କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଏକ ହତ୍ୟା ମାମଲାର ଶୁଣାଣିକରି ଜନୈକ ହତ୍ୟାକାରୀ ବ୍ରଜ ମୁଣ୍ଡାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଆଉ ୧ବର୍ଷ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ଆଦାୟ ହେବାକୁ ଥିବା ଜୋରିମାନା ପୀଡ଼ିତାଙ୍କ ପରିବାରକୁ ଦେବାକୁ ନିର୍ଦ୍ଦେଶ ରହିଛି । ପ୍ରକାଶଯୋଗ୍ୟ ଯେ, ଗତ ଏପ୍ରିଲ୍ ୨୦୧୫ ମସିହାରେ ଘଟଗାଁ ଥାନା ଛୋଟରାୟପୁର ଗ୍ରାମରେ ହିନ୍ଦୁଲାଲ ମୁଣ୍ଡାଙ୍କ ଘର ଫାଇଖାନା କାମ ଚାଲିଥିବାବେଳେ ଏହାକୁ ବିରୋଧ କରୁଥିବା ବ୍ରଜ ମୁଣ୍ଡା ଓ ଅନ୍ୟ ୨ଜଣ ନୁନ୍ଦୁଲାଲ ଓ ଜୁଡୁ ମୁଣ୍ଡା କାମ ବନ୍ଦ କରିବାକୁ କହିଥିଲେ ।
ଏ ନେଇ କାମ ଦେଖୁଥିବା ତାଙ୍କ ସ୍ତ୍ରୀ ଲଳିତା ମୁଣ୍ଡା(୫୫) ତାଙ୍କ ସ୍ୱାମୀ ହିନ୍ଦୁଲାଲ୍ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ତେବେ ଘଟଗାଁରୁ ସଉଦା ଧରି ଫେରିବା ପୂର୍ବରୁ ସେମାନେ ଲଲିତାଙ୍କୁ ଟାଙ୍ଗିଆରେ ମୁଣ୍ଡକାଟି ହତ୍ୟା କରିଥିଲେ । ଘଟଣାସ୍ଥଳରେ ହିନ୍ଦୁଲାଲ ପହଞ୍ଚି ତାଙ୍କ ସ୍ତ୍ରୀଙ୍କ ମୁଣ୍ଡବିହୀନ ମୃତଦେହ ଦେଖିଥିଲେ । ହତ୍ୟା ପରେ କଟାମୁଣ୍ଡ ଧରି ବ୍ରଜ ମୁଣ୍ଡା(୪୫) ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଥିଲେ । ପୁଲିସ ହିନ୍ଦୁଲାଲ ମୁଣ୍ଡାଙ୍କ ଅଭିଯୋଗକୁ ଭିତ୍ତିକରି ଜଣେ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା । ଅନ୍ୟ ୨ଜଣ ଅଦ୍ୟାବଧି ଫେରାର୍ ଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ୍ ୧୨ଜଣ ସାକ୍ଷୀ ଓ ପୁଲିସ ତଦନ୍ତ ରିପୋର୍ଟକୁ ଆଧାରକରି ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି ।