ୍କର ଏହି ସଫଳତା ପଛରେ ଥିବା ସ୍ତ୍ରୀର ପରିଶ୍ରମକୁ ଭୁଲି ସେ ଅନ୍ୟ ମହିଳା ସହ ସମ୍ପର୍କ ରଖି ତାଙ୍କୁ ବିବାହ କରିଥିଲେ । ଏହା ଜାଣିବା ପରେ ମମତା ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲେ । ବର୍ତ୍ତମାନ କମ୍ରୁ ମମତାଙ୍କ ସହ ରହିବା ପାଇଁ ସଫା ସଫା ମନା କରିଦେଇଛନ୍ତି । ସେ ମମତାଙ୍କୁ ମାସିକ ୧୨ ହଜାର ଟଙ୍କା ଭରଣପୋଷଣ ଦେବା ପାଇଁ ରାଜି ବି ହୋଇଛନ୍ତି, କିନ୍ତୁ ତାଙ୍କୁ ପାଖରେ ରଖିବା ପାଇଁ ମନା କରିଦେଇଛନ୍ତି । ମମତା କମ୍ରୁଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ପ୍ରଥମ ସ୍ୱାମୀ ବାହାଘରର ଅଢ଼େଇ ବର୍ଷ ପରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି । ଯିଏକି ମାତ୍ର ୧୫ ବର୍ଷ ବୟସରେ ପ୍ରାଣ ହରାଇଥିଲା । ବର୍ତ୍ତମାନ ମମତା ଓ କମ୍ରୁଙ୍କ ମାମଲା କୋର୍ଟ ଅଧିନରେ ରହିଛି । ଦୁହିଁଙ୍କର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ ତାରିଖରେ ରହିଛି ।