ଭୁବନେଶ୍ୱର: ଆସନ୍ତାକାଲି ଖେଳାଯିବ ବିଶ୍ୱକପ ଫାଇନାଲ ମ୍ୟାଚ । ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ତେବେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଅହମ୍ମଦାବାଦରେ ହେବାକୁ ଥିବା ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚର ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା କରିଛି ।
ଏହି ସ୍ୱତନ୍ତ୍ର ଟ୍ରେନ୍ ସେବା ଦିଲ୍ଲୀ ଓ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲିବ । ଟ୍ରେନ୍ ଗୁଡିକ ଆଜି ସନ୍ଧ୍ୟାରେ ବାହାରିବ । ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ । ଦିଲ୍ଲୀରୁ ଗୋଟିଏ ଟ୍ରେନ ଓ ମୁମ୍ବାଇରୁ ତିନୋଟି ଟ୍ରେନ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବେ ।
ତେବେ ରେଳ ବିଭାଗ ପକ୍ଷରୁ କୁହା ଯାଇଛି, ଟିକେଟର ଦାମ ଅପେକ୍ଷାକୃତ କମ ରହିବ । ବିମାନ ଭଡ଼ାରେ ଅହେତୁକ ମାତ୍ରରେ ବୃଦ୍ଧି ହେତୁ ରେଳ ବିଭାଗ ଟିକେଟର ଦାମ କମ ରଖିବାକୁ ନିଷ୍ପତ୍ତି ନେଇଛି । ସେହିପରି ଟ୍ରେନରେ ସଂରକ୍ଷିତ ସ୍ଥାନ ପୂରଣ ହୋଇ ସାରିଥିବାରୁ ମଧ୍ୟ ଟିକେଟର ଦାମ କମ ରହିଛି । ଅନ୍ୟପଟେ ଦେଖିବାକୁ ଗଲେ, ବିମାନ ଟିକେଟ ୨୦,୦୦୦ ରୁ ୪୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।