28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଯୁଦ୍ଧର ୬ ମାସ ପରେ ଦକ୍ଷିଣ ଗାଜାରୁ ହଟିଲା ଇସ୍ରାଏଲ ସେନା

ଯୁଦ୍ଧର ୬ ମାସ ପରେ ଦକ୍ଷିଣ ଗାଜାରୁ ହଟିଲା ଇସ୍ରାଏଲ ସେନା

ତେଲ ଆଭିଭ: ଦୀର୍ଘ ୬ ମାସର ଭୟାବହ ଯୁଦ୍ଧ ପରେ ଶନିବାର ବିଳମ୍ବିତ ରାତିରେ ଦକ୍ଷିଣ ଗାଜା ଷ୍ଟ୍ରିପରୁ ସମସ୍ତ ସ୍ଥଳସେନା ପ୍ରତ୍ୟାହାର କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସେସ । ତେବେ ଭବିଷ୍ୟତର ଅପେରେସନର ପ୍ରସ୍ତୁତି ପାଇଁ ଏହି ଅଞ୍ଚଳରୁ ସ୍ଥଳସେନା ଅପସାରଣ କରାଯାଇଥିବା ଆଇଡିଏଫ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଇସ୍ରାଏଲ ଆକ୍ରମଣରେ ଏବେସୁଦ୍ଧା ୩୩ ହଜାର ପାର କରିଛି ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ସଂଖ୍ୟା । ଦୀର୍ଘ ୬ ମାସ ହେଲା ଜାରି ରହିଛି ଇସ୍ରାଏଲ- ଗାଜା ଯୁଦ୍ଧ । ଏହାମଧ୍ୟରେ ଶନିବାର ବିଳମ୍ୱିତ ରାତିରେ ଦକ୍ଷିଣ ଗାଜା ଷ୍ଟ୍ରିପର ସହର ଖାନ ୟୁନିସରୁ ସ୍ଥଳ ସେନା ହଟାଇଛି ଆଇଡିଏଫ । ଏନେଇ ଆଇଡିଏଫ ପକ୍ଷରୁ ପ୍ରତିକ୍ରିୟା ଜାରି କରାଯାଇ କୁହାଯାଇଛି ଯେ, ରବିବାର ଆଇଡିଏଫର ୭୮ତମ କମାଣ୍ଡୋ ଖାନ ୟୁନିସରେ ମିଶନ ଶେଷ କରିଛନ୍ତି । ଭବିଷ୍ୟତ ଅପରେସନ ପାଇଁ ପ୍ରସ୍ତୁତ ହେବାକୁ ଗାଜା ଷ୍ଟ୍ରିପରୁ ସେନା ହଟାଯାଇଥିବା କୁହାଯାଇଛି । ଆଗାମୀ ‘ରଫା’ ମିଶନ ପାଇଁ ପ୍ରସ୍ତୁତ ହେବାକୁ ଖାନ ୟୁନିସରୁ ସେନା ପ୍ରତ୍ୟାହାର କରାଯାଇଥିବା ନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦକ୍ଷିଣ ଗାଜାର ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ନେଟଜାରିମ କରିଡରକୁ ସୁରକ୍ଷା ଦେବା ପାଇଁ କେବଲ ନାହଲ ବ୍ରିଗେଡଙ୍କୁ ଦାୟିତ୍ୱରେ ରହିଛନ୍ତି । ଏହି କରିଡର ଉତ୍ତର ଓ କେନ୍ଦ୍ରୀୟ ଗାଜାରେ ଆକ୍ରମଣ କରିବାରେ ଆଇଡିଏଫର ମୁଖ୍ୟ ମାଧ୍ୟମ ସାଜିଥାଏ ଏବଂ ପାଲେଷ୍ଟାଇନ ନାଗରିକମାନଙ୍କୁ ଗାଜାର ଉତ୍ତର ପଟୁ ଦକ୍ଷିଣକୁ ଫେରିବାରେ ମଧ୍ୟ ରୋକିଥାଏ । ସୂଚନାଯୋଗ୍ୟ, ରବିବାର ଦିନ ଇସ୍ରାଏଲ- ଗାଜା ମଧ୍ୟରେ ଯୁଦ୍ଧକୁ ୬ ମାସ ପୁରିଛି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଗାଜା ଷ୍ଟ୍ରିପରୁ ରକେଟ ମାଡ କରିଥିଲା ପାଲେଷ୍ଟାଇନ ଆତଙ୍କୀ ସଂଗଠନ ‘ହମାସ’ ।

ଯାହାପରେ ୨ ଦେଶ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ ସ୍ଥିତି । ହମାସ ଆକ୍ରମଣର ପ୍ରଥମ ଦିନ ପାଖାପାଖି ୧୨୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଅପହରଣ କରି ନେଇଥିଲା ଆତଙ୍କୀ ଗୋଷ୍ଠୀ । ଏହାପରଠୁ ଇସ୍ରାଏଲ ଗାଜା ପଟ୍ଟିରେ ଆକ୍ରମଣ ଜାରି ରଖିଛି । ସୂଚନା ଅନୁଯାୟୀ ୧୩ ହଜାରରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ଆଇଡିଏଫ ନିହତ କରିଛି । ଇସ୍ରାଏଲ ଆକ୍ରମଣରେ ଏବେସୁଦ୍ଧା ୩୩ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆହତ ହୋଇଛନ୍ତି । ସେପଟେ ଗାଜାକୁ ସମ୍ପୂର୍ଣ୍ଣ ଅକ୍ତିଆର ନକରିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking