କଟକ: ଅଟ୍ରିରେ ଜଣେ ଯୁବତୀଙ୍କୁ ଏସିଡ୍ ପିଙ୍ଗି ହତ୍ୟା କରିବା ଘଟଣାରେ ପୁଲିସ୍ ଏତଲା ରୁଜୁ କରୁନଥିବା ଦର୍ଶାଇ ପୁଲିସ୍ର ଏହି ନିଷ୍କ୍ରିିୟତା ବିରୋଧରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ପୀଡ଼ିତାଙ୍କ ପିତା ଏହି ମାମଲା ରୁଜୁ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳର ପୀଡ଼ିତାଙ୍କ ପିତା ଏଥିରେ ଦର୍ଶାଯାଇଛି ଯେ ପୀଡ଼ିତା ତଥା ଝିଅଙ୍କୁ ଗତ ଏପ୍ରିଲ୍ ୨୧ତାରିଖରେ ଦୁଷ୍କର୍ମ କରାଯାଇଥିଲା । ଏନେଇ ବାଘମାରୀ ଥାନାରେ ଏତଲା ରୁଜୁ କରାଯାଇଥିଲା ।
ପରବର୍ତ୍ତୀ ସମୟରେ ଏହି ମାମଲାରେ ପୀଡ଼ିତା କୋର୍ଟକୁ ବୟାନ ଦେବାକୁ ଯିବା ପରେ ଗତ ଅକ୍ଟୋବର ୭ ତାରିଖରେ ନିଖୋଜ ହୋଇଯାଇଥିଲେ । ନିଖୋଜର ଦୁଇଦିନ ପରେ ଅର୍ଥାତ୍ ଅକ୍ଟୋବର ୯ତାରିଖରେ ତାଙ୍କର ମୃତଦେହ ଅଟ୍ରି ନିକଟରୁ ଉଦ୍ଧାର ହୋଇଥିଲା। ପରେ ପରିବାର ପକ୍ଷରୁ ପୀଡ଼ିତାଙ୍କୁ ଏସିଡ୍ ଫିଙ୍ଗି ହତ୍ୟା କରାଯାଇଛି ବୋଲି ବାଘମାରୀ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ୍ ଏନେଇ ଏପର୍ଯ୍ୟନ୍ତ ଏତଲା ରୁଜୁ କରୁନଥିବା ଦର୍ଶାଇ ଏହି ମାମଲା ରୁଜୁ କରାଯାଇଛି ।
ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୁଲିସ୍ ନିଷ୍କ୍ରିୟତା ଦେଖାଉଥିବାରୁ ମାନ୍ୟବର କୋର୍ଟ ଏହି ଘଟଣାରେ ପୁଲିସକୁ ଏତଲା ରୁଜୁକରି ଦୋଷୀମାନଙ୍କୁ ଗିରଫ କରିବା ସହ କଠୋର ଦଣ୍ଡବିଧାନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରାଯାଇଛି । ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ପରିଚାଳନା କରୁଛନ୍ତି ।