ଅଗରତାଲା : ଅନ୍ଲାଇନ ଗେମ୍ରେ ହାରି ନିଜ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରିଛି ଜଣେ ୧୫ ବର୍ଷୀୟ ନାବାଳକ । ତ୍ରିପୁରାର ଧଲାଇ ଜିଲ୍ଲା କମଲପୁର ଥାନା ଅନ୍ତର୍ଗତ ଦୁରାଇ ସାହିବ ବରି ଗ୍ରାମରେ ଶନିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୁଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି । ପୁଲିସ ଏଆଇଜି ଜ୍ୟୋତିଷମାନ ଦାସ ଚୌଧୁରୀଙ୍କ କହିବାନୁଯାୟୀ ଶନିବାର ରାତିରେ ଏହି ନାବାଳକ ଜଣକ ତାର ଜେଜେବାପା ବାଦଲ ଦେବନାଥ (୭୦), ମା ସମିତା ଦେବନାଥ (୩୨), ମାଉସି ରେଖା ଦେବନାଥ (୪୨) ଓ ୧୦ ବର୍ଷୀୟ ସାନ ଭଉଣୀଙ୍କୁ ଟଙ୍ଗିଆରେ ହାଣି ହତ୍ୟା କରିଥିଲା ।
ପରେ ଘର ପଛରେ ଥିବା ଏକ ସେପ୍ଟିକ ଟ୍ୟାଙ୍କରେ ନେଇ ମୃତଦେହ ଫିଙ୍ଗି ଫେରାର ହୋଇଯାଇଥିଲା । ହତ୍ୟା କରିବା ବେଳେ ପଡୋଶୀମାନେ କାଳେ ଚିତ୍କାର ଶୁଣିବେ ସେଥିପାଇଁ ଖୁବଜୋର୍ରେ ଗୀତ ବଜାଇଥିଲା । ବସ୍ ଡ୍ରାଇଭର ଥିବା ନାବାଳକର ପିତା ହାରାଧନ ଦେବନାଥ ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ରବିବାର ନିକଟସ୍ଥ ହାଟରୁ ଅଭିଯୁକ୍ତ ନାବାଳକକୁ ପୁଲିସ ଗିରଫ କରିଛି ।
ପଡୋଶୀଙ୍କ କହିବାନୁଯାୟୀ ନାବାଳକ ଜଣକ ଟିଭିରେ କ୍ରାଇମ୍ ସିରିଜ୍ ଦେଖେ । କମ୍ପ୍ୟୁଟରରେ ଅଧିକାଂଶ ସମୟରେ ଅନ୍ଲାଇନ ଗେମ୍ ଖେଳେ । ଏଥିପାଇଁ ଘରୁ ଅନେକ ଥର ଟଙ୍କା ଚୋରି କରିଛି । ଯାହାକୁ ନେଇ ଘରେ ଝଗଡା ମଧ୍ୟ ଲାଗିଛି । ଗେମ୍ରେ ହାରିଯିବାରୁ ଘର ଲୋକ ଟଙ୍କା ଦେବାକୁ ମନା କରି ଦେଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ସେ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ପୁଲିସ ଅନୁମାନ କରୁଛି।