ପୁରୁଷୋତ୍ତମପୁର: ପରିବା ଆଣିବାକୁ ଯାଉଥିବା ବେଳେ ଚାଲିଗଲା ମହିଳାଙ୍କ ଜୀବନ । ଆଖି ଆଗରେ ମୃତ୍ୟୁବରଣ କରିଥିବା ମା’କୁ ଧରି ବାହୁନି ବାହୁନି କାନ୍ଦୁଥିଲା କୁନି ଝିଅ । ପୁରୁଷୋତ୍ତମପୁର ରଥସାହି ଛକଠାରେ ଆଜି ଦେଖିବାକୁ ମିଳିଥିଲା ଏଭଳି ହୃଦୟ ବିଦାରକ ଦୃଶ୍ୟ । ଭାଇ ସହ ଭଉଣୀ ଓ ଭାଣିଜୀ ପରିବା ଆଣିବାକୁ ବାଇକ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍ ଚକାରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଅଳ୍ପକେ ଭାଇ ଓ ଝିଅ ବର୍ତ୍ତିଯାଇଥିବା ବେଳେ ମହିଳାଙ୍କ ଜୀବନ ଚାଲିଯାଇଛି । ଚାଙ୍ଗୁଡ଼ିଆ ପଦର ସାହିର କେଶବ ବେହେରାଙ୍କ ଝିଅ ସ୍ୱପ୍ନାରାଣୀ ବେହେରା(୩୦) ନିଜ ଭାଇ ଓ ଛୋଟ ଝିଅକୁ ଧରି ଆଜି ସକାଳେ ବସ୍ଷ୍ଟାଣ୍ଡ ସ୍ଥିତ ବଜାରକୁ ପରିବା ଆଣିବାକୁ ଯାଉଥିଲେ । ରଥ ସାହି ଛକରେ ଏକ ୧୬ ଚକିଆ ଟ୍ରକ୍ ବସଷ୍ଟାଣ୍ଡ ଅଭିମୁଖେ ଯାଉଥିବା ବେଳେ ସ୍ୱପ୍ନାଙ୍କ ଭାଇ ଟ୍ରକ୍କୁ ଓଭର ଟେକ କରି ଆଗକୁ ଯିବାକୁ ଉଦ୍ୟମ କରୁଥିଲେ । ହଠାତ୍ ଭାରସାମ୍ୟ ହରାଇବାରୁ ବାଇକ୍ରେ ବସିଥିବା ସ୍ୱପ୍ନାରାଣୀ ଟ୍ରକ୍ ଚକାତଳେ ପିଟି ହୋଇ ପ୍ରାଣ ହରାଇଥିଲେ । ଅପରପଟେ ତାଙ୍କ ଭାଇ ଓ ଝିଅ ପଡି ଆହତ ହୋଇଥିଲେ ।
ଲୋକେ ଟ୍ରକକୁ ଅଟକାଇ ମହିଳାଙ୍କୁ ଉଦ୍ଧାର କରି ପାଣି ଦେଇଥିଲେ । ସେତେବେଳକୁ ସ୍ୱପ୍ନାଙ୍କ ଜୀବନ ଚାଲିଯାଇଥିଲା । ତାଙ୍କ ଛୋଟ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ମା’ଙ୍କୁ ଧରି ବାହୁନି ବାହୁନି କାନ୍ଦୁଥିଲା । ସତେ ଯେମିତି ଝିଅଟି ଜାଣି ନଥିଲା ତାଙ୍କ ମାଆ ଏ ଦୁନିଆରେ ଆଉ ନାହିଁ । ଜଣେ ସାମ୍ବାଦିକ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବିଭାଗର କର୍ମଚାରୀ ପହଞ୍ôଚ ମହିଳାଙ୍କୁ ପୁରୁଷୋତ୍ତମପୁର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ସ୍ୱପ୍ନାରାଣୀଙ୍କୁ ମୃତ ଘୋଷଣା କରିଥିଲେ । ୪ ନଂ କାଉନସିଲର ଅଶୋକ କୁମାର ମହାଙ୍କୁଡ ଏବଂ ସାମ୍ବାଦିକ ମେଡିକାଲରେ ତାଙ୍କ ଘରଲୋକଙ୍କୁ ଖବର ଦେଇଥିଲେ ।
ସ୍ୱପ୍ନାଙ୍କ ଶାଶୂଘର ଶେରଗଡ଼ ନିକଟ ଅଙ୍କରଡା ଗ୍ରାମରେ ହୋଇଥିବା ବେଳେ ସ୍ୱାମୀ ପ୍ରଶାନ୍ତ ବେହେରା ସୁରତରେ କାମ କରନ୍ତି ବୋଲି ଜଣାପଡିଛି । ମୃତ ସ୍ୱପ୍ନାରାଣୀଙ୍କ ୨ଟି ଝିଅ ଅଛନ୍ତି । ପୁରୁଷୋତ୍ତମପୁର ସହରରେ ଥିବା ବିଭିନ୍ନ ଛକ ଗୁଡିକରେ ଉଠା ଦୋକାନୀ, ଜଳଖିଆ ଦୋକାନରେ ଅସମ୍ଭାଳ ଭିଡ ଜମୁଛି । ଲୋକେ ମନଇଚ୍ଛା ପାର୍କିଂ କରି ଦୋକାନ ସମ୍ମୁଖରେ ଭିଡ ବଢାଇବା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ସୃଷ୍ଟି କରୁଥିବା ଦୋକାନୀ ଓ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ସ୍ଥାନୀୟ ଥାନା ଅଧିକାରୀ ଶ୍ରୀନିବାସ ଦାଶ ପୋଲିସ୍ ଟିମ୍ ସହ ଦୁର୍ଘଟଣା ସ୍ଥଳରେ ପହଞ୍ôଚ ଟ୍ରକ୍କୁ ଜବତ କରିବା ସହ ତଦନ୍ତ ଚାଲୁ ରହିଥିବା କହିଛନ୍ତି ।