କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ମାମଲାର କଟକ ଜେଏମ୍ଏଫ୍ସି ଏମ୍ପି, ଏମ୍ଏଲ୍ଏ ସ୍ୱତନ୍ତ୍ର କୋର୍ଟରେ ଶୁକ୍ରବାର ଶୁଣାଣି ହୋଇଛି । ମାମଲାର ପ୍ରଥମକରି ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ସାକ୍ଷୀ ଭାବେ ବର୍ଷାଙ୍କ ବଡ଼ଭଉଣୀ ବନାନୀ ଦଳାଇଙ୍କ ବୟାନ ରେକର୍ଡ କରାଯାଇଛି । ମାତ୍ର ସମୟ ଅଭାବରୁ ତାଙ୍କୁ ଜେରା କରାଯାଇପାରି ନାହିଁ । ତେବେ ପରବର୍ତ୍ତି ଶୁଣାଣିରେ ତାଙ୍କୁ ଜେରା କରାଯିବ । ମାମଲାର ପରବର୍ତ୍ତି ଶୁଣାଣି ନିମନ୍ତେ ଜୁଲାଇ ୨୩ତାରିଖକୁ ଧାର୍ଯ୍ୟ କରାଯାଇଛି ।
ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ୨୦୨୦ରେ ଏକ ନିର୍ଯାତନା ମାମଲା ରୁଜୁ କରିଥିଲେ । ଅନୁଭବ ତାଙ୍କୁ ମାନସିକ, ଶାରୀରିକ ଭାବେ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ଧମକ ଦେଉଥିବା ସେ ଅଭିଯୋଗରେ ଦର୍ଶାଇଥିଲେ । ଅନୁଭବଙ୍କ ଦୁଇ ସହଯୋଗୀ ସୁଜିତ୍ ଦଳାଇ ଓ ଖଗେନ୍ଦ୍ର ପ୍ରସାଦ ସାହୁ ମଧ୍ୟ ବର୍ଷାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଦର୍ଶାଇଥିଲେ । ଏହି ମାମଲାକୁ ରଦ୍ଦକରିବା ପାଇଁ ଅନୁଭବ କୋର୍ଟରେ ଡିସ୍ଚାର୍ଜ ପିଟିସନ୍ ଦାୟର କରିଥିଲେ । ହେଲେ ବର୍ଷାଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଏହି ମାମଲାରେ ଚାର୍ଜଫ୍ରେମ୍ ପାଇଁ ଯୁକ୍ତି ରଖାଯାଇଥିଲା । କଟକ ଜେଏମ୍ଏଫ୍ସି କୋର୍ଟ ଅନୁଭବ ମହାନ୍ତି କରିଥିବା ଆବେଦନକୁ ଗତ ମେ’ ୮ତାରିଖରେ ଖାରଜ କରିଦେଇଥିଲେ । ଏଥିସହ ମେ’ ୧୦ ତାରିଖରେ ଚାର୍ଜଫ୍ରେମ୍ ତଥା ସେଦିନ ଅନୁଭବଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଅନୁଭବ କୋର୍ଟରେ ହାଜର ନହୋଇ ସମୟ ଗଡ଼ାଇବାରୁ ଜାମିନ୍ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ) ଜାରି କରାଯାଇଥିଲା । ସ୍ୱତନ୍ତ୍ର କୋର୍ଟଙ୍କ ଏନ୍ବିଡବ୍ଲ୍ୟୁ ଜାରି ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।ଅନୁଭବଙ୍କ ଆବେଦନର ଶୁଣାଣିକରି ଏନ୍ବିଡବ୍ଲ୍ୟୁ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଥିଲେ । ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ଅଫ୍ରଜ୍ ଅହମଦ ମାମଲା ପରିଚାଳନା କରୁଛନ୍ତି ।